ଚାଷୀ ଆତ୍ମହତ୍ୟା ତଦନ୍ତ ରିପୋର୍ଟକୁ ନେଇ ବିଧାନସଭାରେ ସରକାର ହଟହଟା

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ବେଶ ସରଗରମ ହୋଇଥିଲା। ତଦନ୍ତ ରିପୋର୍ଟରେ ଚାଷୀ ଆତ୍ମହତ୍ୟାର କାରଣ ବଦଳି ଯିବାକୁ ନେଇ ବିରୋଧୀ ଆଜି ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡା କରାଇଥିଲେ। ଏହାକୁ ନେଇ ଗୃହରେ ରାଜ୍ୟ ସରକାରଙ୍କୁ ହଟହଟା ହେବାକୁ ପଡିଥିଲା। ବଲାଙ୍ଗିର ଜିଲ୍ଲା ହରଭଙ୍ଗାରେ ଜଣେ ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ସରକାରଙ୍କୁ ଗୃହରେ ଏପରି ଟାର୍ଗେଟ କରିଥିଲେ ବିରୋଧୀ। ସ୍ଥାନୀୟ ଥାନା ଅଧିକାରୀ ତଦନ୍ତରେ ଫସଲହାନି ଆତ୍ମହତ୍ୟାର କାରଣ ବୋଲି କହିଥିବା […]

narashingha-kv-pratap

narashingha-kv-pratap

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 03:32 PM IST

Sports

Latest News

ଭୁବନେଶ୍ୱର: ଚାଷୀ ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ବେଶ ସରଗରମ ହୋଇଥିଲା। ତଦନ୍ତ ରିପୋର୍ଟରେ ଚାଷୀ ଆତ୍ମହତ୍ୟାର କାରଣ ବଦଳି ଯିବାକୁ ନେଇ ବିରୋଧୀ ଆଜି ରାଜ୍ୟ ସରକାରଙ୍କୁ କାଠଗଡ଼ାରେ ଛିଡା କରାଇଥିଲେ। ଏହାକୁ ନେଇ ଗୃହରେ ରାଜ୍ୟ ସରକାରଙ୍କୁ ହଟହଟା ହେବାକୁ ପଡିଥିଲା। ବଲାଙ୍ଗିର ଜିଲ୍ଲା ହରଭଙ୍ଗାରେ ଜଣେ ଚାଷୀଙ୍କ ଆତ୍ମହତ୍ୟାକୁ ନେଇ ସରକାରଙ୍କୁ ଗୃହରେ ଏପରି ଟାର୍ଗେଟ କରିଥିଲେ ବିରୋଧୀ। ସ୍ଥାନୀୟ ଥାନା ଅଧିକାରୀ ତଦନ୍ତରେ ଫସଲହାନି ଆତ୍ମହତ୍ୟାର କାରଣ ବୋଲି କହିଥିବା ବେଳେ ସରକାରଙ୍କ ପାଖକୁ ଯାଇଥିବା ରିପୋର୍ଟ ବଦଳି ଯାଇଥିଲା, ଯାହାକୁ ବିରୋଧୀ ଇସ୍ୟୁ କରିଥିଲେ। ଏପରି କି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଚାଷୀ ଆତ୍ମହତ୍ୟା ପାଇଁ ବଲାଙ୍ଗିର ଉପଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି।

ହରଭଙ୍ଗା ଗାଁରେ ଆତ୍ମହତ୍ୟା କରିଥିବା ଚାଷୀ ନନ୍ଦିଘୋଷ ବାରିକଙ୍କ ଘରେ ତଦନ୍ତ କରି ଫେରିବା ପରେ ଲୋଇସିଂହା ଥାନା ଅଧିକାରୀ ଅନ୍ତର୍ଯ୍ୟାମୀ ପ୍ରଧାନ କହିଥିଲେ, “ଗତ ମାର୍ଚ୍ଚ ୧୮ ତାରିଖ ସନ୍ଧ୍ୟାରେ ବର୍ଷା ଓ କୁଆପଥର ହୋଇ ଫସଲ ନଷ୍ଟ ହୋଇଯାଇଥିଲା। କ୍ଷେତକୁ ଯାଇ ନିଜେ ମୁଁ ଏହା ଦେଖିଛି, ଗ୍ରାମବାସୀ ମଧ୍ୟ କହିଛନ୍ତି। ଫଳରେ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିଛନ୍ତି।” ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ତଦନ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି, ନନ୍ଦିଘୋଷ ୨୯,୦୧୨ ଟଙ୍କା ଋଣ କରିଥିଲେ। ଗାଁ ଲୋକଙ୍କ କହିବା ଅନୁସାରେ ନନ୍ଦିଘୋଷ ଫସଲହାନି ଯୋଗୁଁ ଆତ୍ମହତ୍ୟା କରିଛନ୍ତି। ହେଲେ ତଦନ୍ତ ରିପୋର୍ଟ ଶେଷରେ ଉଲ୍ଲେଖ ରହିଛି, ୪ ଜଣିଆ ଟିମ୍‌ ସିଦ୍ଧାନ୍ତରେ ଉପନୀତ ହେଲେ ଯେ, ନନ୍ଦିଘୋଷ ଫସଲହାନି ଯୋଗୁଁ ଆତ୍ମହତ୍ୟା କରିନାହାନ୍ତି। ଆତ୍ମହତ୍ୟା କରିବାର ପୂର୍ବଦିନ ରାତିରେ ସେ ନିଜ ପତ୍ନୀଙ୍କ ସହ କଳହ କରିଥିଲେ।

ନନ୍ଦିଘୋଷଙ୍କ ଆତ୍ମହତ୍ୟାକୁ ନେଇ ପୋଲିସ ଓ ଜିଲ୍ଲା ପ୍ରଶାସନ କଥାରେ ତାଳମେଳ ରହୁନାହିଁ। ଏହାକୁ ବିରୋଧୀ ଦଳ ନେତା ମିଶ୍ର ଗୃହରେ ଉଠାଇ ନନ୍ଦିଘୋଷଙ୍କ ଆତ୍ମହତ୍ୟା ପାଇଁ ବଲାଙ୍ଗିର ଉପଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି। ଖରାଦିନେ କାହିଁକି ଫସଲ କରିଛ ବୋଲି ଉପଜିଲ୍ଲାପାଳ ଦେଇଥିବା ବୟାନ ନନ୍ଦିଘୋଷଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ବିଜେପି ବିଧାୟକ କନକବର୍ଦ୍ଧନ ସିଂ ଦେଓ ବି ଏହି ପ୍ରସଙ୍ଗରେ ସରକାରଙ୍କ ପାଖରୁ ଜବାବ ମାଗିଛି।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, “ଉପଜିଲ୍ଲାପାଳ କୌଣସି ପ୍ରତିଶ୍ରୁତି ଦେଲେ ନାହିଁ। ଓଲଟା ଚାଷୀଙ୍କୁ କଟୁ କଥା କହିଲେ। ପ୍ରଶାସନର ଏପରି ମନୋଭାବ ଯୋଗୁଁ ଚାଷୀ ଆତ୍ମହତ୍ୟା କଲେ।”

ବିଜେପି ବିଧାୟକ କନକବର୍ଦ୍ଧନ ସିଂହଦେଓ କହିଛନ୍ତି, “ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଥିବା ଅଞ୍ଚଳରେ ଏଲଆଇ ପଏଣ୍ଟ ଅଛି। ହେଲେ ଉପଜିଲ୍ଲାପାଳ ସେଠାକୁ ଯାଇ ଖରାଦିନେ ଚାଷ କରିବାକୁ କିଏ କହିଲା ବୋଲି ପ୍ରଶ୍ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର କଥା। ଏହାର ଜବାବ ସରକାର ଦିଅନ୍ତୁ।

ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି, “ଜିଲ୍ଲାପାଳ ଓ ଏସ୍‌ପି ଏହି ଘଟଣାର ତଦନ୍ତ କରୁଛନ୍ତି। ସେ ଉପଜିଲ୍ଲାପାଳ ହୁଅନ୍ତୁ ଅବା ଆଉ କିଏ, ଏପରି ଘଟଣା ପାଇଁ ଯେଉଁମାନ ଦାୟୀ ସେମାନଙ୍କ ବିରୋଧରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos