ଡି’ ବ୍ରଦର୍ସଙ୍କ ପୁରୁଣା ଫାଇଲ୍‌ ଖୋଲିବାକୁ ପୋଲିସର ସଜବାଜ, ଚୌଦ୍ୱାର ଜେଲ୍‌ରୁ ସ୍ଥାନାନ୍ତର ହେବେ

କଟକ: ଡି’ ବ୍ରଦର୍ସଙ୍କ ପୁରୁଣା ଅପରାଧ ପେଡ଼ି ଖୋଲିବାକୁ କମିଶନରେଟ୍‌ ପୋଲିସ ଅଣ୍ଟା ଭିଡ଼ିଛି। ବନ୍ଦ ହୋଇଯାଇଥିବା ୪ଟି ଅପହରଣ ମାମଲା ପୁଣି ଖୋଲିବାକୁ କମିଶନରେଟ୍  ପୋଲିସ୍ ଯୋଜନା କରୁଛି। ଏସବୁ ମାମଲାରେ ଡି’ ଲିଙ୍କ୍ ନେଇ ସୁରାକ୍ ମିଳିବା ପରେ ପୋଲିସ ତନାଘନା ଆରମ୍ଭ ହୋଇଛି। ଏହାସହ ଡି’ ବ୍ରଦର୍ସଙ୍କ ବେଆଇନ ଟେଣ୍ଡର କାରବାର ସମ୍ପର୍କରେ ଲାଗି ବିଭିନ୍ନ ସରକାରୀ ସଂସ୍ଥାଠାରୁ ତଥ୍ୟ ଲୋଡ଼ାଯାଇଛି। ସିଏମ୍‌ସି, ଆର ଆଣ୍ଡ ବି, ଆରଡି ସଂସ୍ଥାକୁ କମିଶନରେଟ୍‌ ପୋଲିସ ପକ୍ଷରୁ ନୋଟିସ୍‌ କରାଯାଇ ତଥ୍ୟ ଦେବାକୁ କୁହାଯାଇଛି।

ସୁରକ୍ଷା ଦୃଷ୍ଟରୁ ଦୁଇ ଭାଇଙ୍କୁ ଚୌଦ୍ୱାର ଜେଲ୍‌ରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ କଟକ ଏସ୍‌ଡିଜେମ୍‌ କୋର୍ଟରେ ଆବେଦନ କରିଥିଲେ। ଦୁଇଭାଇଙ୍କୁ ବଲାଙ୍ଗିର ଓ ଝାରପଡ଼ା ଜେଲକୁ ସ୍ଥାନାନ୍ତର କରିବାକୁ ପୋଲିସ ଆବେଦନରେ ଅନୁରୋଧ କରିଥିଲେ। ଆଜି ଏହି ଆବେଦନର ଶୁଣାଣି ହୋଇଛି। କୋର୍ଟ ବଡ଼ଭାଇ ସୁଶାନ୍ତକୁ ଝାରପଡ଼ା ଓ ସାନଭାଇ ସୁଶୀଲକୁ ବାଲେଶ୍ୱର ଜେଲ୍‌କୁ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଛନ୍ତି।

ପୂର୍ବରୁ ପ୍ରମାଣ ଅଭାବରୁ ଧଳସାମନ୍ତ ଭାଇଙ୍କ ବିରୋଧରେ ଥିବା ଅନେକ ମାମଲାକୁ ପୋଲିସ ବନ୍ଦ କରିଦେଇଥିଲା। ଗିରଫ ଡି’ ବ୍ରଦର୍ସ ଓ ତାଙ୍କ ସହଯୋଗୀଙ୍କୁ ପଚରାଉଚରା ବେଳେ ଏହି ମାମଲା ଗୁଡିକ ସମ୍ପର୍କରେ ପୋଲିସ ବହୁ ସୂଚନା ପାଇଛି। ପୋଲିସ ପୁଣି ଥରେ ଖୋଲିବାକୁ ଥିବା ଫାଇଲ୍‌ରେ ୪ଟି ଅପହରଣ ମାମଲା ରହିଛି। ପୂର୍ବରୁ ଏହି ମାମଲାଗୁଡ଼ିକର କିପରି ତଦନ୍ତ ହୋଇଥିଲା ତାର ଅନୁଧ୍ୟାନ କରାଯାଉଥିବା ପୋଲିସ୍‌ କମିଶନର ୱାଇ.ବି. ଖୁରାନିଆ କହିଛନ୍ତି।

ପୋଲିସ କମିଶନର ଖୁରାନିଆ କହିଛନ୍ତି, “ତଦନ୍ତ ବେଳେ ଯାହା ତଥ୍ୟ ମିଳିଛି ସେଗୁଡିକୁ ତଜର୍ମା କରୁଛୁ। ଏଥିରୁ ଯଦି ଲାଗିବ ପୁରୁଣା ମାମଲାରେ କିଛି ନୂଆ ତଥ୍ୟ ଆସୁଛି ତାହାର ତଦନ୍ତ କରାଯିବ।”

ସୁରକ୍ଷା ଦୃଷ୍ଟିରୁ ଡି’ ବ୍ରଦର୍ସଙ୍କୁ ଚୌଦ୍ୱାର ଜେଲରୁ ବଲାଙ୍ଗିର ଓ ଯାଜପୁର ଜେଲ୍‌କୁ ସ୍ଥାନାନ୍ତର କରିବାକୁ କମିଶନରେଟ୍‌ ପୋଲିସ କୋର୍ଟରେ ଆବେଦନ କରିଥିଲା। ଏହାର ଶୁଣାଣି ଆଜି ଶେଷ ହୋଇ ରାୟ ସଂରକ୍ଷିତ ରହିଛି।