ପୁଣି ତିନି ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ; ବଲାଙ୍ଗିରରେ ୨ ଓ କେନ୍ଦୁଝରରେ ଜଣେ

ବଲାଙ୍ଗିର/କେନ୍ଦୁଝର: ଆଜି ପୁଣି ତିନି ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାଣ ହରାଇଥିବା ୩ ଚାଷୀଙ୍କ ମଧ୍ୟରୁ ଦୁଇ ଜଣ ବଲାଙ୍ଗିରର ଓ ଜଣେ କେନ୍ଦୁଝରର। ବଲାଙ୍ଗିରରେ ଆତ୍ମହତ୍ୟା କରିଥିବା ଦୁଇ ଜଣ ଚାଷୀ ହେଲେ ପରିକ୍ଷିତ ନାଗ ଓ କୃତିବାସ ଗହିର। ପରିକ୍ଷିତଙ୍କର ଆଜି ସକାଳେ ମୃତ୍ୟୁ ଘଟିଥିବା ବେଳେ କୃତିବାସଙ୍କ ମୃତ୍ୟୁ ଖବର ଆସିଥିଲା ଅପରାହ୍ନରେ। ସେହିପରି କେନ୍ଦୁଝରରେ ପ୍ରାଣ ହରାଇଥିବା ଚାଷୀଙ୍କ ନାମ ଦେଶ ଦେହୁରୀ। ଆତ୍ମହତ୍ୟା କରିଥିବା କୃତିବାସଙ୍କ ଘର ବଲାଙ୍ଗିର ଜିଲ୍ଲାର […]

farmer

farmer

Rakesh Mallick
  • Published: Tuesday, 27 October 2015
  • Updated: 27 October 2015, 05:27 PM IST

Sports

Latest News

ବଲାଙ୍ଗିର/କେନ୍ଦୁଝର: ଆଜି ପୁଣି ତିନି ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରାଣ ହରାଇଥିବା ୩ ଚାଷୀଙ୍କ ମଧ୍ୟରୁ ଦୁଇ ଜଣ ବଲାଙ୍ଗିରର ଓ ଜଣେ କେନ୍ଦୁଝରର। ବଲାଙ୍ଗିରରେ ଆତ୍ମହତ୍ୟା କରିଥିବା ଦୁଇ ଜଣ ଚାଷୀ ହେଲେ ପରିକ୍ଷିତ ନାଗ ଓ କୃତିବାସ ଗହିର। ପରିକ୍ଷିତଙ୍କର ଆଜି ସକାଳେ ମୃତ୍ୟୁ ଘଟିଥିବା ବେଳେ କୃତିବାସଙ୍କ ମୃତ୍ୟୁ ଖବର ଆସିଥିଲା ଅପରାହ୍ନରେ। ସେହିପରି କେନ୍ଦୁଝରରେ ପ୍ରାଣ ହରାଇଥିବା ଚାଷୀଙ୍କ ନାମ ଦେଶ ଦେହୁରୀ।

ଆତ୍ମହତ୍ୟା କରିଥିବା କୃତିବାସଙ୍କ ଘର ବଲାଙ୍ଗିର ଜିଲ୍ଲାର ତୁରେକେଲା ବ୍ଲକ୍ ଅନ୍ତର୍ଗତ ରାମୁଡ଼ ଗାଁର। ସେ କପା ଓ ଧାନ ଚାଷ କରିଥିଲେ। ତେବେ ଏବର୍ଷ ଭଲ ବର୍ଷା ନହେବା ଯୋଗୁଁ ତାଙ୍କର ଫସଲ ନଷ୍ଟ ହୋଇଯାଇଥିଲା। ବ୍ୟାପକ ଫସଲ ନଷ୍ଟ ସାଙ୍ଗକୁ ଋଣଭାର ତାଙ୍କୁ ଚିନ୍ତିତ କରିଥିଲା। ସେଥିପାଇଁ ସେ କୀଟ ନାଶକ ଔଷଧ ପିଇ ଦେଇଥିଲେ। ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତା’ପରେ ତାଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସେହିପରି ସକାଳେ ପ୍ରାଣ ହରାଇଥିବା ଚାଷୀ ପରିକ୍ଷିତଙ୍କ ଘର ଜିଲ୍ଲାର ସିନ୍ଧେକିଲା ଥାନା ବର୍ଥଲା ଗାଁରେ।  ଋଣ ଚିନ୍ତାରେ ପରିକ୍ଷିତ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତ ୨୫ ତାରିଖରେ ସେ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଖଡିଆଲ ମିଶନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତ ପରିକ୍ଷିତ ୩ ଏକର ଜମିରେ ଚାଷ କରିଥିଲେ। ଏଥିରୁ ୨ ଏକର ଜମିରେ ଧାନ ଓ ଗୋଟେ ଏକର ଜମିରେ କପା ଚାଷ କରିଥିଲେ। ଏଥିପାଇଁ ସେ ସମ୍ପର୍କୀୟଙ୍କ ପାଖରୁ କିଛି ଟଙ୍କା ହାତ ଉଧାରି କରିଥିଲେ। ଏହାସହ ଅଞ୍ଚଳର କିଛି ମହାଜନଙ୍କଠାରୁ ମଧ୍ୟ ଟଙ୍କା ଋଣ କରିଥିଲେ। ତେବେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଉଭୟ ଧାନ ଓ କପା ଫସଲ ଉଜୁଡି ଯାଇଥିଲା। ପରିବାର ଭରଣ ପୋଷଣ ଓ ଋଣ ଶୁଝିବାକୁ ନେଇ ପରିକ୍ଷିତ କିଛିଦିନ ହେବ ଚିନ୍ତିତ ଥିଲେ। ଏପରି ସ୍ଥିତିରେ ସେ ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମୃତ ପରିକ୍ଷିତଙ୍କ ଘରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନ ଥିବା ଜଣାପଡିଛି।

ଗତ ୧୫ ଦିନରେ ବଲାଙ୍ଗିର ଜିଲ୍ଲାରେ ୫ ଚାଷୀ ଆତ୍ମହତ୍ୟା କଲେଣି। ଅକ୍ଟୋବର ୧୦ରେ ପାଟଣାଗଡ଼ ଦନ୍ଦରାବାହାଲ୍ ଗାଁରେ ଭକ୍ତ ଧାରୁଆ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଅକ୍ଟୋବର ୧୪ରେ ଜାମପଡ଼ା ଗାଁର ପୀତ ନାଗ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ। ଗତ ୧୯ରେ ଲୋଇସିଂହା ଘୁସୁରୁମୁଣ୍ଡାର ବାସୁଦେବ ଭୋଇ ବି ଆତ୍ମହତ୍ୟା କରିଥିଲେ। ସେହିପରି ଆତ୍ମହତ୍ୟା ଉଦ୍ୟମ କରିଥିବା ଅନ୍ୟ ୨ ଜଣ ଚାଷୀ ଚିକିତ୍ସା ହେବାପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତଥ୍ୟ କହୁଛି ଜିଲ୍ଲାର ୧୪ ତହସିଲରେ ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହୋଇଛି।  ମୋଟ୍ ୧ ଲକ୍ଷ ୮ ହଜାର ୬୧୩ ଚାଷୀ ମରୁଡିରେ ପ୍ରଭାବିତ ହୋଇଛନ୍ତି।

ଆଜି ଆତ୍ମହତ୍ୟା କରିଥିବା ଆଉ ଜଣେ ଚାଷୀ ଦେଶ ଦେହୁରୀଙ୍କ ଘର କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ  ଭାଲିଆଡିହି ଗାଁରେ। ଫସଲହାନି ସାଙ୍ଗକୁ ଋଣ ବୋଝ ଚିନ୍ତାରେ ସେ କୀଟ ନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।୪୫ ବର୍ଷୀୟ ଦେଶ ଦେହୁରୀ ବ୍ୟାଙ୍କ୍ ଅଫ୍ ଇଣ୍ଡିଆରୁ ୨୫ ହଜାର ଟଙ୍କାର ଚାଷ ଋଣ ଆଣି ୭ ମାଣ ଜମିରେ ଧାନ ଓ ବିଲାତି ଚାଷ କରିଥିଲେ। ୭ ମାଣ ଜମିରୁ ୩ ମାଣ ତାଙ୍କ ନିଜର ଥିଲା ଓ ବାକି ୪ ମାଣ ଜମି ଭାଗଚାଷ ଥିଲା। ହେଲେ ବର୍ଷା ଅଭାବରୁ ଚାଷ ଉଜୁଡ଼ି ଯାଇଥିଲା।  ଆଜି ଅପରାହ୍ନରେ ନିଜ ବିଲରେ କୀଟନାଶକ ପିଇ ଦେଇଥିଲେ। ସନ୍ଧ୍ୟା ସମୟରେ ଘର ଲୋକ ଏକଥା ଜାଣି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ଦେଶଙ୍କର ତିନୋଟି ନାବାଳକ ପୁଅ ଅଛନ୍ତି।

କେବଳ ବଲାଙ୍ଗିର କି କେନ୍ଦୁଝର ନୁହେଁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସୁଛି। ଏହାକୁ ନେଇ ରାଜ୍ୟରେ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ଉଭୟ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଉଭୟ ଦଳ ମୁଖ୍ୟମନ୍ତ୍ରୀଙ୍କ ମରୁଡି ପ୍ୟାକେଜ୍ ଘୋଷଣା ଏକ ଭେଳିକି ବୋଲି କହିଛନ୍ତି। ସରକାରଙ୍କର ଚାଷୀଙ୍କ ପ୍ରତି କୌଣସି ଦରଦ ନାହିଁ କେବଳ ଲୋକଙ୍କ ରୋଷରୁ ବଞ୍ଚିବା ପାଇଁ ଏପରି ଘୋଷଣା କରୁଛନ୍ତି। ଆଗାମୀ ଦିନରେ ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେବେ ବୋଲି ଉଭୟ ଦଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos