ସିବିଏସ୍‌ଇ ଗାଇଡ୍‌ଲାଇନ୍‌: ଶିକ୍ଷକମାନେ କେବଳ ପାଠ ପଢ଼ାଇବେ

ଭୁବନେଶ୍ୱର: ସିବିଏସ୍‌ଇ ସ୍କୁଲ ଗୁଡ଼ିକରେ ଶିକ୍ଷକମାନେ କେବଳ ପାଠ ପଢ଼ାଇବେ। ଅନ୍ୟ କିଛି କାମ କରିବେନାର୍ହି। ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ସିବିଏସ୍‌ଇ କର୍ତ୍ତୃପକ୍ଷ ଏପରି ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛନ୍ତି।

ଇଣ୍ଟରନେଟ୍‌ ଓ ଭିଜୁଆଲ୍‌ ମିଡିଆର ପ୍ରସାର ସତ୍ତ୍ୱେ ପାଠ ପଢ଼ାଇବାରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଣୁ ଶିକ୍ଷକମାନଙ୍କ ମୂଲ୍ୟବାନ ସମୟକୁ ଅପଚୟ ନକରି କେବଳ ପାଠ ପଢ଼ାରେ ବିନିଯୋଗ କରିବା ପାଇଁ ଶିକ୍ଷା ଅଧିକାର ଆଇନ୍‌ ୨୦୦୯ ଧାରା ୨୭ରେ ଉଲ୍ଲେଖ ରହିଛି।  ଏହି ନିୟମ ଅନୁଯାୟୀ ଶିକ୍ଷକମାନେ ପିଲାଙ୍କ ମେଧା ବୃଦ୍ଧି ପ୍ରତି ଧ୍ୟାନ ଦେବେ। ପାଠ ପଢ଼ା ସାଙ୍ଗକୁ ବୃତ୍ତିଗତ ପ୍ରଶିକ୍ଷଣ, ପରୀକ୍ଷା ପରିଚାଳନା ଓ ଖାତା ମୂଲ୍ୟାୟନ କାମ କରିବେ। ମାତ୍ର ପିଲାଙ୍କୁ ନେବା ଆଣିବା, କ୍ୟାଣ୍ଟିନ୍‌ ଓ ହଷ୍ଟେଲ ପରିଚାଳନା ଏବଂ ସ୍କୁଲର ଦୈନିକ କାମରେ ନିୟୋଜିତ ହେବେନି। ଏହାଛଡ଼ା ଜନଗଣନା, ବିପର୍ଯ୍ୟୟ ସମୟରେ ରିଲିଫ୍‌ ବଣ୍ଟନ ଓ ନିର୍ବାଚନ ପରିଚାଳନା ପରି କାମ କରିବେ ନାହିଁ। ଏହି ଆଇନ୍‌କୁ କଡାକଡ଼ି ଭାବେ ପାଳନ କରିବା ପାଇଁ ସିବିଏସ୍‌ଇ ଦ୍ୱାରା ପରିଚାଳିତ ସମସ୍ତ ସ୍କୁଲ ତଥା କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ, ନବୋଦୟ ବିଦ୍ୟାଳୟ ସଙ୍ଗଠନ, ସିବିଏସ୍‌ଇର ସମସ୍ତ ଆଞ୍ଚଳିକ ନିର୍ଦ୍ଦେଶ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି।

ଡିଏଭି ଶିକ୍ଷାନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ କେଶବ ଚନ୍ଦ୍ର ଶତପଥୀ କହିଛନ୍ତି,“ସିବିଏସ୍‌ଇ ଗାଇଡ୍‌ଲାଇନ୍‌ରେ କିଛି ପରିବର୍ତ୍ତନ କରାଯାଇଛି। ଏହାକୁ ଆମେ ସ୍ୱାଗତ କରୁଛୁ। ଏହି ଗାଇଡ୍‌ଲାଇନ୍‌ ଶିକ୍ଷକମାନଙ୍କୁ ସମୃଦ୍ଧି କରିବା ସହିତ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଆଗ୍ରହ କରାଇବ।”

ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ସିବିଏସ୍‌ଇ କର୍ତ୍ତୃପକ୍ଷଙ୍କ ଏପରି ଉଦ୍ୟମ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏହି ନିୟମକୁ ରାଜ୍ୟର ସମସ୍ତ ସ୍କୁଲରେ କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ମତ ଦେଇଛନ୍ତି ଶିକ୍ଷାବିତ।

ଶିକ୍ଷାବିତ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି,“କେନ୍ଦ୍ର ସରକାର ଏହି ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଓଡ଼ିଶା ସମେତ ପ୍ରତି ରାଜ୍ୟରେ ଏହା ଲାଗୁ ହେବା କଥା। ଶିକ୍ଷକମାନଙ୍କୁ ଯାବତୀୟ କାମରେ ନିୟୋଜିତ କରାଯିବା ଉଚିତ ନୁହେଁ।”