ସୁରତରେ ୪ ଦିନ କାର୍‌ରେ ରୁଦ୍ଧ ହୋଇ ୬ ବର୍ଷର ଓଡ଼ିଆ ଶିଶୁର ମୃତ୍ୟୁ

ସୁରତ: ଗୁଜରାଟର ସୁରତ ସହରର ଏକ ପାର୍କ ନିକଟରେ ଏକ ବନ୍ଦ କାର୍ ଭିତରେ ଶ୍ୱାସରୁଦ୍ଧ ହୋଇ ଜଣେ ୬ ବର୍ଷର ଓଡ଼ିଆ ଶିଶୁ ପ୍ରାଣ ହରାଇବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି। ମୃତ ଶିଶୁଟିର ନାଁ ସୋମେଶ ଦାସ। ତା’ ବାପାଙ୍କ ନାଁ ସନ୍ତୋଷ ଦାସ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ କଣସୂତା ଗାଁରେ।

ଘଟଣାଟି ଗତ ସୋମବାର ଦିନର। ସେଦିନ ଅପରାହ୍ନରେ ସୋମେଶ ଘରୁ ବାହାରକୁ ଆସିଥିଲା। କିନ୍ତୁ ଆଉ ଘରକୁ ଫେରି ନ ଥିଲା। ବାପାମା’ ତାକୁ ଆଖାପାଖରେ ଖୋଜାଖୋଜି କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଖୋଜାଖୋଜି କରି ସୋମେଶକୁ ନ ପାଇବା ପରେ ତା’ ବାପା ସଚୀନ ଥାନାରେ ଏକ ଏତଲା ଦେଇଥିଲେ। ପୋଲିସ୍ ଏକ ମାମଲା ରୁଜୁ କରି ଖୋଜାଖୋଜି କରିଥିଲା କିନ୍ତୁ ସୋମେଶକୁ ପାଇ ନ ଥିଲା। ପିଲାଟି ନିଖୋଜ ହେବାର ୪ ଦିନ ପରେ ଅର୍ଥାତ ଗତକାଲି ତା’ ଘର ପାଖରେ ଥିବା ଏକ କାରରୁ ଦୁର୍ଗନ୍ଧ ବାହାରିଥିଲା। କାର୍ ଭିତରୁ ସୋମେଶର ମୃତଦେହ ଉଦ୍ଧାର କରାଯାଇଥିଲା। ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ନିକଟସ୍ଥ ଏକ ସିସିଟିଭିକୁ ଯାଞ୍ଚ କଲା ପରେ ପୂରା ଘଟଣା ସାମ୍ନାକୁ ଆସିଥିଲା।

ସିସିଟିଭି ଫୁଟେଜ୍‌ରୁ ଦେଖିବାକୁ ମିଳୁଛି ଯେ ସୋମେଶ ଧାଇଁ ଧାଇଁ କାର୍ ନିକଟକୁ ଆସିଛି। ସେ ପ୍ରଥମେ କାର୍‌ର ଆଗ ଡୋରକୁ ଖୋଲିବାକୁ ଉଦ୍ୟମ କରିଛି, କିନ୍ତୁ ତାହା ଖୋଲିନି। ତା’ପରେ ସେ ପଛ ଡୋରକୁ ଖୋଲିବାକୁ ଉଦ୍ୟମ କରିଛି ଓ ସେଥିରେ ସଫଳ ହୋଇଛି। ତା’ପରେ ସେ ପୁଣି ଥରେ ଯାଇ ଆଗ ଡୋରଟିକୁ ଖୋଲିବାକୁ ଚେଷ୍ଟା କରିଛି, କିନ୍ତୁ ବିଫଳ ହୋଇଛି। ଏହା ପରେ ସେ ପୁଣି ଥରେ ପଛ ଡୋରକୁ ଖୋଲିଛି। ପଛ ଡୋରକୁ ସମୁଦାୟ ୬ ଥର ଖୋଲିବା ସହିତ ସେ କାର୍ ଭିତରକୁ ପଶିଛି ଓ ସେଥିରୁ ବାହାରିଛି। କିନ୍ତୁ ସେ ଯେତେବେଳେ ସପ୍ତମ ଥର ପାଇଁ ଡୋର ଖୋଲି ପୁଣି କାର ଭିତରେ ପଶିଛି ତା’ପରେ ଆଉ ବାହାରିପାରିନି। ଏଥର ସେ ପଶିବା ମାତ୍ରେ କାରଟି ହଠାତ୍ ସେଣ୍ଟ୍ରାଲ୍ ଲକ୍ ହୋଇଯାଇଛି। କାର୍ ଭିତରୁ ଶୁଣାଗଲାନି ଏ ଚପଳମତି ସୋମେଶର ଡାକ ଓ କାନ୍ଦ। ଅଣନିଶ୍ୱାସୀ ହୋଇ ବନ୍ଦ କାର ଭିତରେ ପ୍ରାଣ ହରାଇଲା ସେ।

ସୋମେଶର ବାପା କହିଛନ୍ତି,“ଗତ ସୋମବାର ଅପରାହ୍ନ ପ୍ରାୟ ୩ଟା ୧୫ ବେଳେ ସେ ଘର ବାହାରକୁ ଯାଇଥିଲା। ସେ ଘରକୁ ନ ଫେରିବାରୁ ଆମେ ଖୋଜାଖୋଜି କରିଥିଲୁ। କିନ୍ତୁ ନ ପାଇବାରୁ ସନ୍ଧ୍ୟାରେ ପୋଲିସ୍ ଷ୍ଟେସନ୍‌ରେ ଏତଲା ଦେଇଥିଲୁ।”

୬ ବର୍ଷର ସୋମେଶଙ୍କୁ ହରାଇଥିବା ତା’ ମା’ଙ୍କ ଆଖିରୁ ଲୁହ ଶୁଖୁନି।

ସେ ଅଭିଯୋଗ କରିଛନ୍ତି,“ଯେଉଁ କାର୍‌ରୁ ସୋମେଶର ମୃତଦେହ ମିଳିଲା ସେହି କାର୍‌ଟି ଜଣେ ଓଡ଼ିଆ ଲୋକଙ୍କର। ପୁଅର ପତ୍ତା ନ ମିଳିବା ପରେ ତାଙ୍କ ଘରେ ଲାଗିଥିବା ସିସିଟିଭି ଯାଞ୍ଚ କରିବା ପାଇଁ ମୁଁ ତାଙ୍କୁ କହିଥିଲି। କିନ୍ତୁ ସେ ଶୁଣି ନ ଥିଲେ। ପୋଲିସ୍ ତଦନ୍ତ ବେଳେ ସିସିଟିଭି ଯାଞ୍ଚ କରିଥିଲା। ଜଣେ ଓଡ଼ିଆ ହୋଇ କି ବି ସେ ଆମକୁ ସାହାଯ୍ୟ କଲେନି।”