୩ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର: ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଲାଗି ୧୨ ଶହ କୋଟି ବ୍ୟୟବରାଦ

ଭୁବନେଶ୍ୱର: ଆଜି ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଗଙ୍ଗାଧର ମେହେର ଲିଫ୍ଟ କେନାଲ୍ ସିଷ୍ଟମ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ ଲାଗି ୧୨୪୬.୫୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହି ପ୍ରକଳ୍ପ ଦ୍ୱାରା ବରଗଡ଼ ଜିଲ୍ଲାର ବିଜେପୁର, ସୋହେଲା ଓ ବରପାଲି ବ୍ଲକର ୨୫,୬୦୦ ହେକ୍ଟର ଜମିକୁ ପାଣି ଯୋଗାଣ ହୋଇପାରିବ। ମାର୍ଚ୍ଚ ସୁଦ୍ଧା ଏହାର ଟେଣ୍ଡର ସାରିବାକୁ କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା କୃଷିମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି।

ସେହିପରି ଭୁବନେଶ୍ୱର ସ୍ୱରେଜ୍ ପ୍ରକଳ୍ପ ପ୍ରସ୍ତାବ ଉପରେ ମଧ୍ୟ କ୍ୟାବିନେଟ୍ ମୋହର ଲାଗିଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଛନ୍ତି,“ଏହି ପ୍ରକଳ୍ପକୁ ୬ଟି ସ୍ୱରେଜ୍ ଜିଲ୍ଲାରେ ଭାଗ କରାଯାଇଛି। ଏହା କାର୍ଯ୍ୟକାରୀ ହେଲେ ସହରର ପ୍ରାୟ ୨୨.୧୮୬ ଲକ୍ଷ ଲୋକ ଉପକୃତ ହୋଇପାରିବେ।”

ବୈଠକରେ ପଞ୍ଚଦଶ ଓଡ଼ିଶା ବିଧାନସଭାର ଦଶମ ଅଧିବେଶନର ସତ୍ରାବସାନକୁ ମଧ୍ୟ ମଞ୍ଜୁରୀ ମିଳିଛି।