ଡି’ ବ୍ରଦର୍ସଙ୍କ ସିଡିଏ ଅଫିସରୁ ମିଳିଲା ନକଲି ଡକ୍ୟୁମେଣ୍ଟ

କଟକ: ଡି’ ବ୍ରଦର୍ସଙ୍କୁ ଚତୁର୍ଥ ପର୍ଯ୍ୟାୟ ଜେରା ବେଳେ କମିଶନରେଟ୍‌ ପୋଲିସକୁ ଜାଣିବାକୁ ପାଇଛି। ଆଜି ଦୁଇ ଭାଇ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତଙ୍କୁ ସିଡିଏ ସ୍ଥିତ ତାଙ୍କ ମେଟାଫର ଟ୍ରାନ୍‌ସ କର୍ପୋରେସନ ପ୍ରାଇଭେଟ୍‌ ଲିମିଟେଡ କାର୍ଯ୍ୟାଳୟକୁ ନେଇ ପୋଲିସ ଯାଞ୍ଚ କରିବା ବେଳେ ବହୁ ନକଲି ଡକ୍ୟୁମେଣ୍ଟ ଜବତ କରିଛି। ଅନ୍ୟପକ୍ଷେ ଆଜି ପ୍ରଥମ ଥର ପାଇଁ ଦୁଇ ଭାଇଙ୍କୁ ହାତକଡି ପକାଇ ନିଆଯାଉଥିବା ବେଳେ ସେମାନେ ଉତ୍‌କ୍ଷିପ୍ତ ହୋଇପଡିଥିଲେ। ବିଶେଷ କରି ଗଣମାଧ୍ୟମ ପ୍ରତିନିଧିମାନେ ଫଟୋ ନେବା ବେଳେ ସେମାନେ ଗାଳିଗୁଲଜ କରିଥିଲେ।

ଡି’ ବ୍ରଦର୍ସଙ୍କ ସିଡିଏ କାର୍ଯ୍ୟାଳୟରେ ତଦନ୍ତରୁ ବହୁ ଗୁରତ୍ୱପୂର୍ଣ୍ଣ ତଥ୍ୟ କମିଶନରେଟ୍‌ ପୋଲିସ ପାଇଛି। କାର୍ଯ୍ୟାଳୟରୁ ପୋଲିସକୁ ୩ଟି ଜାଲ୍‌ ପରିଚୟ ପତ୍ର ମିଳିଛି। ସେଥିରୁ ଗୋଟିଏ ପାନ୍‌କାର୍ଡରେ ସୁଶୀଲ ଧଳସାମନ୍ତଙ୍କ ଫଟୋ ଥିବା ବେଳେ ସୁନୀଲ ପଟ୍ଟନାୟକ ବୋଲି ଉଲ୍ଲେଖ ରହିଛି। ଆସନ୍ତାକାଲି ଦୁଇଭାଇଙ୍କ ଚତୁର୍ଥ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହୋଉଛି।

ଅନ୍ୟପକ୍ଷେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ପ୍ରଥମ ଥର ପାଇଁ ଡି’ ବ୍ରଦର୍ସଙ୍କ ହାତକଡି ପକାଯାଇ ସିଡିଏ ଅଫିସ ନିଆଯିବା ବେଳେ ଦୁଇଭାଇ ପ୍ରତିକ୍ରିୟାଶୀଳ ହୋଇପଡିଥିଲେ। ସେମାନଙ୍କ ହାତକଡି ପିନ୍ଧା ଦୃଶ୍ୟ ସମସ୍ତେ ଦେଖନ୍ତୁ ଏହାକୁ ସହଜରେ ହଜମ କରିପାରି ନ ଥିଲେ ଦୁଇଭାଇ। ନାଲି ଆଖି ଦେଖାଇ ସାନଭାଇ ସୁଶୀଲ ଧଳସାମନ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ କ୍ୟାମେରା ଠେଲିବାକୁ ଉଦ୍ୟମ କରିଥିବା ବେଳେ ବଡ ଭାଇ ସୁଶାନ୍ତ ଖରାପ ଭାଷା ପ୍ରୟୋଗ କରିଥିବା ଜଣାପଡିଛି।

ଚତୁର୍ଥ ପର୍ଯ୍ୟାୟ ଜେରାରୁ କମିଶନରେଟ୍‌ ପୋଲିସ ଡି’ ବ୍ରଦର୍ସଙ୍କ ପାଖରୁ ସିଡିଏ ଅଫିସରେ ବହୁ ନକଲି ଡକ୍ୟୁମେଣ୍ଟ ରହିଥିବା ଜାଣିବାକୁ ପାଇଥିଲା। ଏଥିପାଇଁ ଦୁଇ ଭାଇଙ୍କୁ ସମ୍ପୃକ୍ତ ଅଫିସକୁ ନେଇ ଆଜି ପୋଲିସ ଯାଞ୍ଚ କରିଥିଲା। ଆସନ୍ତାକାଲି ଦୁଇଭାଇଙ୍କ ଚତୁର୍ଥ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେଉଛି।