ଚୁକ୍ତିଭିତ୍ତିକ ଠିକା ଶିକ୍ଷକ ନିଯୁକ୍ତି ମାମଲାରେ ସ୍ୟାଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବୟସ ସୀମା କୋହଳ କରି ସଂଶୋଧିତ ବିଜ୍ଞପ୍ତି ଜାରି କରିବାକୁ ନିର୍ଦ୍ଦେଶ

teacer strikeକଟକ: ଚୁକ୍ତିଭିତ୍ତିକ ଠିକା ଶିକ୍ଷକ ନିଯୁକ୍ତି ମାମଲାରେ ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ ଗୁରୁବାର ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ରାୟ। ବୟସ ସୀମା କୋହଳ କରି ସଂଶୋଧିତ ବିଜ୍ଞପ୍ତି ଜାରି କରିବାକୁ ସ୍ୟାଟ୍ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବୟସ ସୀମା କୋହଳ କେବଳ ଚଳିତ ବର୍ଷ ପାଇଁ ଲାଗୁ ହେବ। ସଂଶୋଧିତ ବିଜ୍ଞପ୍ତି ଜରିଆରେ ବାଦ୍ ପଡ଼ିଥିବା ପ୍ରାର୍ଥୀମାନଙ୍କୁ ସୁଯୋଗ ଦେଇ ଦୁଇ ମାସ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଟ୍ରିବ୍ୟୁନାଲ୍ ନିର୍ଦ୍ଦେଶ ଦେଇଛନ୍ତି।

୨୦୧୪-୧୫ ଶିକ୍ଷା ବର୍ଷରେ ଠିକା ଶିକ୍ଷକ ନିଯୁକ୍ତି ପାଇଁ ପ୍ରଥମ ଥର ପାଇଁ ସର୍ବାଧିକ ବୟସ ସୀମା ୪୨ରୁ ୩୨ ବର୍ଷକୁ କମାଇ ଦିଆଯାଇଥିଲା। ଏହାଛଡ଼ା ସ୍ନାତକରେ ୫୦ ପ୍ରତିଶତ ମାର୍କ ରଖିବା ବାଧ୍ୟତା ମୂଳକ ବୋଲି ଦର୍ଶାଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ସ୍ୟାଟରେ ଏକାଧିକ ମାମଲା ଦାୟର ହୋଇଥିଲା। ଏହାରି ଭିତରେ ରାଜ୍ୟ ସରକାର ୩ ହଜାର ୮୦୨ ଜଣ ଠିକା ଶିକ୍ଷକଙ୍କ ନିଯୁକ୍ତି ଦେଇଥିଲେ। ଅବଶ୍ୟ ପରେ ଏହି ସବୁ ନିଯୁକ୍ତିକୁ  ବାତିଲ କରାଗଲା ବୋଲି ସରକାର ହାଇକୋର୍ଟଙ୍କ ନିକଟରେ ଦର୍ଶାଇଥିଲେ।

ଅନ୍ୟପକ୍ଷରେ ଚାକିରିରୁ ଛଟେଇ ହୋଇଥିବା ୩,୮୦୨ ଚୁକ୍ତି ଭିତ୍ତିକ ଶିକ୍ଷକଶିକ୍ଷୟିତ୍ରୀମାନେ ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶନ ଜାରି ରଖିଛନ୍ତି। ସେମାନେ କହିଛନ୍ତି ଯେ ଡିସେମ୍ୱର ଦ୍ବିତୀୟ ସପ୍ତାହ ସୁଦ୍ଧା ସରକାର ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଥିଲେ। କିନ୍ତୁ ଏଯାଏଁ କୌଣସି ନିଷ୍ପତ୍ତି ନେଇନାହାନ୍ତି। ବିଜେପି ଓ କଂଗ୍ରେସ୍ ନେତାମାନେ ଲୋୟର୍ ପିଏମଜି ଯାଇ ଆନ୍ଦୋଳନକାରୀ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ।