ଆସିଲା ଜଗା-କାଳିଆଙ୍କ ଅଲଗା ଅଲଗା ଫଟୋ

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ନୂଆଦିଲ୍ଲୀ ଏମ୍‌ସରେ ଅପରେସନ୍‌ ପରେ କନ୍ଧମାଳ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ଅଲଗା ଅଲଗା ଫଟୋ ଆସିଲା। ଏବେ ଉଭୟ ଆଇସିୟୁରେ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଗତକାଲି ସକାଳ ୯ଟା ବେଳେ ସେମାନଙ୍କ ଅପରେସନ୍‌ କରାଯାଇଥିଲା। ଦୀର୍ଘ ୧୮ ଘଣ୍ଟାର ଅପରେସନ୍‌ ପରେ ୪୦ ଜଣିଆ ଡାକ୍ତରୀ ଟିମ୍‌ ସେମାନଙ୍କୁ ଅଲଗା କରିବାରେ ସଫଳ ହୋଇଥିଲେ।

ଗତକାଲି ଭୋର ୫ଟାରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ନ୍ୟୁରୋ ସାଇନସ୍ ଓ୍ୱାର୍ଡରୁ ଅପରେସନ ଥିଏଟରକୁ ନିଆଯାଇଥିଲା। ସକାଳ ୯ଟାରୁ ଅପରେସନ୍ ଆରମ୍ଭ ହେଲା। ଦୁଇ ଭାଇଙ୍କୁ ଅଲଗା କରିବା ପାଇଁ ନନ୍‌ଷ୍ଟପ୍‌ ସର୍ଜରୀରେ ଲାଗିଛନ୍ତି ଏକ୍ସପର୍ଟ ଡାକ୍ତରୀ ଟିମ୍। ଯେଉଁଥିରେ ସାମିଲ ଅଛନ୍ତି ନ୍ୟୁରୋ ସର୍ଜନଙ୍କ ସହ ପେଡିଆଟ୍ରିକ୍ ଓ କାର୍ଡିଓଲୋଜି ସହ ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର। ତେବେ ଗତଥର ଭଳି ଏଥର ଦେଶ ବାହାରୁ କୌଣସି ବିଶେଷଜ୍ଞ ଡାକ୍ତରଙ୍କୁ ଅଣାଯାଇ ନାହିଁ।

କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ

ଜଟିଳ ଅସ୍ତ୍ରୋପଚାରକୁ ସଫଳତାର ସହ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମ୍‌ସ ନ୍ୟୁରୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଅଶୋକ ମହାପାତ୍ର ଓ ପୁରା ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି। ଜଗା-କାଳିଆଙ୍କ ଲାଗି ସାରା ଓଡ଼ିଶା ପ୍ରାର୍ଥନା କରୁଛି। ସେମାନଙ୍କ ଚିକିତ୍ସା ଲାଗି ଅର୍ଥର ଅଭାବ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରିଛନ୍ତି।