କେନ୍ଦ୍ର ବଜେଟ୍ ପରେ ରାଜ୍ୟ ବଜେଟ୍!

ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ପରେ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିପାରନ୍ତି। ଗତବର୍ଷ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ବନ୍ଦ ଓ ଅନୁଦାନ ହ୍ରାସ କରିଥିବାରୁ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ଏଭଳି ଚିନ୍ତା କରୁଛନ୍ତି। ଏନେଇ ବିଚାରବିମର୍ଶ ଚାଲିଛି। ଅନ୍ୟପକ୍ଷରେ ରାଜ୍ୟ ବଜେଟ୍ ନେଇ ଆସନ୍ତା ୧ ତାରିଖରେ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଛନ୍ତି।

କେନ୍ଦ୍ର ସରକାର ବିଭିନ୍ନ ଯୋଜନା ବନ୍ଦ ଓ ଅନୁଦାନ ହ୍ରାସ କରିଥିବାରୁ ରାଜ୍ୟ ସରକାର ବିଭିନ୍ନ ସ୍କିମରେ ଅର୍ଥ ହରାଉଛନ୍ତି। ଏଥିପାଇଁ ରାଜ୍ୟ ଅର୍ଥରୁ ଭରଣା କରିବାକୁ ପଡୁଛି। ଯେଉଁଥିପାଇଁ ସରକାରଙ୍କୁ ଅତିରିକ୍ତ ଆର୍ଥିକ ବୋଝ ପଡୁଛି। ଏବେ ସରକାର ଖୋଲା ବଜାରରୁ ୩,୫୦୦ କୋଟି ଟଙ୍କା କରଜ କରିଥିବା ଜଣାପଡ଼ିଛି। ତେଣୁ କେନ୍ଦ୍ର ସରକାର ବଜେଟରେ ଓଡ଼ିଶାକୁ କେଉଁ କ୍ଷେତ୍ରକୁ କେତେ ଅର୍ଥ ଦେବେ ତାହା ଜଣାପଡ଼ିବା ପରେ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଆଣିପାରନ୍ତି। ତା’ପୂର୍ବରୁ କାମଚଳା ବଜେଟ୍ ଆଣିବା ପାଇଁ ବିଚାରବିମର୍ଶ ଚାଲିଥିବା କୁହାଯାଉଛି। ତେବେ ଏଭଳି ଚର୍ଚ୍ଚାକୁ ଏଡ଼ାଇ ଯାଇଛନ୍ତି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ। ସେ କେବଳ ଏତିକି କହିଛନ୍ତି ଯେ କେନ୍ଦ୍ର ସରକାର ବିଭିନ୍ନ ସମୟରେ ଅନୁଦାନ କାଟି ଦେଉଥିବାରୁ ରାଜ୍ୟ ସରକାରଙ୍କ ଉପରେ ଅଧିକ ବୋଝ ପଡୁଛି। ତେବେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼ାଇ କହିଛନ୍ତି, କେନ୍ଦ୍ର ବଜେଟ୍ ପରେ ରାଜ୍ୟ ବଜେଟ୍ ଆଣିଲେ ଭଲ। ସେ କହିଛନ୍ତି ଯେ କେନ୍ଦ୍ରର ବଜେଟ୍ ପରେ ରାଜ୍ୟ ସରକାର ପାଇବାକୁ ଥିବା ଅନୁଦାନ ନେଇ ଏକ ସ୍ପଷ୍ଟ ଚିତ୍ର ପାଇଯିବେ। ତେଣୁ କେନ୍ଦ୍ର ବଜେଟ ପରେ ରାଜ୍ୟ ବଜେଟ୍ କଲେ କିଛି ଅସୁବିଧା ନାହିଁ। ଏହା ଭଲ ହେବ। କେନ୍ଦ୍ର ବଜେଟ୍ ପୂର୍ବରୁ ରାଜ୍ୟ ସରକାର ଏକ କାମଚଳା ବଜେଟ୍ ଆଣିପାରିବେ।

ବଜେଟ୍ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାରୁ ବଜେଟ୍ ସେସନ୍ କେବେ ଆରମ୍ଭ ହେବ ସେନେଇ ବିଧାନସଭା ତାରିଖ ଧାର୍ଯ୍ୟ ହୋଇନାହିୱ। ବଜେଟ୍ ଉପରେ ଆଲୋଚନା ନେଇ ଆସନ୍ତା ୧ ତାରିଖରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ବିଧାୟକ ତଥା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି, ଓଡ଼ିଶାବାସୀଙ୍କର ଯାହା ଦରକାର ଅଛି ତାହାକୁ ବଜେଟରେ ସ୍ଥାନିତ କରିବାକୁ ପ୍ରାକ୍ ପ୍ରସ୍ତୁତି ବୈଠକରେ ଆମେ ଉପସ୍ଥାପନ କରିବୁ। କିନ୍ତୁ ସେଗୁଡ଼ିକ ଯଦି ବଜେଟରେ ସ୍ଥାନିତ ନ ହେବ, ତା’ହେଲେ ଏହାକୁ ସର୍ବଦଳୀୟ ବୈଠକର ଅବମାନନା ବୋଲି ଧରାଯିବ। ସେହିପରି ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ରାଜ୍ୟର ଭଲ ପାଇଁ ପ୍ରସ୍ତାବ ଦିଆଯିବ।