ବୁର୍ଲା ମେଡିକାଲରେ ରୋଗୀଙ୍କୁ ସଂକ୍ରମିତ ରକ୍ତ ଦିଆଯିବା ଘଟଣା: ୭୨ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

vimsarସମ୍ବଲପୁର: ବୁର୍ଲା ବଡ଼ ମେଡିକାଲ୍‌ରେ ଦୁଇ ଜଣ ଚିକିତ୍ସାଧୀନ ରୋଗୀଙ୍କୁ ଏଚ୍‌ଆଇଭି ଓ ହେପାଟାଇଟିସ୍ ସଂକ୍ରମିତ ରକ୍ତ ଦିଆଯିବା ନେଇ ‘ଓଟିଭି’ରେ ଖବର ପ୍ରସାରିତ ହେବା ପରେ ୭୨ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ଡାକ୍ତରଖାନା ଅଧୀକ୍ଷକ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ପାଥୋଲୋଜି ବିଭାଗ ମୁଖ୍ୟଙ୍କ ନେତୃତ୍ୱରେ ଚାରି ଜଣିଆ କମିଟି ଖୋଳତାଡ଼ ଚଲାଇଛି। ଏହି କମିଟି ତା’ର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବା ପୂର୍ବରୁ ଆଜି ଅପରାହ୍ନରେ ସ୍ୱାସ୍ଥ୍ୟ ସଚିବଙ୍କୁ ପ୍ରାଥମିକ ରିପୋର୍ଟ ପ୍ରଦାନ କରିଛନ୍ତି ଭିମ୍‌ସାର ଅଧ୍ୟକ୍ଷ। ରିପୋର୍ଟରେ କ’ଣ ଉଲ୍ଲେଖ ରହିଛି ସେ ନେଇ କିନ୍ତୁ କିଛି କହି ନାହାନ୍ତି ଅଧ୍ୟକ୍ଷ ଡାକ୍ତର ବିଜୟ କୁମାର ଦତ୍ତ।

ଦୁଇ ଜଣ ରକ୍ତ ଦାତାଙ୍କ ମଧ୍ୟରୁ ହେପାଟାଇଟିସ୍‌-ସି ପଜିଟିଭ ରିପୋର୍ଟ ଆସିଥିବା ବ୍ୟକ୍ତିଙ୍କ ରକ୍ତ ନମୁନା ପୁଣି ଥରେ ସଂଗ୍ରହ କରାଯାଇଛି। ରାପିଡ୍ ଟେଷ୍ଟରେ ତାଙ୍କ ରକ୍ତ ନମୁନାରେ ହେପାଟାଇଟିସ୍-ସି ନେଗେଟିଭ୍ ଆସିଥିବା ବେଳେ ଆସନ୍ତାକାଲି ଏଲିସା ଟେଷ୍ଟ୍ ରିପୋର୍ଟ ଆସିବ। ଏଚ୍‌ଆଇଭି ପଜିଟିଭ ରିପୋର୍ଟ ଆସିଥିବା ବ୍ୟକ୍ତିଙ୍କଠାରୁ ରକ୍ତ ନମୁନା ସଂଗ୍ରହ ପାଇଁ ଯୋଗାଯୋଗ ଚାଲିଥିବା କହିଛନ୍ତି ଭିମସାର ଅଧୀକ୍ଷକ ଡାକ୍ତର ବ୍ରଜମୋହନ ମିଶ୍ର।

ସେ କହିଛନ୍ତି,“ଯଦି ଦୁଇଟି ଯାକ ରିପୋର୍ଟ ନେଗେଟିଭ୍ ଆସିଲା କଥା ସେଇଠି ସରିଯିବ। କିନ୍ତୁ ଯଦି ପଜିଟିଭ୍ ଆସିଲା ତା’ହେଲେ ରେଜିଷ୍ଟରରେ ନେଗେଟିଭ୍ ଓ କଂପ୍ୟୁଟରରେ ପଜିଟିଭ୍ କେମିତି ଲେଖାଗଲା ତା’ର ତଦନ୍ତ କରାଯିବ।”

ତେବେ ପ୍ରାଥମିକ ରିପୋର୍ଟ ପ୍ରସ୍ତୁତ କରିଥିବା ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ପ୍ରଫେସର ଡାକ୍ତର ଚିତ୍ତରଞ୍ଜନ ପ୍ରସାଦ ଗଣମାଧ୍ୟମକୁ ଯାହା କହିଛନ୍ତି ତାହା ଅଧିକ ଚର୍ଚ୍ଚାର ବିଷୟ ହୋଇଛି। ସେ କହିଛନ୍ତି,“କେଉଁଠି ନାଁ କେଉଁଠି ଟେଷ୍ଟ ରିପୋର୍ଟରେ ଅଦଳବଦଳ ହୋଇଥିବା ମନେ ହେଉଛି ଏବଂ ଭୀମସାରରେ କର୍ମଚାରୀ ଓ ବିଭାଗ ମଧ୍ୟରେ ଅନ୍ତର୍ଦ୍ୱନ୍ଦ୍ୱ ରହିଥିବା ସନ୍ଦେହ କରାଯାଉଛି।”

ପୂର୍ବରୁ ବୁର୍ଲା ମେଡିକାଲ୍ କଲେଜର ଏସ୍‌ଏନ୍‌ସିୟୁରେ ଶିଶୁ ବଦଳ ଘଟଣା ସତ୍ୟ ପ୍ରମାଣିତ ହୋଇଥିଲା। ଏବେ ରକ୍ତଭଣ୍ଡାର କର୍ତ୍ତୃପକ୍ଷଙ୍କ ବେପରୁଆ ମନୋଭାବ ଯୋଗୁଁ ରୋଗୀଙ୍କୁ ଏଚ୍‌ଆଇଭି ଓ ହେପାଟାଇଟିସ୍ ସଂକ୍ରମିତ ରକ୍ତ ଦିଆଯିବା ଘଟଣା ଭୀମସାରରେ ରୋଗୀ ସେବା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି।