ନାଳ ପାଣିରେ ଭାସିଗଲା ୪ବର୍ଷର ଶିଶୁ, ଅଙ୍ଗନୱାଡ଼ି କର୍ମୀ ବହିଷ୍କୃତ

child-diedସୋର: ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସରଶଙ୍ଖ ପଞ୍ଚାୟତ ବାସୁଦେଇପୁର ଅଙ୍ଗନୱାଡ଼ି କେନ୍ଦ୍ରର ୪ବର୍ଷର ଶିଶୁ ଚନ୍ଦନ ଜେନା ଘରକୁ ଫେରୁଥିବା ବେଳେ ନାଳ ପାଣିରେ ଭାସି ଯାଇଛି। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଅଙ୍ଗନୱାଡ଼ି କେନ୍ଦ୍ରରେ ଭଙ୍ଗାରୁଜା କରିବା ସହିତ କର୍ମୀ ଅନ୍ନପୂର୍ଣ୍ଣା ଜେନାଙ୍କୁ ଉଲଗ୍ନ କରି ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସୋର ପୋଲିସ୍ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଗାଁ ଲୋକଙ୍କ କବଳରୁ ଅଙ୍ଗନୱାଡ଼ି କର୍ମୀଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏହି ଘଟଣାରେ ବାଲେଶ୍ୱର ଜିଲ୍ଲାପାଳ ଅଙ୍ଗନୱାଡି କର୍ମୀ ଅନ୍ନପୂର୍ଣ୍ଣାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

ଗୁରୁବାର ସକାଳେ ଉକ୍ତ ଗାଁର ଲକ୍ଷ୍ମୀଧର ଜେନାଙ୍କ ୪ ବର୍ଷର ପୁଅ ଚନ୍ଦନ ଅଙ୍ଗନୱାଡ଼ି ଯାଇଥିଲା। ମଧ୍ୟାହ୍ନରେ ଘରକୁ ଆସିବା ପାଇଁ ନାଳ ପାରି ହେଉଥିବା ବେଳେ ସେ ପାଣିରେ ଭାସି ଯାଇଥିଲା। ଗାଁ ଲୋକେ ଜାଣିପାରି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ସେତେବେଳକୁ ଚନ୍ଦନର ମୃତ୍ୟୁ ହୋଇଯାଇଥିଲା। ଏଥିପାଇଁ ଗାଁ ଲୋକେ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକାଙ୍କୁ ଦାୟୀ କରିଛନ୍ତି।