ବାପା ମତେ କିଛି ରାଜନୈତିକ ଜ୍ଞାନ ଦେଇ ନ ଥିଲେ: ନବୀନ ପଟ୍ଟନାୟକ

ଲଗାତାର ୪ ଥର ମୁଖ୍ୟମନ୍ତ୍ରୀ ହେବାରେ କ’ଣ ରହିଛି ରହସ୍ୟ। ସଫଳତାର ସିକ୍ରେଟ କ’ଣ। ଦୀର୍ଘ ୨୦ବର୍ଷର ରାଜନୈତିକ କ୍ୟାରିୟର ଭିତରେ କି ଉପଲବ୍ଧି ପାଇଛନ୍ତି ? ଦାୟିତ୍ୱ ନେବା ଆରମ୍ଭରୁ ଓଡ଼ିଶାକୁ ଭଲ କରି ଚିହ୍ନି ନ ଥିବା ଏବଂ ରାଜନୈତିକ ଜ୍ଞାନ ନ ଥାଇ ଏତେବ ବଡ଼ ବୋଝ କେମିତି ସମ୍ଭାଳିଲେ?  ଏମିତି ଅନେକ କିଛି ପ୍ରଶ୍ନର ଉତ୍ତର ରଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାତୀୟସ୍ତରର ଏକ ଇଂରାଜୀ ମାଗାଜିନ୍‌କୁ ସାକ୍ଷାତକାର ଦେଇ ନିଜ ରାଜନୈତିକ ଜୀବନର ଅନେକ କିଛି ଗୁମର ଖୋଲିଛନ୍ତି। ଆଉ ସେହି ସାକ୍ଷାତକାରର କିୟଦଂଶ ଏଠାରେ ଉପସ୍ଥାପନ କରାଯାଉଛି।

ପ୍ରଶ୍ନ: ଆପଣ ଲଗାତାର ୧୭  ବର୍ଷ ହେଲା  ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି । ଏବେ ଆପଣଙ୍କ ଚତୁର୍ଥ ପାଳି ଚାଲିଥିବା ବେଳେ ଦେଶରେ ଦୀର୍ଘ ବର୍ଷ ଧରି  ମୁଖ୍ୟମନ୍ତ୍ରୀ ପଦରେ ରହିବା ଆପଣ ହେଉଛନ୍ତି ବିରଳ। ଏହି ସଫଳତା ପଛରେ ସିକ୍ରେଟ କ’ଣ ?

ଉ: ମୁଁ ଭାବୁଛି ଦାରିଦ୍ର୍ୟ ହଟାଇବା ପାଇଁ  ବିଭିନ୍ନ ଜନକଲ୍ୟାଣ ଯୋଜନା ଏବଂ ଦୁର୍ନୀତି ବିରୋଧରେ ଲଢେଇ ଆମକୁ ସଫଳତା ଆଡ଼କୁ ଅଗ୍ରସର କରିଛି। ବିଶେଷ କରି ମହିଳା, ଆଦିବାସୀ, ତଫସିଲଭୁକ୍ତ ଜାତି ଏବଂ ଗରିବଙ୍କ ପାଇଁ ଅନେକ ଯୋନା କାର୍ଯ୍ୟକାରୀ କରାଯିବା ଆମକୁ ବେଶ ସହାୟତା ହୋଇଛି।

ପ୍ରଶ୍ନ: ଆପଣ ହେଉଛନ୍ତି ଜଣେ ଆକ୍ସିଡେଣ୍ଟାଲ ମୁଖ୍ୟମନ୍ତ୍ରୀ, ଯିଏ ୨୦୦୦ ମସିହାରେ ହଠାତ୍‌ ‌ଏହି ପଦରେ ଅଧିଷ୍ଟିତ ହେଲେ। ସେତେବଳେ ଓଡ଼ିଶା ବିଷୟରେ ଆପଣଙ୍କୁ କିଛି ଜଣା ଥିଲା? ଗୁରୁ ଦାୟିତ୍ୱ ବହନ ପାଇଁ ଆରମ୍ଭରୁ କେମିତ କ’ଣ ଯୋଜନା କରିଥିଲେ?

ଉ: ପ୍ରଥମେ ପ୍ରଥମେ ଓଡ଼ିଶା ସମ୍ପର୍କରେ ମୋର ସେତେଟା ଗଭୀର ଜ୍ଞାନ ନ ଥିଲା।  ଧିରେ ଧିରେ ମୁଁ ରାଜ୍ୟର ପ୍ରତିଟି ଅଂଶକୁ ବୁଝିବା ପାଇଁ ପ୍ରୟାସ କଲି ଆଉ ସେହି ଅନୁଯାୟୀ ମୁଁ କାର୍ଯ୍ୟପନ୍ଥା ସ୍ଥିର କଲି।  ମୁଁ ଭାବୁଛି ଦାରିଦ୍ର୍ୟକୁ ମୁକାବିଲା ହେଉଛି  ସବୁଠାରୁ ବଡ଼ ଟାସ୍କ ଯାହାକୁ  ହଟାଇବା ଦିଗରେ  ଅନେକ ପାଦ ଆଗେଇଛେ । ଆଉ ଏହା କରିବାରେ ସମର୍ଥ ମଧ୍ୟ ହୋଇଛୁ।

ପ୍ରଶ୍ନ: ଆପଣଙ୍କ ବାପା ଜଣେ ପ୍ରବାଦ ପୁରୁଷ ଥିଲେ । ତାଙ୍କ ଜୀବଦ୍ଦଶାରେ କେବେ ଆପଣଙ୍କୁ ରାଜନୀତି ବିଷୟରେ କିଛି ଜ୍ଞାନ ଦେଇଥିଲେ କି ନାହଁ ?

ଉ: ସେ ମତେ କୌଣସି ରାଜନୈତିକ ଜ୍ଞାନ ଦେଇ ନାହାନ୍ତି। କାରଣ ମୋର ରାଜନୀତିରେ ପ୍ରବେଶ କରିବାର ଆଦୌ ରୁଚି ନ ଥିଲା। ମୁଁ କି ମୋ ବାପା ଏ ବିଷୟରେ କେହି ଚିନ୍ତା ବି କରି ନଥିଲେ। କିନ୍ତୁ ଲୋକଙ୍କ ସହ କେମିତି ମିଶାଯାଏ, ସମସ୍ୟାର ନିକଟତର ହୋଇ ଏହାର ସମାଧାନ ବାହାର କରିବାର କଳା ମୁଁ ତାଙ୍କ ଠାରୁ ଶିଖିଛି ।

ପ୍ରଶ୍ନ: ଆପଣ ହେଉଛନ୍ତି ଜଣେ ଭିନ୍ନ ପ୍ରକୃତିର ରାଜନେତା।  ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ଭଳି ଆପଣ ନିଜର ଏତେଟା ପ୍ରଚାର ପ୍ରସାର କରନ୍ତିନି। ଲୋ ପ୍ରୋଫାଇ ମେଣ୍ଟେନ କରନ୍ତି। ସୋସିଆଲ ମିଡିଆରେ ଆପଣ ସେତେ ସକ୍ରିୟ ନୁହେଁ। ଆପଣ କେବେ ଖୋଲା ମୈଦାନକୁ ଯାଇ ନିଜ ବିଷୟରେ ମନଖୋଲା ପ୍ରଚାର କରନ୍ତିନି । କାହିଁକି।

ଉ: ମୁଁ ଭାବୁଛି ମୋର କର୍ମ ହିଁ ସେ ବିଷୟରେ ପରିପ୍ରକାଶ କରୁଛି।

 ପ୍ରଶ୍ନ:  ସ୍ୱଚ୍ଛତା ଏବଂ ଦୁର୍ନୀତିମୁକ୍ତ ଶାସନକୁ  ଆପଣଙ୍କ ସମୟରେ ମୁଖ୍ୟ ପ୍ରସଙ୍ଗ ରହି ଆସିଛି । ଏ ଦିଗରେ  ସଫଳ ହୋଇଥିବା ଆପଣ ଭାବୁଛନ୍ତି କି?

ଉ: ହଁ। ଦୁର୍ନୀତିକୁ ହଟାଇବା ପାଇଁ ଆମେ ଅନେକ ଶକ୍ତିଶାଳୀ ପଦେକ୍ଷପ  ହାତକୁ ନେଇଛୁ।

ପ୍ରଶ୍ନ: ଚଳିତ ନିର୍ବାଚନରେ ଆପଣ କାହିଁକି ବ୍ୟକ୍ତିଗତ ଭାବେ ପ୍ରଚାର ମୈଦାନକୁ ଓହ୍ଲାଇଲେ ନାହିଁ?

ଉ:  ମୁଁ ଏଥର ଦଳର ଶକ୍ତି  ଏବଂ ସାମ୍ୟର୍ଥ ପରୀକ୍ଷା ପାଇଁ ବିଚାର କଲି। ଆଉ ଦଳ ବି ବେଶ ଭଲ କଲା।

ପ୍ରଶ୍ନ: ରାଜନୈତିକ ଜୀବନରେ ଏବର୍ଷ ଆପଣଙ୍କ ୨୦ ବର୍ଷ ପୁରୁଛି। ମୁଖ୍ୟମନ୍ତ୍ରୀ ହିସାବରେ ସବୁଠାରୁ ବଡ଼ ଶିକ୍ଷା କ’ଣ ଉପଲବ୍ଧି କରିଛନ୍ତି?

ଉ: ଲୋକଙ୍କ ଆବଶ୍ୟକତା ପ୍ରତି ସତର୍କ ରହିବା, କାନ ଖୋଲି  ସେମାନଙ୍କ ସମସ୍ୟା ଶୁଣିବା ଏବଂ ଏହାର ତ୍ୱରିତ  ସମାଧାନ କରିବାର ରାସ୍ତା ବାହାର କରିବା ହେଊଛି ସବୁଠୁ ବଡ଼ ଉପଲବ୍ଧି।

ପ୍ରଶ୍ନ: ମୁଖ୍ୟମନ୍ତ୍ରୀ ପଦରେ ରହି ଆପଣଙ୍କୁ କ’ଣ ଏମିତି ବେଶୀ ଖୁସି ଦେଇଛି ?

ଉ: ଯଦି ଆପଣ କିଛି ଭଲ କାମ କରିଥିବେ ଆଉ ଏହା ଲୋକଙ୍କ ପ୍ରଶଂସାର ପାତ୍ର ହୁଏ ତାହା ହିଁ ଆପଣଙ୍କୁ  ଅଧିକ ଖୁସିଦେବ।

ସୌଜନ୍ୟ ଇଣ୍ଡିଆ ଟୁଡେ