ଜାନୁଆରୀ ୩୧ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିଲେ ବୁର୍ଲା ଜୁନିୟର ଡାକ୍ତର

burlamedicalସମ୍ବଲପୁର: ଆନ୍ଦୋଳନ ସ୍ଥଗିତ ରଖିଲେ ବୁର୍ଲା ଭିଏସ୍ଏସ୍ ମେଡିକାଲ୍ କଲେଜର ଜୁନିୟର ଡାକ୍ତର। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ସ୍ଥଗିତ ରଖିଛନ୍ତି। ଦାବି ପୂରଣ ନେଇ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେବା ପରେ ଆଜି ସଂଘର ସାଧାରଣ ପରିଷଦ ବୈଠକରେ ଆନ୍ଦୋଳନକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯଦି ସରକାର ସେମାନଙ୍କ ଦାବିଗୁଡ଼ିକୁ ପୂରଣ ନ କରନ୍ତି, ତା’ହେଲେ ଫେବ୍ରୁଆରୀ ୧ରୁ ପୁଣି ଆନ୍ଦୋଳନ କରାଯିବ ବୋଲି ସଂଘର ସଭାପତି ଶଙ୍କର ରାମଚନ୍ଦାନି କହିଛନ୍ତି।

ସଂଘର ସଭାପତି କହିଛନ୍ତି, ଦାବିଗୁଡ଼ିକୁ ପୂରଣ କରିବା ନେଇ ଗତକାଲି ଭୁବନେଶ୍ୱରଠାରେ ହୋଇଥିବା ଆଲୋଚନାରେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଆସନ୍ତାକାଲି ମଧ୍ୟରେ ସରକାରଙ୍କ ଲିଖିତ ପ୍ରତିଶ୍ରୁତି ମଧ୍ୟ ଆସିଯିବ। ତେବେ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟରେ ପରିଣତ ହେବା ଦରକାର। ସରକାର ତାଙ୍କ ପ୍ରତିଶ୍ରୁତି କେତେ ରକ୍ଷା କରୁଛନ୍ତି, ତାହା ଦେଖିବାର କଥା। ସେଥିପାଇଁ ସଂଘ ପକ୍ଷରୁ ଏକ ଡେଡଲାଇନ୍ କରାଯାଇଛି। ଜାନୁଆରୀ ୩୧ ହେଉଛି ଏହି ଡେଡ୍ ଲାଇନ୍। ତା’ମଧ୍ୟରେ ସରକାର ଦାବିଗୁଡ଼ିକୁ ପୂରଣ କରିବା ଦିଗରେ କେତେ ଉଦ୍ୟମ କରୁଛନ୍ତି, ତାହା ସଂଘ ଦେଖିବ। ଯଦି ସରକାର ପ୍ରତିଶ୍ରୁତି ରକ୍ଷା କରି କାର୍ଯ୍ୟ ନ କରନ୍ତି, ତା’ହେଲେ ଫେବ୍ରୁଆରୀ ୧ ତାରିଖରୁ ପୁଣି ଆନ୍ଦୋଳନ କରାଯିବ।

ଗତକାଲି ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ, ମେଡିକାଲର ବିଭିନ୍ନ ସମସ୍ୟା ଉପରେ ଆଲୋଚନ ହୋଇଥିଲା। ସମସ୍ୟାଗୁଡ଼ିକର ସମାଧାନ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ କେତେଗୁଡିଏ ସମୟସୀମା ଧାର୍ଯ୍ୟ କରାଯାଇଛି। ଏଥିପାଇଁ ସମସ୍ତଙ୍କ ସାହାଯ୍ୟ ଦରକାର।

ଭିଏସ୍ଏସ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲର ଭିତ୍ତିଭୂମିର ବିକାଶ ସହ ମୋଟ୍ ୯ ଦଫ। ଦାବିରେ ଜୁନିୟର ଡାକ୍ତରମାନେ ଗତ ୧୨ ତାରିଖରୁ ଆନ୍ଦୋଳନ ଚଳାଇଛନ୍ତି। ଦାବି ସଂପର୍କରେ ପୂର୍ବରୁ ଆରଡିସି ଓ ସ୍ଥାନୀୟ ବିଧାୟିକା ଜୁନିୟର ଡାକ୍ତରଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ସମାଧାନର ବାଟ ବାହାରି ପାରି ନ ଥିଲା।