ଖତଗଦାରୁ ଶିଶୁକନ୍ୟା ଉଦ୍ଧାର ଘଟଣା: ବାପା ସନ୍ଦେହରେ ଜଣେ ଅଟକ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ଶାମସୁନ୍ଦରପୁର ଗାଁର ଖତଗଦାରୁ ନବଜାତ ଶିଶୁକନ୍ୟା ଉଦ୍ଧାର ଘଟଣାରେ ଜେନାପୁର ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକ ବ୍ୟକ୍ତି ଜଣଙ୍କ ଶିଶୁକନ୍ୟାର ବାପା ବୋଲି ସନ୍ଦେହ କରାଯାଉଛି।

୨୫ ତାରିଖ ସକାଳେ ଶାମସୁନ୍ଦରପୁର ଗାଁର ଏକ ଖତଗଦା ଭିତରୁ ନବଜାତ ଶିଶୁକନ୍ୟାକୁ ଗାଁର କିଛି ଯୁବକ ଉଦ୍ଧାର କରି ଧର୍ମଶାଳା ହସପିଟାଲରେ ଭର୍ତ୍ତି କରିଥିଲେ। ପରେ ଶିଶୁଟି ସୁସ୍ଥ ହେବାରୁ ତାକୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଥିଲା।

୨୬ ତାରିଖ ସିଡବ୍ଲ୍ୟୁସି ଜେନାପୁର ଥାନାରେ ଏକ ମାମଲା ରୁଜୁ କରିଥିଲା।