ସୁନ୍ଦରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ଼ ଗସ୍ତରେ ଯାଇଥିଲେ। ସେ ପ୍ରଥମେ ରାଉରକେଲା ବିପିୟୁଟି ଯୋଗ ଓ ଫିଟ୍ନେସ୍ ପାର୍କରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ କରିବା ସହିତ ଛାତ୍ରୀନିବାସ ଉଦ୍ଘାଟନ କରିଥିଲେ। ପରେ ବିପିୟୁଟିର ୭ ମହଲା ବିଶିଷ୍ଟ ସଂଯୋଜନା ଭବନକୁ ଶିଳାନ୍ୟାସ କରିଥିଲେ। ପରେ ମୁଖ୍ୟମନ୍ତ୍ରୀ ବଣାଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବିମଳାଗଡ଼ରେ ୨୪ଟି ପ୍ରକଳ୍ପ ଶିଳାନ୍ୟାସ କରିଥିଲେ। ମଙ୍ଗସପୁରଠାରେ ୧୧ଟି ପ୍ରକଳ୍ପର ଉଦ୍ଘାଟନ କରିବା ସହିତ ୧୫ଟି ପ୍ରକଳ୍ପ ଶିଳାନ୍ୟାସ କରିଥିଲେ। ଏପରିକି ସୁନ୍ଦରଗଡ଼ର ପ୍ରଥମ ବିଧାୟକ ଦ୍ୱାରିକାନାଥ କୁଶୁମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତକୁ ବିରୋଧ କରି କଂଗ୍ରେସ, ବିଜେପି ଓ ସଚେତନ ନାଗରିକ ମଞ୍ଚ ବିରୋଧ କରିଥିଲେ। କଂଗ୍ରେସ କର୍ମୀମାନେ ମୁହଁରେ କଳା ପଟି ବାନ୍ଧି ଧାରଣାରେ ବସିଥିଲେ। ଅନ୍ୟପକ୍ଷରେ ବିଜେପି ପକ୍ଷରୁ ୪ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଥିଲା। ପରେ ଏକ ବିକ୍ଷୋଭ ଶୋଭାଯାତ୍ରା ନାରୀ କଲ୍ୟାଣ କେନ୍ଦ୍ରରୁ ବାହାରି କୋର୍ଟ ଛକ ପର୍ଯ୍ୟନ୍ତ ଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।
ସେହିପରି ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଜି ଚାରି ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଥିଲା। ସକାଳ ୭ଟାରୁ ୧୧ ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଥିଲା।
ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବରୁ ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ସୁନ୍ଦରଗଡ଼ରେ ୧୩ ଜଣ ଓ ରାଉରକେଲାରେ ୧୨ ଜଣ ବିଜେପି ନେତା ଓ କର୍ମୀଙ୍କୁ ଅଟକ ରଖିଛି ପୋଲିସ୍। ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ, ସୁନ୍ଦରଗଡ଼ ଜିଲ୍ଲା ବିଜେପି ସଭାପତି, ବିଜେପି ରାଜ୍ୟ ସଂପାଦକ ଧୀରେନ ସେନାପତି ଓ ରାଉରକେଲାର ପୂର୍ବତନ ନଗରପାଳ ନିହାର ରାୟଙ୍କୁ ଅଟକ ରଖିଛି ପୋଲିସ୍। ସେହିପରି ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ବୀରେନ୍ ସେନାପତିଙ୍କ ସମେତ ୭୦ ଜଣଙ୍କୁ ଅଟକ ରଖିଛି ପୋଲିସ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।