ବୁର୍ଲା ମେଡିକାଲ: କାମରେ ଲାଗି ପାରିଲାନି, ଦୁଇଦିନ ପରେ ନଷ୍ଟ ହେବ ଶହ ଶହ ପ୍ୟାକେଟ୍ ରକ୍ତ

ସମ୍ବଲପୁର: ରକ୍ତଦାନ ମହତ ଦାନ, ରକ୍ତର ବିକଳ୍ପ ନାହିଁ। ଏମିତି ସ୍ଲୋଗାନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ରକ୍ତଦାନ ପାଇଁ ସଚେତନତା ସୃଷ୍ଟି କରାଯାଉଛି। ରକ୍ତଦାନ ଶିବିର ଆୟୋଜନ କରାଯାଇ ଶହ ଶହ ପ୍ୟାକେଟ ରକ୍ତ ସଂଗ୍ରହ କରାଯାଉଛି। ମାତ୍ର ସଂଗୃହିତ ରକ୍ତ ବ୍ୟବହାର ନ ହୋଇ ନଷ୍ଟ ହେଉଛି । ଏପରି ଅବସ୍ଥା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ବୁର୍ଲା ମେଡିକାଲରେ । ଆଉ ଦୁଇଦିନ ପରେ ଏହି ସବୁ ରକ୍ତ ପ୍ୟାକେଟର ଅବଧି ସରୁଛି । ହେଲେ ଅବଧି ସରିବା ପୂର୍ବରୁ ଏହାକୁ କାହିଁକି ବ୍ୟବହାର କରାଗଲା ନାହିଁ ତାହା ଏବେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଗୋଟିଏ ନୁହଁ କି ଦୁଇଟି ନୁହଁ ବୁର୍ଲା ମେଡିକାଲ ରକ୍ତଭଣ୍ଡାରରେ ନଷ୍ଟ ହେବାକୁ ବସିଛି ଶହ ଶହ ରକ୍ତ ପ୍ୟାକେଟ। ଏସବୁ ରକ୍ତର ଅବଧି ଆସନ୍ତା ୧୨ ତାରିଖରେ ସରୁଛି। ତେଣୁ ଏସବୁ ଏବେ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଏସବୁ ରକ୍ତ ପଡି ପଡି ନଷ୍ଟ ହୋଇଗଲା ତାହାର ଉତ୍ତର କାହା ପାଖରେ ନାହିଁ। ଅନ୍ୟପକ୍ଷେ ବ୍ଲଡ ବ୍ୟାଙ୍କର  ଅବଧି ସରି ନ ଥିବା ରକ୍ତ ବି ବ୍ୟବହାର ଅନୁପଯୋଗୀ ବୋଲି ଅନେକ ସମୟରେ ବିଭିନ୍ନ ବିଭାଗର ଡାକ୍ତର ବ୍ଲଡ ବ୍ୟାଙ୍କକୁ  ଲେଖି ଜଣାଇଛନ୍ତି। ବ୍ଲଡ ବ୍ୟାଙ୍କ ଦାୟିତ୍ୱରେ ଥିବା ଡାକ୍ତର ସୁଶାନ୍ତ କରଙ୍କୁ ଯୋଗାଯୋଗ କରାଯିବାରେ ସେ ଅଭିଯୋଗକୁ ଅସ୍ୱିକାର କରିଛନ୍ତି। ସେ କହିଛନ୍ତି ତାଙ୍କ ପାଖକୁ ସେପରି କୌଣସି ଅଭିଯୋଗ ଆସିନାହିଁ। ଏକ ରକ୍ତଦାନ ଶିବିରରୁ ୧୨୦୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଏଥିରୁ ୬୦ରୁ ୭୦ ୟୁନିଟ ରକ୍ତ ଖରାପ ଆସିଥିବ । ଏହି ରକ୍ତକୁ ବାହାରେ ଫିଙ୍ଗାଯାଇପାରିବ ନାହିଁ । ତେଣୁ ସେଠାରେ ରଖାଯାଇଥିବା ସେ କହିଛନ୍ତି।