ଭୁବନେଶ୍ୱର: ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ ଆଜି ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାନ କରିଛନ୍ତି। ରାଜସ୍ୱ, ସରକାରୀ ଉଦ୍ୟୋଗ ଓ ସମାଜିକ କ୍ଷେତ୍ର ପାଇଁ ସେ ସିଏଜି ରିପୋର୍ଟ ଉପସ୍ଥାନ କରିଥିଲେ। ଧାନ କିଣାରେ ବ୍ୟାପକ ଅନିୟମିତତା ହୋଇଥିବା କଥା ସିଏଜି ରିପୋର୍ଟରୁ ଜଣାପଡ଼ିଛି।
ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି, ୨୦୧୦ରୁ ୨୦୧୫ ମଧ୍ୟରେ ସିଭିଲ୍ ସପ୍ଲାଏ କର୍ପୋରେସନ୍ ୨୫,୫୦୯ କୋଟି ଟଙ୍କାର ଧାନ କିଣିଛି। କିନ୍ତୁ କେନ୍ଦ୍ରକୁ ଆକାଉଣ୍ଟ ରିପୋର୍ଟ ଦେବାରେ ବିଳମ୍ବ ଯୋଗୁଁ ୫୮୧ କୋଟି ଟଙ୍କା ହରାଇଛି। ବହୁ ଧାନ ସଂଗ୍ରହ କେନ୍ଦ୍ର ଠିକରେ କାମ କରୁନି। ଏପରି କେନ୍ଦ୍ର ଥିବା ଚାଷୀ ମଧ୍ୟ ଜାଣି ନାହାନ୍ତି।
ମିଲର ଚିହ୍ନଟରେ ବି ଘପଲାତି ହୋଇଛି। ରିପୋର୍ଟରେ ଉଲ୍ଲେଖ ରହିଛି, ଆବଶ୍ୟକୀୟ ଦସ୍ତାବିଜ୍ ତଥା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ପ୍ରମାଣପତ୍ର, ଜିଲ୍ଲା ଶିଳ୍ପକେନ୍ଦ୍ର ଠାରୁ ପଞ୍ଜୀକରଣ ପ୍ରମାଣପତ୍ର ଇତ୍ୟାଦି ଯାଞ୍ଚ ନ କରି ୨୦୧୦ରୁ ୨୦୧୫ ମଧ୍ୟରେ ୨୧୧ ମିଲରଙ୍କୁ ଚୟନ କରାଯାଇଥିଲା। ଧାର୍ଯ୍ୟ ସୀମା ୫.୭୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ବଦଳରେ ୧୭୦ ଜଣ ମିଲରଙ୍କୁ ୯.୪୮ ଲକ୍ଷ ମେଟ୍ରିକ୍ ଟନ୍ ଧାନ ବିତରଣ ନିମନ୍ତେ ଅନୁମତି ଦିଆଯାଇଥିଲା। ଫଳରେ ୩.୭୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଅଧିକ ବିତରଣ ହୋଇଥିଲା।
ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି, ଧାନର ମାନ ନମାପି ଚାଷୀମାନଙ୍କ ଦ୍ୱାରା ବିକ୍ରି ପାଇଁ ପ୍ରଦତ୍ତ ପରିମାଣରୁ ୨ରୁ୪ କେଜି କାଟି ଦିଆଯାଇଛି। ଫଳରେ ୨୦୧୦ରୁ ୨୦୧୫ ମଧ୍ୟରେ ୩୦୫.୧୭ କୋଟି ଟଙ୍କାର ୨.୫୧ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଅନୁଚିତ ଭାବେ ମିଲରମାନଙ୍କୁ ସମ୍ଭବତଃ ଯୋଗାଇ ଦିଆଯାଇଥିଲା।
ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ପାଖରେ ଧାନ ସଂଗ୍ରହ କେନ୍ଦ୍ର ଥାଇ ମଧ୍ୟ ବୁହା ଖର୍ଚ୍ଚ ହଡ଼ପ ପାଇଁ ୧୨ରୁ ୧୮୫ କିଲୋମିଟର ଦୂରରେ ଧାନ ସଂଗ୍ରହ କେନ୍ଦ୍ର ବଛାଯାଇଛି। ୪ଟି ନମୁନା ଜିଲ୍ଲାରେ ଏହି ଭଳି କରି ୬୧.୧୪ ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ୨୦୧୦ରୁ ୨୦୧୪ ମଧ୍ୟରେ ମିଲରମାନଙ୍କ ଦ୍ୱାରା ୦.୭୨ ଲକ୍ଷ ମେଟ୍ରିକ୍ ଟନ୍ କମ୍ ଚାଉଳ (ସିଏମ୍ଆର୍) ପ୍ରଦାନ କରାଯାଇଥିଲା। ନମୁନା ଯାଞ୍ଚ ଜିଲ୍ଲାଗୁଡ଼ିକରେ ୨୦ ଜଣ ମିଲର ୧୧,୨୪୩ ମେଟ୍ରିକ୍ ଟନ୍ ଧାନ ଆତ୍ମସାତ୍ କରିଛନ୍ତି। ସେମାନେ ଆତ୍ମସାତ କରିଥିବା ଧାନର ମୂଲ୍ୟ ୪୦.୭୮ କୋଟି ଟଙ୍କା।
ସିଏଜି ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ଜମି ନ ଥିବା ୧୯ ଜଣ ଚାଷୀଙ୍କ ଠାରୁ ୧୯୧୪ କ୍ୱିଣ୍ଟାଲ ଧାନ କିଣାଯାଇଛି। ଚାଷୀଙ୍କ ପରିଚୟ ନଜାଣି ସେମାନଙ୍କଠାରୁ ଧାନ କିଣାଯାଇଛି। ପ୍ରକୃତ ଚାଷୀଙ୍କୁ ପଇସା ପାଇବାକୁ ୬ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି। ସାତଟି ନମୁନା ଜିଲ୍ଲାରେ ୧୮,୦୦୧.୯୬ ମେଟ୍ରିକ୍ ଟନ୍ ଧାନ ବାବଦରେ ୨,୬୩୫ ଚାଷୀଙ୍କୁ ୨୨.୬୧ କୋଟି ଟଙ୍କାର ନ୍ୟୁନତମ ସହାୟକ ମୂଲ୍ୟ (ଏମ୍ଏସ୍ପି) ୨ରୁ ୧୮୮ ଦିନ ବିଳମ୍ବରେ ପ୍ରଦାନ କରାଯାଇଥିଲା।
୨୦୧୪-୧୫ ଆର୍ଥିକ ବର୍ଷରେ ଧାନ ସଂଗ୍ରହ ଆକଳନ ଠିକ୍ ନ ଥିଲା ବୋଲି ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଏହି ବର୍ଷ ମୋଟ ଉତ୍ପାଦିତ ଧାନର କେବଳ ୬୩% ସଂଗ୍ରହ କରିବାକୁ ଧାର୍ଯ୍ୟ କରାଯାଇଥିଲା।
ମିଲରମାନଙ୍କ ନିକଟକୁ ଧାନ ପଠାଯିବା ପୂର୍ବରୁ ଧାନକୁ ସୁରକ୍ଷିତ ଭାବେ ଗଚ୍ଛିତ ରଖିବା ପାଇଁ ୨୦୧୪ ଡିସେମ୍ବର ମାସରେ ୧.୨୪ କୋଟି ଟଙ୍କା ମୂଲ୍ୟର ଛାଉଣୀ ଓ ମେଜିଆ ଆବରଣ କ୍ରୟ କରାଯାଇ ଅବ୍ୟବହୃତ ରଖାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।