ଚମ୍ପୁଆ, ବାଲିଗୁଡା ଏନଏସି ନିର୍ବାଚନ ଲାଗି ସରିଲା ପ୍ରଚାର,୧୯ରେ ନିର୍ବାଚନ

bjpକେନ୍ଦୁଝର/କନ୍ଧମାଳ: ଚମ୍ପୁଆ ଓ ବାଲିଗୁଡ଼ା ଏନ୍ଏସି ନିର୍ବାଚନ ପାଇଁ ପ୍ରଚାର ଆଜି ଶେଷ ହୋଇଛି। ଏହି ଦୁଇ ଏନ୍ଏସିକୁ ହାତେଇବା ପାଇଁ ଶେଷ ଦିନରେ ଜୋରଦାର୍ ପ୍ରଚାର କରିଥିଲେ ସବୁ ପ୍ରମୁଖ ରାଜନୈତିକ ଦଳ। ଉଭୟ ଏନ୍ଏସିରେ ଆସନ୍ତା ୧୯ ତାରିଖରେ ମତଦାନ ହେବ।

୧୩ ୱାର୍ଡ ବିଶିଷ୍ଟ ବାଲିଗୁଡ଼ା ଏନ୍ଏସିରେ ଆଜି ବିଜେଡି ପକ୍ଷରୁ ମନ୍ତ୍ରୀ ପ୍ରଦୀପ ଅମାତ୍, ବିକ୍ରମ କେଶରୀ ଆରୁଖ, ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରଦୀପ ପାଣିଗ୍ରାହୀ ଓ ଅନ୍ୟ ୫ଜଣ ବିଧାୟକ ପ୍ରଚାର କରିଥିଲେ। ସେହିପରି କଂଗ୍ରେସ୍ ପକ୍ଷରୁ ମହମ୍ମଦ ମୋକିମ୍, ବାପି ସର୍ଖେଲ୍, ରମେଶ ଜେନା ପ୍ରମୁଖ ପ୍ରଚାର କରିଥିବା ବେଳେ ଶନିବାର ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଭୋଟ୍ ଭିକ୍ଷା କରିଥିଲେ। ବିଜେପି ପକ୍ଷରୁ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ସୁକାନ୍ତ ପାଣିଗ୍ରାହୀ ପ୍ରମୁଖ ଘରକୁ ଘର ବୁଲି ପ୍ରଚାର କରିଥିଲେ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଶରୀ ଆରୁଖ ଏବଂ ବିଜେପି ନେତ୍ରୀ ସୁରମା ପାଢୀ ସବୁ ୱାର୍ଡରେ ତାଙ୍କ ଦଳୀୟ ପ୍ରାର୍ଥୀ ବିଜୟୀ ହେବେ ବୋଲି ଦାବି କରିଛନ୍ତି।congress

ଗତକାଲି ପ୍ରଚାରରେ ଯାଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ, ସାଧାରଣ ଲୋକ ହେଉଛନ୍ତି ଶାସକ ଓ ଆମେ ତାଙ୍କ ସେବକ। ଆମେ ସେବକ ଭାବେ ସେବା କରିବାକୁ ପହଞ୍ଚିଛୁ।

ସେହିପରି ଚମ୍ପୁଆ ଏନ୍ଏସିକୁ ହାତେଇବା ପାଇଁ ବି ସବୁ ଦଳ ମଧ୍ୟରେ ଯୋରଦାର ଲଢେ଼ଇ ଦେଖିବାକୁ ମିଳିଛି। ବିଶେଷ କରି କେନ୍ଦୁଝର ପୌରାଧ୍ୟକ୍ଷା ପଦ ହରାଇବା ପରେ ଏବେ ଚମ୍ପୁଆ ଏନ୍ଏସି ଜିତିବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ତେଣୁ ମନ୍ତ୍ରୀଠାରୁ ବିଧାୟକ, ଏପରି ଷ୍ଟାର କ୍ୟାମ୍ପେନର ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାତିଦିନ ଏକ୍ କରିଦେଇଛନ୍ତି। ଆଜି ପ୍ରଚାରର ଶେଷ ଦିନରେ ମୈଦାନକୁ ଓହ୍ଲାଇଛନ୍ତି ବିଜେଡ଼ିର ବହୁ ହେଭିୱେଟ୍ ନେତା। ବିଶେଷ କରି ଶକ୍ତିମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରଚାର ମଙ୍ଗ ଧରିଛନ୍ତି।bjd

ପ୍ରଚାର ଶେଷ ଦିନରେ ବିଜେପି ପକ୍ଷରୁ ପୂର୍ବତନ ସାଂସଦ ରୁଦ୍ର ପାଣି ଓ ଷ୍ଟାର କ୍ୟାମ୍ପେନର୍ ପିଙ୍କି ପ୍ରଧାନ ମୈଦାନକୁ ଓହ୍ଲାଇଥିଲେ। କଂଗ୍ରେସ୍ ଭରସା କରିଥିଲା ସ୍ଥାନୀୟ ନେତାଙ୍କ ଉପରେ। ତେବେ ସବୁ ନିର୍ଭର କରୁଛି ଜନତା ଜନାର୍ଦ୍ଦନଙ୍କ ଉପରେ।

ଚମ୍ପୁଆବାସୀ ବିକାଶକୁ ଆଧାର କରି ଭୋଟ ଦେବେ ବୋଲି କହିଛନ୍ତି। ବହୁ ଭୋଟର ଗତ ନିର୍ବାଚନରେ ମିଳିଥିବା ପ୍ରତିଶ୍ରୁତି ପୂରଣ ହୋଇ ନ ଥିବା ଅଭିଯୋଗ କରିଛନ୍ତି। ଚଳିତ ନିର୍ବାଚନରେ ଏପରି ପ୍ରାର୍ଥୀଙ୍କୁ ସେମାନେ ଜିତାଇବାକୁ ଚାହୁଁଛନ୍ତି, ଯିଏ ସେମାନଙ୍କ ସମସ୍ୟାର ସମାଧାନ କରିପାରିବ ବୋଲି କହିଛନ୍ତି।