ମାତୃ ଦିବସରେ ଖାଲି ହୋଇଗଲା କୋଳ; ମା’ ଆଗରେ ନଦୀରେ ବୁଡ଼ି ଗଲା ଝିଅ

ଆନନ୍ଦପୁର: ଆଜି ସାରା ବିଶ୍ୱ ପାଳୁଛି ମାତୃ ଦିବସ। ମା’କୁ ସମ୍ମାନ ଜଣାଇ ସନ୍ତାନମାନେ ପାଳୁଛନ୍ତି ମାତୃ ଦିବସ। କିନ୍ତୁ ଖୁସିର ଏହି ମାହୋଲରେ ଦୁଃଖର କଳାବାଦଲ ଢାଙ୍କି ହୋଇଯାଇଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କଣ୍ଟିପାଳ ଗାଁରେ। ଏଠି ଜଣେ ମା’ ସମ୍ମୁଖରେ ନଦୀରେ ବୁଡ଼ି ଯାଇଛି ତା’ର ଅଢ଼େଇ ବର୍ଷର ଝିଅ। ମାତୃ ଦିବସରେ ଖାଲି ହୋଇଯାଇଛି ଏହି ମା’ର କୋଳ। ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ।

କଣ୍ଟିପାଳ ଗାଁର ଅନୀଲ କୁମାର ନାୟକ ବହୁ ଦିନରୁ ଭୁବନେଶ୍ୱରରେ ରହି ଆସୁଛନ୍ତି। ତେବେ ଖରାଛୁଟି କାଟିବାକୁ ସପରିବାରେ ଆସିଥିଲେ ଗାଁକୁ। ଆଜି ସକାଳେ ତାଙ୍କ ପତ୍ନୀ ଅଢ଼େଇ ବର୍ଷର ଝିଅ ମଧୁସ୍ମିତାକୁ ନେଇ ଗାଁ ନିକଟସ୍ଥ ଘାଗରା ନଦୀକୁ ଗାଧୋଇବାକୁ ଯାଇଥିଲେ। ସେ ଗାଧୋଉଥିବା ବେଳେ ହଠାତ୍ ଝିଅ ନଦୀରେ ବୁଡ଼ି ଯାଇଥିଲା। ଝିଅଟିକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।