ମହାନଦୀ ପାଣି ପୁଣି ଅଟକାଇଲା ଛତିଶଗଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାନଦୀ ଜଳକୁ ନେଇ ପୁଣି ଆରମ୍ଭ ହୋଇଛି ବିବାଦ। ଛତିଶଗଡ ଦାଦାଗିରି କରି ହୀରାକୁଦ ଉପର ମୁଣ୍ଡରେ ଥିବା କଲମା ବ୍ୟାରେଜରେ ପାଣିକୁ ଅଟକାଇଛି। ବ୍ୟାରେଜରେ ୬୬ ଗ୍ୟାଟ୍‌ରୁ ୬୪ ଗେଟ୍ ବନ୍ଦ କରି ଦେଇଛି ଛତିଶଗଡ଼ ସରକାର। ଯାହା ଦ୍ୱାରା ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ କମିଛି। ତେବେ ଗତବର୍ଷ ଅଣମୌସୁମୀ ସମୟରେ ଜଳପ୍ରବାହ ସାଂଘାତିକ ପରିମାଣର କମିଥିବାରୁ ରାଜ୍ୟ ସରକାର ଚଳିତ ବର୍ଷ ମଧ୍ୟ ସେପରି ଜଳ ପ୍ରବାହ କମିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଏଥିପ୍ରତି ଉଦବେଗ୍ ପ୍ରକାଶ କରି ଜଳସଂପଦ ବିଭାଗ ମାସକ ଭିତରେ ଛତିଶଗଡ଼କୁ ତିନୋଟି ଚିଠି ଲେଖିଛି। ଜଳସଂପଦ ସଚିବ ପ୍ରଦୀପ ଜେନା ମଧ୍ୟ ଛତିଶଗଡ଼ ଜଳସଂପଦ ବିଭାଗକୁ ଗତ ୨୪ ତାରିଖରେ ଚିଠି ଲେଖିଛନ୍ତି।

ଅଣମୌସୁମୀ ସମୟରେ କେବଳ ହୀରାକୁଦ ଜଳ ଭଣ୍ଡାରରେ ସଂରକ୍ଷିତ ଜଳ ରାଜ୍ୟର ଚାହିଦା ମେଣ୍ଟାଇବା ସମ୍ଭବ ନୁହେଁ। ତେଣୁ ମହାନଦୀରୁ ସ୍ୱଭାବିକ ଜଳପ୍ରବାହ ଆବଶ୍ୟକତା ରହିଛି।  ମହାନଦୀ ଉପରେ ମୁଣ୍ଡରେ ଛତିଶଗଡ଼ ବେଆଇନ ବ୍ୟାରେଜ ନିର୍ମାଣ ଦ୍ୱାରା ଗତବର୍ଷ ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବାହ କମିଥିଲା। ଜଳପ୍ରବାହ ବ୍ୟାଘତ ହେଲେ ହୀରାକୁଦ ଜଳଭଣ୍ଡାରର ଜଳ ପରିଚାଳନା ଓ ତଳମୁଣ୍ଡରେ ରହୁଥିବା ତମାମ ଜିଲ୍ଲାର ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବ।

ମହାନଦୀ ଜଳ ଅଟକାଇବାକୁ ନେଇ କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜେଡି।  ଶିଳ୍ପକୁ ପାଣି ଦେବା ପାଇଁ ଜଳ ଅଟକାଉଛି ଛତିଶଗଡ଼। ଆଉ କେନ୍ଦ୍ର ସରକାର ସେଥିରେ ସହଯୋଗ କରୁଛି ବୋଲି ଦଳ ଅଭିଯୋଗ କରିଛି।

ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ କହିଛନ୍ତି-“ମହାନଦୀ ପାଣି ଅଟକାଇ ଛତିଶଗଡ଼ ସରକାର ଶିଳ୍ପକୁ ବିକ୍ରି କରୁଛି। ମାତ୍ର ମହାନଦୀର ତଳ ମୁଣ୍ଡରେ ଓଡ଼ିଶାର ଲୋକେ ପାଣି ନାହାନ୍ତି। ଛତିଶଗଡ଼ ସରକାର ଜାଣିଶୁଣି ଏମିତି କରୁଛି।”

ମହାନଦୀକୁ ନେଇ ମାମଲା ସୁପ୍ରିମକୋର୍ଟରେ ଚାଲିଛି। ରାଜ୍ୟ ସରକାର ମହାନଦୀ ଟ୍ରିବ୍ୟୁନାଲ୍ ଗଠନ ନେଇ  ଦାବି କରିବା ପରେ  କେନ୍ଦ୍ର ସରକାର ଏ ନେଇ କ୍ୟାବିନେଟ୍ ନୋଟ୍ ମଧ୍ୟ ପ୍ରସ୍ତୁତ କରିସାରିଛନ୍ତି। ନଭେମ୍ବର ୧୯ ତାରିଖ ଭିତରେ ଟ୍ରିବ୍ୟୁନାଲ୍ ଗଠନ ହେବ। ତା’ପରେ ବିବାଦର ସମାଧାନ କେତେ ବର୍ଷ ଲାଗିବ, ତା ନିର୍ଦ୍ଦିଷ୍ଟ ନଥିବା ବେଳେ ଏବେ ପୁଣି ଛତିଶଗଡ଼ ପାଣି ଅଟକାଇବା ନୂଆ ସମସ୍ୟା ଠିଆ କରିଛି।