ବଲାଙ୍ଗିର: ପୁଣି ରକ୍ତରଞ୍ଜିତ ହେଲା ସୁଲିଆ ପୀଠ, ବଡ଼ଖଳାରେ ପଡ଼ିଲା ପଶୁ ବଳି

ବଲାଙ୍ଗିର: ପୁଣି ରକ୍ତ ରଞ୍ଜିତ ହୋଇଛି ବଲାଙ୍ଗିରର ସୁଲିଆ ପୀଠ। ପ୍ରଶାସନର ସବୁ ଉଦ୍ୟମ ସତ୍ତ୍ୱେ ବଳି ପ୍ରଥାକୁ ରୋକାଯାଇ ପାରିନାହିଁ। ସୁଲିଆ ଯାତ୍ରା ଅବସରରେ ଆଜି ପଡିଛି ହଜାର ହଜାର ପଶୁପକ୍ଷୀଙ୍କୁ ବଳି। ସେହିପରି ନିକଟ କୁମୁଡ଼ିଆରେ ଥିବା ସାନ ଖଳାରେ ମଧ୍ୟ ବଳି ଦିଆଯାଇଥିବା ସୂଚନା ମିଳିଛି ।

ପରମ୍ପରା ଓ ବିଶ୍ୱାସ ନାଁରେ ବଳି ପଡିଗଲେ ହଜାର ହଜାର ପଶୁପକ୍ଷୀ । ସୁଲିଆ ଯାତ୍ରାରେ ପଶୁ ବଳି ରୋକିବାକୁ ସବୁବର୍ଷ ଭଳି ଚଳିତବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଶ ଉଦ୍ୟମ କରାଯାଇଥିଲା। ଯାତ୍ରା ଆୟୋଜନ କମିଟି ସହ ପ୍ରଶାସନ ବାରମ୍ୱାର ଆଲୋଚନା କରି ବଳି ବନ୍ଦ ପାଇଁ ପ୍ରବର୍ତ୍ତାଇ ଥିଲା। ଯାତ୍ରାର ମୁଖ୍ୟ ପୂଜକ ମଧ୍ୟ ବଳି ବନ୍ଦ ପାଇଁ ଅନୁରୋଧ କରିଥିଲେ। ତେବେ ଆଦିବାସୀମାଦେ ସେମାନଙ୍କ ଜିଦରେ ଅଟଳ ରହିଥିଲେ।

ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ଉପଦେଷ୍ଟା ସତ୍ୟନାରାୟଣ ଭୋଇ କହିଥିଲେ  ସୁପ୍ରିମପୋର୍ଟଙ୍କ ରାୟ ପରେ ଆମେ ବହୁତ ଖୁସି ଅଛୁ।

ଚଳିତବର୍ଷ କଟକଣା ନ ଥିବାରୁ ବେଧଡ଼କ ବଳି ଦେଇଥିଲେ ଆଦିବାସୀ। ପଶୁପକ୍ଷୀଙ୍କୁ ବାଜା ବଜାଇ ଶୋଭାଯାତ୍ରାରେ ଅଣାଯିବା ସହ ଖୋଲାଖୋଲି ବଳି ଦିଆଯାଇଥିଲା। ବଳି ସ୍ଥାନକୁ ଘୋଡ଼ାଇ ରଖାଯିବା ସହ ଛୋଟ ପିଲାମାନଙ୍କୁ ସେଠାରୁ ଦୂରେଇ ରଖାଯିବା କଥା। ତେବେ ଚଳିତବର୍ଷ ଏଥିରେ ମଧ୍ୟ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଉପଜିଲ୍ଲାପାଳଙ୍କ ସମେତ ବରିଷ୍ଠ ପୋଲିସ୍ ଅଧିକାରୀ ଯାତ୍ରା ସ୍ଥଳରେ କ୍ୟାମ୍ପ କରିଥିଲେ। ୩ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଥିଲେ। ହେଲେ ଖୋଲାଖୋଲି ନିୟମ ଉଲ୍ଲଂଘନ ହେଉଥିଲେ ମଧ୍ୟ କେହି ହସ୍ତକ୍ଷେପ କରି ନ ଥିଲେ।

ବଲାଙ୍ଗିର ଏସଡିପିଓ ନାରାୟଣ ନାୟକ କହିଛନ୍ତି, ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପୋଲିସ ନଜର ରଖିଛି। ବିଶେଷ କରି ଟ୍ରାଫିକ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛୁ। ପିଲାଙ୍କୁ ବଳି ସ୍ଥାନକୁ ନ ଛାଡିବାକୁ ଲୋକମାନଙ୍କ ମଧ୍ୟରେ ସଚେତନ କରାଯାଉଛି।

ସୋମବାର ଜିଲ୍ଳାପାଳ ଓ ବରିଷ୍ଠ ପୋଲିସ୍ ଅଧିକାରୀଙ୍କ ଉପସ୍ଥିତିରେ ବସିଥିବା ରୁଦ୍ଧଦ୍ୱାର ବୈଠକ ବିଫଳ ହେବା ପରେ  ସୁଲିଆ ପୀଠ ଏଥର ବି ରକ୍ତରଞ୍ଜିତ ହେବ ବୋଲି ଏକ ପ୍ରକାର ନିଶ୍ଚିତ ହୋଇଥିଲା। ବଳି ବନ୍ଦ ପାଇଁ ମୁଖ୍ୟ ପୂଜକଙ୍କ ନିବେଦନ ସତ୍ତ୍ୱେ ମିଳିତ ସୁଲିଆ ପୂଜା କମିଟି ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଭେଟି ପରମ୍ପରା ଅନୁଯାୟୀ ବଳି ଦେବାକୁ ଜିଦ୍ କରିଥିଲେ।

ତେବେ ପଶୁବଳି ଯେପରି କମ୍ ହେବ ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲାପାଳ କହିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେବଳ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଓ ଲୋକଙ୍କୁ ସଚେତନ କରିବା କାର୍ଯ୍ୟରେ ନିଜକୁ ସୀମିତ ରଖିବ ବୋଲି ପ୍ରଶାସନ କହିଥିଲା