ହୀରାକୁଦ ଥାନାରେ ନାବାଳକକୁ ମାଡ଼ ଘଟଣା: ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ସର/ସମ୍ୱଲପୁର:  ସମ୍ୱଲପୁର ହୀରାକୁଦ ଥାନା ଭିତରେ ନାବାଳକକୁ ପୋଲିସର ଅମାନୁଷିକ ନିର୍ଯାତନା ଅଭିଯୋଗ ଘଟଣାରେ ନିଜ ଆଡୁ ଏକ ମାମଲା ରୁଜୁ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ ।  ତା’ସହ ଡିଆଇଜି ଏବଂ ଏସପିଙ୍କୁ ୭ଦିନ ଭିତରେ ରିପୋର୍ଟ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏସପି ଅଖିଳେଶ୍ୱର ସିଂହଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ପୋଲିସ ତଦନ୍ତ କରିଛି।  ବୁର୍ଲା ଏସଡ଼ିପିଓ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିଛନ୍ତି।

ଏକ ମାରପିଟ୍ ଘଟଣାରେ ପୋଲିସ ନାବାଳକକୁ ଥାନାକୁ ଆଣି ନିସ୍ତୁକ ମାଡ଼ ମାରିଥିଲା। ତିନି ମାସ ତଳେ ଘଟିଥିବା ଏହି ଘଟଣାର ଭିଜୁଆଲ ଓଟିଭିରେ ପ୍ରସାରିତ ହୋଇଥିଲା। ଥାନା କର୍ମଚାରୀ ନାବାଳକର ଗୋଡ଼ ବାନ୍ଧି ଉପରକୁ ଟେକି ପିଟିବା ସହ ଜୋତାରେ ମାରିବାର ଦୃଶ୍ୟ ଏହି ଭିଜୁଆଲରେ ରହିଛି। ୬ ହଜାର ଟଙ୍କା ଦେବା ପରେ ପୁଅକୁ ଥାନାରୁ ଛଡାଯାଇଥିବା ନେଇ ନାବାଳକଙ୍କ ମାଆ ଅଭିଯୋଗ କରିଥିଲେ।