ଛତିଶଗଡ଼: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୭ ସିଆର୍‌ପିଏଫ୍ ଯବାନ ସହିଦ

Mao balstମାଲକାନଗିରି/ରାୟପୁର: ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲା ଅନ୍ତତର୍ଗତ ମେଲାୱାଡ଼ା ଗାଁ ନିକଟରେ ବୁଧବାର ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୭ ଜଣ ଯବାନ ସହିଦ ହୋଇଛନ୍ତି। ସହିଦ ଯବାନମାନେ ସିଆର୍‌ପିଏଫ୍‌ ୨୩୦ ବାଟାଲିୟନର। ଏହି ଘଟଣା ପରେ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି।

ସହିଦ ଯବାନମାନେ ହେଲେ ଡି. ବିଜୟ ରାଜ, ପ୍ରଦୀପ ତିର୍କୀ, ରୁପ୍ ନାରାୟଣ ଦାସ, ଦେବେନ୍ଦ୍ର ଚୌରାସିଆ, ରଞ୍ଜନ ଦାସ, ଏସ୍‌ଏନ୍‌ ଉଦୟ ସିଂହ ଓ ଜେ. ରାଜେନ୍ଦ୍ରନ।

ସିଆର୍‌ପିଏଫ୍ ପକ୍ଷରୁ କୁହାଯାଇଛି, ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଏ ଘଟଣା ଘଟିଛି।  ଏକ ଟାଟା ୭୦୯ ମିନି ଟ୍ରକ୍‌ରେ ୭ ଜଣ  ଯବାନ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ ମିନି ଟ୍ରକ୍‌ଟି ଖଣ୍ଡ ଖଣ୍ଡ ହୋଇଯାଇଛି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ସ୍ଥାନରେ ପ୍ରାୟ ଚାରି ଫୁଟର ଗାତ ସୃଷ୍ଟି ହୋଇଛି। ସମସ୍ତ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଯବାନଙ୍କ ଦେହ ଖଣ୍ଡବିଖଣ୍ଡିତ ହୋଇ ରାସ୍ତାରେ ପଡ଼ିଥିଲା।

ସହିଦ ଯବାନମାନେ ବସ୍ତର ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନରେ ମୁତୟନ ହୋଇଥିଲେ।

ସୂଚନାଯୋଗ୍ୟ, ଗତକାଲି ଛତିଶଗଡ଼ର ନକ୍ସଲ ପ୍ରଭାବିତ ନାରାୟଣପୁର ଜିଲ୍ଲାରେ ଏକ ଏନ୍‌କାଉଣ୍ଟରରେ ପୋଲିସ୍‌ ଗୁଳିରେ ତିନି ଜଣ ମାଓବାଦୀ ନିହତ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ମହିଳା ମାଓବାଦୀ ମଧ୍ୟ ଥିଲେ।