ଚଳିତବର୍ଷ ବଜେଟରେ ଜନସାଧାରଣଙ୍କ ମତାମତକୁ ଗୁରୁତ୍ୱ ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ଚଳିତବର୍ଷ ସାଧାରଣ ବଜେଟରେ ରାଜ୍ୟ ସରକାର ଜନସାଧାରଣଙ୍କ ମତାମତକୁ ଗୁରୁତ୍ୱ ଦେବେ। ଏଥିପାଇଁ ପ୍ରଥମ ଥର ସରକାରୀ ୱେବ ସାଇଟରେ ଲୋକଙ୍କ ମତ ମଗାଯାଇଛି। ମତାମତକୁ ତର୍ଜମା କରି ଜଣାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଚଳିତବର୍ଷ ରାଜ୍ୟ ବଜେଟ୍ ପରିମାଣ ୧ଲକ୍ଷ କୋଟି ଟପିବ ବୋଲି ଆଶା କରାଯାଉଛି।

ସାଧାରଣ ଲୋକଙ୍କ ଆଶା ଆକାଂକ୍ଷାକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟ ସରକାର ବଜେଟ୍ ପ୍ରସ୍ତୁତିରେ ସାଧାରଣ ଲୋକଙ୍କ ମତାମତକୁ ସାମିଲ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସରକାରୀ ୱେବସାଇଟରେ ଲୋକଙ୍କଠାରୁ ପ୍ରସ୍ତାବ ମଗାଯାଇଛି। ଏପର୍ଯ୍ୟନ୍ତ ୧୨ଶହ ୪୭ ଜଣ ନିଜର ମତାମତ ଦେଇଛନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହ ସମସ୍ତ ମତାମତକୁ ତର୍ଜମା କରି ତାଙ୍କୁ ଜଣାଇବା ପାଇଁ ଅର୍ଥ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ମେଲ ଓ ଏସଏମଏସ ମାଧ୍ୟମରେ ଆଗ୍ରହୀ ଜନସାଧାରଣ ସେମାନଙ୍କ ମତାମତ ଦେବେ। ସମସ୍ତଙ୍କ ମତାମତକୁ ତର୍ଯ୍ୟମା କରାଯାଇ ବଜେଟ ପ୍ରସ୍ତୁତ କରାଯିବ।

୨୦୧୫-୧୬ ଆର୍ଥିକବର୍ଷରେ ରାଜ୍ୟ ବଜେଟ୍ ପରିମାଣ ୮୪ ହଜାର ୪୮୭ କୋଟି ୭୭ ଲକ୍ଷ ଟଙ୍କା ଥିଲା। ଚଳିତବର୍ଷ ଏହା ୧ଲକ୍ଷ କୋଟି ଟଙ୍କା ଟପିବା ଆଶା କରାଯାଉଛି। ସେହିପରି କୃଷି କ୍ଷେତ୍ର ରାଜ୍ୟ ସରକାରଙ୍କ ଫୋକସରେ ରହିପାରେ। ମରୁଡି ଓ ଚାଷୀ ଆତ୍ମହତ୍ୟାକୁ ନେଇ ସରକାର ଅଡୁଆରେ ପଡିଥିବାରୁ ଏଥର ଜଳସେଚନ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇପାରେ। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ବଜେଟରେ ତା’ର ପ୍ରତିଫଳନ ଦେଖିବାକୁ ମିଳିପାରେ ବୋଲି ଆଲୋଚନା ହେଉଛି।

ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କହିଛନ୍ତି, ଗତବର୍ଷଠାରୁ ଚଳିତବର୍ଷ ବଜେଟ ଅଧିକ ଆସିବ। ଆଗକୁ ପଞ୍ଚାୟତ ଓ ମ୍ୟୁନିସପାଲିଟି ନିର୍ବାଚନ ଥିବାରୁ ସରକାର ଏହି ଦୁଇ ସେକ୍ଟର ଉପରେ ନିଶ୍ଚିତ ଗୁରୁତ୍ୱ ଦେବେ ବୋଲି ଆଶା କରୁଛି।

ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋଇ କହିଛନ୍ତି, ଚାଷ ଓ ଚାଷୀଙ୍କୁ ନେଇ ସରକାର ପଡିଥିବା ଅଡୁଆରୁ ବାହାରିବାକୁ ଚେଷ୍ଟା କରିବେ। କୃଷି ଓ ଜଳସେଚନ ଉପରେ ସରକାର ଗୁରୁତ୍ୱ ଦେବେ ବୋଲି ଆଶା କରୁଛି।

ସେହିପରି ବଜେଟ୍ ପ୍ରସ୍ତୁତି ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ପାଇଁ ଆସନ୍ତା ୨୧ ଓ ୨୨ ତାରିଖରେ ଅର୍ଥ ବିଭାଗ ଏକ ବୈଠକ ଡାକିଛି। ବଜେଟର ରୂପରେଖ କ’ଣ ରହୁଛି ତା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ପ୍ରଥମ କରି ରାଜ୍ୟ ସରକାର ବଜେଟ ପ୍ରସ୍ତୁତ ଲଶଗି ଲୋକଙ୍କ ମତାମତ ଲୋଡିଛନ୍ତି, ଏହା ମଧ୍ୟ କେତେଦୂର ସରକାରଙ୍କୁ ଯୋଜନା ପ୍ରସ୍ତୁତିରେ ସହାୟକ ହେବ ଦେଖିବାକୁ ବାକି ରହିଲା।