କଟକ: ବାଉଁଶ ପୋତାକୁ ନେଇ ଦୁଇ ସାହି ମୁହାଁମୁହିଁ, ୩ ଆହତ

କଟକ଼: ଦୁର୍ଗା ପୂଜା ପୂର୍ବରୁ କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ଓ ଦରଖାପାଟଣାବାସୀ ଆଜି ମୁହାଁମୁହିଁ ହୋଇଛନ୍ତି। ଫଳରେ ୩ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ପୂଜା ପାଇଁ ଟେଣ୍ଟ ବାଉଁଶ ପୋତାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଜଣାପଡ଼ିଛି। ଉତ୍ତେଜନା ଲାଗି ରହିଥିବାରୁ ପୋଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂର୍ବରୁ ନୂଆପଡ଼ା ଓ ଦରଖାପାଟଣା ପୂଜା କମିଟି ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଥିଲା। ଗତ ଦୁର୍ଗାପୂଜା ଶାନ୍ତି […]

cuttack

cuttack

Rakesh Mallick
  • Published: Thursday, 22 September 2016
  • Updated: 22 September 2016, 07:16 PM IST

Sports

Latest News

କଟକ଼: ଦୁର୍ଗା ପୂଜା ପୂର୍ବରୁ କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ଓ ଦରଖାପାଟଣାବାସୀ ଆଜି ମୁହାଁମୁହିଁ ହୋଇଛନ୍ତି। ଫଳରେ ୩ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ପୂଜା ପାଇଁ ଟେଣ୍ଟ ବାଉଁଶ ପୋତାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ଜଣାପଡ଼ିଛି। ଉତ୍ତେଜନା ଲାଗି ରହିଥିବାରୁ ପୋଲିସ୍‌ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ପୂର୍ବରୁ ନୂଆପଡ଼ା ଓ ଦରଖାପାଟଣା ପୂଜା କମିଟି ମଧ୍ୟରେ ସୀମାକୁ ନେଇ ବିବାଦ ଲାଗି ରହିଥିଲା। ଗତ ଦୁର୍ଗାପୂଜା ଶାନ୍ତି କମିଟି ବୈଠକ ସମୟରେ ପୋଲିସ୍‌ ଉପସ୍ଥିତିରେ ଉଭୟ ପକ୍ଷର ବିବାଦ ସମାଧାନ ପାଇଁ ବୁଝାମଣା ହୋଇଥିଲା।

ଆଜି ସକାଳେ ବାଉଁଶ ପୋତାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା। ଉଭୟ ପକ୍ଷରୁ ଢେଲାପଥର ଓ ଖାଲି ବୋତଲ ମାଡ଼ ହେବା ଫଳରେ ୩ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିଲା। ପୋଲିସ ଘଟଣା ଉପରେ ନଜର ରଖିବା ସହ ଶାନ୍ତି କମିଟି ମାଧ୍ୟମରେ ସମସ୍ୟା ସମାଧାନ କରିବାକୁ ଉଦ୍ୟମ ଚଳାଇଛି।

ଦରଖାପାଟଣା ପୂଜା କମିଟି ସଭାପତି ଚିନ୍ତାମଣୀ ପରିଡ଼ା କହିଛନ୍ତି,“ଆମ ସୀମା ପଟେ ସେମାନେ ବାଉଁଶ ପୋତୁଥିବାରୁ ବିରୋଧ କରିଥିଲୁ। ଏଥିରେ ଉତ୍‌କ୍ଷିପ୍ତ ହୋଇ ସେମାନେ ଆମ ଉପରକୁ ଢେଲାପଥର ମାଡ଼ କରିଥିଲେ। ଫଳରେ ଆମ ସାହିରେ ୮ ଜଣ ଆହତ ହୋଇଛନ୍ତି। ଏହି ଗଣ୍ଡଗୋଳ ପାଇଁ ପ୍ରଶାସନ ଦାୟୀ।”

ନୂଆପଡ଼ା ଶ୍ରୀଦୁର୍ଗା ସଂଘ ସଭାପତି ସମରେଶ ଭୂୟାଁ କହିଛନ୍ତି,“ଟେଣ୍ଟ୍ ବାଉଁଶ ପୋତା ଯାଉଥିବା ବେଳେ ସେମାନେ ବିରୋଧ କଲେ। ଆମକୁ ଗାଳିଦେଲେ ଓ ବାଉଁଶ ଉପାଡି ଦେଲେ। କ’ଣ ପାଇଁ ବାଉଁଶ ଉପାଡୁଛ ବୋଲି ଆମ କ୍ଲବର ସେକ୍ରେଟାରୀ ପଚାରିବାରୁ ଜଣେ ବ୍ୟକ୍ତି ତାଙ୍କୁ ପିଟିବାକୁ ଆସୁଥିବା ବେଳେ ବାଉଁଶ ଆମର ଜଣେ ପିଲାଙ୍କ ମୁଣ୍ଡରେ ବାଜିଥିଲା। ଏପରିକି ମୋ ଗୋଡ଼ରେ ମଧ୍ୟ ବାଜିଥିଲା। ପୋଲିସ୍‌ ଉପସ୍ଥିତିରେ ସେମାନେ ଆମ ଉପରକୁ ବୋତଲ ମାଡ଼ କଲେ। ଆମେ ୬୦ ବର୍ଷର ପୂଜା ବନ୍ଦ କରିପାରିବୁନି। ଯଦି ଆମେ ନିରାଡାମ୍ୱରରେ ପୂଜା ପାଳନ କରିବୁ ତାହା ହେଲେ ପୋଲିସ୍‌, ଶାନ୍ତି କମିଟି ଓ ଏଥିରେ ମୁଣ୍ଡ ପୁରାଇଥିବା ରାଜନୈତିକ ନେତାମାନେ ଦାୟୀ ରହିବେ। ଆଗାମୀ ଦିନରେ ସେମାନଙ୍କୁ ଆମେ ବିରୋଧ କରିବୁ, ନୂଆପଡ଼ାରେ କାହାକୁ ପୁରାଇ ଦେବୁନି।”

କଟକ ଡିସିପି ସଞ୍ଜୀବ ଆରୋରା କହିଛନ୍ତି,“ଦୁଇ ସାହି ମଧ୍ୟରେ ପୂର୍ବରୁ ବିବାଦ ଥିଲା। ଏଥିପାଇଁ ବୈଠକ ମଧ୍ୟ ବସିଥିଲା। ଆଜି ଦୁଇ ସାହି ମୁହାଁମୁହିଁ ହୋଇଥିଲେ। ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ୍‌ ଫୋର୍ସ ମୁତୟନ କରାଯାଇଛି। ଯେଉଁମାନେ ଆଇନ୍‌କୁ ହାତକୁ ନେଇଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos