କଂଗ୍ରେସର ଓଡ଼ିଶା ବନ୍ଦ: ସଚିବାଳୟରେ ଧସେଇ ପଶିବାକୁ ଉଦ୍ୟମ, ବିଭିନ୍ନ ସ୍ଥାନରେ ଭଙ୍ଗାରୁଜା

bandhଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିଲା କଂଗ୍ରେସ। ସକାଳୁ ସକାଳୁ ଏହି ବନ୍ଦର ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ରାସ୍ତା ଅବରୋଧ କରିବା ସହିତ ରେଳରୋକ କରିଥିଲେ।

ଭୁବନେଶ୍ୱରରେ କଂଗ୍ରେସ କର୍ମୀମାନେ ସଚିବାଳୟର ପଛ ପଟ ଗେଟ୍‌ ଦେଇ ଧସେଇ ପଶିବାକୁ ଉଦ୍ୟମ କରିଥିବା ବେଳେ ଅନୁଗୋଳର ବଅଁରପାଳ  ତହସିଲ ଓ ବ୍ଲକ୍‌ ଅଫିସ୍‌ରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। କେନ୍ଦୁଝରର ଘସିପୁରା ବ୍ଲକ୍‌ ଅଫିସ୍‌ରେ ମଧ୍ୟ କଂଗ୍ରେସ କର୍ମୀମାନେ ଭଙ୍ଗାରୁଜା କରିଛନ୍ତି। କେନ୍ଦ୍ରାପଡ଼ାରେ ଦୋକାନ ବନ୍ଦ କରିବାକୁ ଯାଇ ଜଣେ କଂଗ୍ରେସ କର୍ମୀ ଦୋକାନୀଙ୍କ ଛୁରାମାଡ଼ରେ ଆହତ ହୋଇଛନ୍ତି।

ଭୁବନେଶ୍ୱର ରେଳ ଷ୍ଟେସନରେ କଂଗ୍ରେସ କର୍ମକର୍ତ୍ତା ରେଳରୋକ କରିଥିଲେ। ଫଳରେ କିଛି ସମୟ ଧରି କରମଣ୍ଡଳ ଏକ୍ସପ୍ରେସ ଅଟକ ରହିଥିଲା। ବାଣୀବିହାର ଛକରେ ଛାତ୍ର କଂଗ୍ରେସର କର୍ମୀମାନେ ରାସ୍ତାରୋକ କରିଥିଲେ। କଂଗ୍ରେସ କର୍ମୀମାନେ ପଳାଶୁଣିରେ ଏନ୍‌ଏଚ୍‌-୫ ଅବରୋଧ କରିଥିଲେ। ଫଳରେ କଟକରୁ ଭୁବନେଶ୍ୱର ଆସୁଥିବା ଗାଡ଼ିଗୁଡ଼ିକ ରାସ୍ତାରେ ଅଟକି ରହିଥିଲା। ମାଷ୍ଟରକ୍ୟାଣ୍ଟିନ୍ ଛକରେ ରାସ୍ତା ଅବରୋଧ କରିଥିବା କିଛି କର୍ମୀଙ୍କୁ ପୋଲିସ୍ ଅଟକ ରଖିଥିଲା। ଏଠାରେ ପୋଲିସ୍ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ୍‌ର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଅଭିଯୋଗରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ କଂଗ୍ରେସ ନେତାମାନେ ଧାରଣା ଦେଇଥିଲେ। ସେହିପରି କଂଗ୍ରେସ କର୍ମୀମାନେ ସଚିବାଳୟର ପଛ ପଟ ଗେଟ୍ ଦେଇ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ ଉପସ୍ଥିତ ସୁରକ୍ଷାକର୍ମୀମାନେ ସେମାନଙ୍କୁ ବାଧା ଦେଇଥିଲେ। ଫଳରେ ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ଧସ୍ତାଧସ୍ତି ହୋଇଥିଲା।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ମହାନଦୀର ବୁନ୍ଦାଏ ବି ଜଳ କାହାରିକୁ ଛଡ଼ା ଯିବ ନାହିଁ। ଆଜିର ବନ୍ଦ ଡାକରାକୁ ସାଧାରଣ ଲୋକଙ୍କ ସମର୍ଥନ ମିଳିଛି। ସେମାନେ ସ୍ୱତଃସ୍ଫୂର୍ତ୍ତ ଭାବେ ଏଥିରେ ସାମିଲ ହୋଇଛନ୍ତି। ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି ଓ ଏହା ସଫଳ ହୋଇଛି।”

ସେ ଆହୁରି କହିଛନ୍ତି,“ଦାବି ପୂରଣ ହେଲା ପର୍ଯ୍ୟନ୍ତ ଏ ଲଢ଼େଇ ଚାଲିବ। ଦୀର୍ଘସୂତ୍ରୀ ଆନ୍ଦୋଳନ କରାଯିବ।”

ବନ୍ଦ ପାଳନ ବେଳେ ମାଷ୍ଟରକ୍ୟାଣ୍ଟିନ୍ ଛକରେ ପୋଲିସ୍‌ ସହିତ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ପିସିସି ସଭାପତି କହିଛନ୍ତି ଯେ ରାଜ୍ୟ ସରକାର ପୋଲିସ୍‌କୁ ଗୁଣ୍ଡା ଭାବେ ବ୍ୟବହାର କରି ଏହି ବନ୍ଦକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରିଛନ୍ତି।

ଅନୁଗୋଳ ସହରରେ ଟାୟାର ଜାଳି କଂଗ୍ରେସ କର୍ମୀମାନେ ରାସ୍ତାରୋକ କରିଥିଲେ। ଦଳୀୟ କର୍ମୀମାନେ ଜିଲ୍ଲାର ବଅଁରପାଳ ତହସିଲ୍ ଓ ବ୍ଲକ୍ ଅଫିସ୍‌ରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ସେହିପରି ନାଲ୍‌କୋ ଆଇଆଇସିଙ୍କ ସହିତ କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା। ବନ୍ଦ ପାଳନ ବେଳେ ଛାତ୍ର କଂଗ୍ରେସର ରାଜ୍ୟ ସଂପାଦକଙ୍କୁ ପୋଲିସ୍ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଦଳୀୟ କର୍ମୀମାନେ ଥାନା ସମ୍ମୁଖରେ ଧାରଣାରେ ବସିଥିଲେ।

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ ଅଫିସ୍‌କୁ କଂଗ୍ରେସ କର୍ମୀମାନେ ଧସେଇ ପଶିବା ସହିତ ସେଠାରେ ବ୍ୟାପକ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଆନନ୍ଦପୁରରେ ବ୍ୟାରେଜ୍ ଡିଭିଜନ୍‌ ଅଫିସ୍‌ରେ ଦଳୀୟ କର୍ମୀମାନେ ଭଙ୍ଗାରୁଜା କରିଛନ୍ତି।

କଟକରେ ବନ୍ଦର ପ୍ରଭାବ ବିଶେଷ ଦେଖିବାକୁ ମିଳି ନ ଥିଲା। ନିକଟରେ କଟକ ନଗର କଂଗ୍ରେସ ପକ୍ଷରୁ ସହରର ବିଭିନ୍ନ ସମସ୍ୟା ନେଇ ବନ୍ଦ ଡାକରା ଦିଆଯାଇଥିଲା। ତେଣୁ ଏହି ବନ୍ଦ ଡାକରାକୁ କଟକ ପାଇଁ ଲାଗୁ କରାଯାଇ ନ ଥିଲା। ତେବେ କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୋକିମ୍‌ ଓ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ସକାଳେ ରେଳରୋକ କରିଥିଲେ। ଏହା ବ୍ୟତୀତ ଜାତୀୟ ରାଜପଥକୁ ମଧ୍ୟ ଦଳୀୟ କର୍ମୀମାନେ ଅବରୋଧ କରିଥିଲେ। ସହରରେ ବସ୍ ଚଳାଚଳ ହୋଇ ନ ଥିବା ବେଳେ ଅଟୋ ଚଳାଚଳ ସ୍ୱାଭାବିକ ଥିଲା। ସ୍କୁଲ୍, କଲେଜ ଓ ସରକାରୀ ଅଫିସ୍‌ ଗୁଡ଼ିକ ଖୋଲା ଥିଲା। ତେବେ କଂଗ୍ରେସର ଏହି ବନ୍ଦକୁ ସମର୍ଥନ କରି କାର୍ଯ୍ୟବନ୍ଦ କରିଥିଲେ ହାଇକୋର୍ଟର ବାର୍ ଆସୋସିଏସନ୍।

କଟକର  ଚୌଦ୍ୱାର ଓ ଖୁଣ୍ଟୁଣୀରେ କଂଗ୍ରେସ କର୍ମୀମାନେ ଏନ୍‌ଏଚ୍‌-୫୫କୁ ଅବରୋଧ କରିଥିଲେ।

ଭଦ୍ରକ ଓ ସମ୍ବଲପୁରରେ ମଧ୍ୟ ବନ୍ଦ ପ୍ରଭାବ ଦେଖିବାକୁ ମିଳିଥିଲା। ସକାଳେ ଭଦ୍ରକ ଷ୍ଟେସନରେ ଭଦ୍ରକ-ଭୁବନେଶ୍ୱର ଡିଏମୟୁକୁ କଂଗ୍ରେସ କର୍ମୀମାନେ ଅଟକ ରଖିଥିଲେ। ସମ୍ବଲପୁରର କ୍ଷେତରାଜପୁର ଷ୍ଟେସନରେ  ସମ୍ବଲପୁର-ପୁରୀ ଓ ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଟ୍ରେନ୍ ଅଟକ ରଖିଥିଲେ। ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ବି ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା।

ବାଲେଶ୍ୱରରେ ବନ୍ଦର ପ୍ରଭାବ ପଡ଼ିଥିଲା। ସହରରେ ଗାଡ଼ି ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଥିଲା।

ବ୍ରହ୍ମପୁରରେ  କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତାରୋକ କରିଛନ୍ତି। ସହରରେ  ଦୋକାନବଜାର ବନ୍ଦ ରହିଥିଲା।

କେନ୍ଦ୍ରାପଡ଼ାର ତିନିମୁହାଁଣି ଛକରେ କଟକ-ଚାନ୍ଦବାଲି ରାସ୍ତାକୁ ଅବରୋଧ କରିଥିଲେ କଂଗ୍ରେସ କର୍ମୀ। କେନ୍ଦୁଝରର ଆନନ୍ଦପୁରରେ କଂଗ୍ରେସ କର୍ମୀମାନେ ଟାୟାର ଜାଳି ରାସ୍ତାରୋକ କରିଥିଲେ।

ଢେଙ୍କାନାଳରେ କଂଗ୍ରେସ କର୍ମୀମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ। ପୋଲିସ୍ ୧୧ ଜଣ କର୍ମୀଙ୍କୁ ଅଟକ ରଖଥିଲେ।

ପିସିସିର ଆହ୍ୱାନକ୍ରମେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଦଳୀୟ କର୍ମୀମାନେ ଭବାନୀପାଟଣା ସହରର ନାକଟିଗୁଡ଼ା, କଲେଜ ଛକ ଓ ଦୟାନିଧି ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଫଳରେ ଯାନବାହାନ ଚଳାଚଳ ବନ୍ଦ ରହିଥିଲା। ସହରରେ ଦୋକାନ ବଜାର ବି ବନ୍ଦ ରହିଛି। ଦଳୀୟ କର୍ମୀମାନେ ଜିଲ୍ଲାପାଳଙ୍କ ଅଫିସ୍ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରି ଥିଲେ। ପୋଲିସ୍ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କ ସମେତ ୭୦ରୁ ଅଧିକ କର୍ମୀଙ୍କୁ ଅଟକ ରଖିଥିଲା।

ପୁରୀରେ କଂଗ୍ରେସ କର୍ମୀମାନେ ରେଳରୋକ କରିବା ସହିତ ଅଠରନଳା ନିକଟରେ ରାସ୍ତା ଅବରୋଧ କରିଥିଲେ।

ବଲାଙ୍ଗିର ସହରରେ ମଧ୍ୟ ବନ୍ଦର ପ୍ରଭାବ ପଡ଼ିଥିଲା। ଦୋକାନ ବଜାର ବନ୍ଦ ରହିଥିଲା। ଗାଡ଼ି ଚଳାଚଳ ବି ବନ୍ଦ ରହିଥିଲା। ବନ୍ଦ ସମୟରେ କୌଣସି ପ୍ରକାର ଅପ୍ରୀତିକର ସ୍ଥିତିକୁ ଏଡ଼ାଇବା ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ବିଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା।

ବର୍ଷା ସତ୍ତ୍ୱେ ଫୁଲବାଣୀରେ କଂଗ୍ରେସ ନେତାମାନେ ବନ୍ଦକୁ ସଫଳ କରିବାକୁ ରାସ୍ତାକୁ ଓହ୍ଲାଇଥିଲେ। କନ୍ଧମାଳର ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ନଗର କଂଗ୍ରେସ ସଭାପତି ବିଜୟ ମହାନ୍ତି, ଯୁବ ନେତା ନନ୍ଦକିଶୋର ଦାସଙ୍କ ସମେତ ବହୁ ଦଳୀୟ କର୍ମୀ ଫୁଲବାଣୀ ସହର ଦେଇ ଯାଇଥିବା ରାଞ୍ଚି-ବିଜୟୱାଡ଼ା ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଦଳୀୟ କର୍ମୀମାନେ ସହରର ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହିତ ରାସ୍ତା ଅବରୋଧ କରିଥିଲେ।

କୋରାପୁଟରେ କଂଗ୍ରେସ କର୍ମୀମାନେ ରେଳରୋକ କରିଥିଲେ। ଫଳରେ ହୀରାଖଣ୍ଡ ଏକ୍ସପ୍ରେସ କିଛି ସମୟ ପାଇଁ ଅଟକି ରହିଥିଲା। କୋରାପୁଟ ବିଧାୟକଙ୍କ ସମେତ ଆଉ କିଛି କର୍ମୀଙ୍କୁ ପୋଲିସ୍ ଅଟକ ରଖିଥିଲା।  ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ବନ୍ଦ ଯୋଗୁଁ ଦୋକାନ ବଜାର ସହିତ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

ଖୋର୍ଦ୍ଧା, ଝାରସୁଗୁଡ଼ା, ଯାଜପୁର, ବୌଦ୍ଧ ଓ ରାଉରକେଲାରେ ବନ୍ଦର ପ୍ରଭାବ ପଡ଼ିଥିଲା। ରାଉରକେଲାରେ କଂଗ୍ରେସ କର୍ମୀମାନେ ରେଳରୋକ କରିଥିବା ବେଳେ ପାନପୋଷ ନିକଟରେ ରାସ୍ତା ଅବରୋଧ କରିଥିଲେ।  ଏଠାରେ ୬୦ ଜଣ କର୍ମୀଙ୍କୁ ପୋଲିସ୍ ଅଟକ ରଖିଥିଲା। ଯାଜପୁରର ଜାରକାରେ ଦଳୀୟ କର୍ମୀମାନେ ରାସ୍ତାରୋକ କରିଥିଲେ। ବୌଦ୍ଧରେ ଦୋକାନ ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଚଳ ବି ବନ୍ଦ ରହିଥିଲା।

ଦେବଗଡ଼ରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇ ରାସ୍ତା ଅବରୋଧ କରାଯାଇଥିଲା। ଦୋକାନ ବଜାର ବି ବନ୍ଦ ରହିଥିଲା। ଜିଲ୍ଲା ଦେଇ ଯାଇଥିବା ୪୯, ୨୧୦ ଓ ୨୩ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ମହାନଦୀ ପ୍ରସଙ୍ଗରେ ରାଜ୍ୟବାସୀଙ୍କୁ ସଚେତନ କରିବା ପାଇଁ ବନ୍ଦ ପାଳନ କରାଯାଇଛି। ଏ ପ୍ରସଙ୍ଗରେ ରାଜ୍ୟ ସରକାର ସବୁ ଜାଣି ଅଜଣା ହୋଇ ବସିଛନ୍ତି। ମହାନଦୀ ବିବାଦ ପାଇଁ ଉଭୟ ଓଡ଼ିଶା ଓ ଛତିଶଗଡ଼ ସରକାର ଦାୟୀ। ଏ ପ୍ରସଙ୍ଗରେ କେନ୍ଦ୍ର ସରକାର ନୀରବଦ୍ରଷ୍ଟା ସାଜିଛନ୍ତି।”

ଉଭୟ ଛତିଶଗଡ଼ ଓ ଓଡ଼ିଶା ସରକାର ମହାନଦୀ ପ୍ରସଙ୍ଗରେ ରାଜ୍ୟବାସୀଙ୍କ ସହ  ମହାପ୍ରତାରଣା କରିଥିବା ଅଭିଯୋଗ କରି ଏହି ବନ୍ଦ ଡାକରା ଦେଇଥିଲା କଂଗ୍ରେସ।  ଅତ୍ୟାବଶ୍ୟକ ସେବାକୁ ବନ୍ଦରୁ ବାଦ ଦେବାକୁ ଦଳ ଘୋଷଣା କରିଥିଲା।