ଦେବଗଡ଼ ବସ୍ ଦୁର୍ଘଟଣା: ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲା ଗଇଲୋ ଘାଟି ତଳକୁ ବସ୍‌ ଖସି ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ  ୨ଲକ୍ଷ ଲେଖାଏଁ ଟଙ୍କା ଓ ଆହତଙ୍କ ମାଗଣା ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟାରେ ଭାରତୀ ଗଣନାଟ୍ୟର ପ୍ରାୟ ୩୮ ଜଣ କଳାକାରଙ୍କୁ ନେଇ ବସ୍‌ଟି ଦେବଗଡ଼ରୁ ବରଗଡ଼ ଜିଲ୍ଲା ରେମତା ଆସୁଥିବା ବେଳେ ଗଇଲୋ ଘାଟିରେ ଭାରସାମ୍ୟ ହରାଇ ପ୍ରାୟ ୩୦୦ ଫୁଟ୍‌ ତଳକୁ ଖସି ପଡ଼ିଥିଲା। ବସ୍‌ଟି ତଳକୁ ଖସି ପଡିବା ପରେ ନିଆଁ ଲାଗି ଯାଇଥିଲା। ଏହି  ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିଲା।