ଧଉଳି ପାହାଡ଼ରୁ ଖସି ପଡ଼ିଲା ଟୁରିଷ୍ଟ ବସ୍‌, ୩୬ ଯାତ୍ରୀ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଧଉଳି ପାହାଡ଼ରୁ ଆଜି ଏକ ଟୁରିଷ୍ଟ ବସ୍‌ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିବାରୁ ୩୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କୁ ମଧ୍ୟରୁ ଜଣେ ଗୁରୁତର ଅଛନ୍ତି। ୬ ଜଣଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ପଶ୍ଚିମବଙ୍ଗ ମେଦିନପୁରରୁ ଏହି ଟୁରିଷ୍ଟ ବସ୍‌ (WB29-9036) ଆସିଥିଲା। ବସ୍‌ରେ ୪ ଶିଶୁଙ୍କ ସମେତ ୬୫ରୁ ଅଧିକ ଯାତ୍ରୀ ଥିଲେ।

ଧଉଳି ଶାନ୍ତିସ୍ତୁପ ଦେଖଇ ଫେରିବା ବେଳେ ସବ୍‌ର ବ୍ରେକ୍ ଫେଲ ହୋଇଯିବାରୁ ଏହା ଭାରସାମ୍ୟ ହରାଇ ଖସି ପଡିଥିଲା। ପୋଲିସ୍‌ ସହ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଗାଡ଼ିରେ ଥିବା ଦୁଇ ଜଣ ଡ୍ରାଇଭର ମଧ୍ୟରୁ ଜଣେ ଆହତ ହୋଇଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛନ୍ତି।

ଦୁର୍ଘଟଣାରେ ଆହତ ହୋଇଥିବା ପର୍ଯ୍ୟଟକମାନଙ୍କୁ ମାଗଣା ଚିକିତ୍ସା କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଦୁର୍ଘଟଣା ସଂପର୍କରେ ପଶ୍ଚିମବଙ୍ଗ ସରକାରଙ୍କ ସହ ଯୋଗାଯୋଗ କରାଯାଇଛି। ଆହତମାନଙ୍କ ପାଇଁ କ୍ୟାପିଟାଲ ହସପିଟାଲ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ହେଲ୍ପଲାଇନ ନମ୍ବର ହେଲା ୦୬୭୪-୨୩୯୧୯୮୩।

କ୍ୟାପିଟାଲ ହସପିଟାଲରେ ଆହତ ଯାତ୍ରୀଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ନରଞ୍ଜନ ସାହୁ ଭେଟିବା ସହ ସେମାନଙ୍କ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ  ପଚାରି ବୁଝିଛନ୍ତି।

ଓଏମ୍‌ଭିଓ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ସେ କହିଛନ୍ତି, “ବସ୍‌ର ଫିଟନେସ୍‌ ଠିକ୍‌ ଅଛି। ଟେମ୍ପରାରୀ ପରମିଟ୍‌ରେ ବସଟି ଓଡ଼ିଶା ଆସିଥିଲା।”

ସ୍ୱାସ୍ଥ୍ୟ ସଚିବ କହିଛନ୍ତି,“ଧଉଳି ପାହାଡ଼ରୁ ଖସି ପଡ଼ିଥିବା ବସରେ ଥିବା ଶିଶୁମାନେ ସୁରକ୍ଷିତ ଅଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ୬ ଜଣ ଯାତ୍ରୀଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି। ଆଉ ୭ଜଣ କ୍ୟାପିଟାଲ ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟ ସମସ୍ତ ଆହତ ଯାତ୍ରୀଙ୍କୁ ଚିକିତ୍ସା ପରେ ଛାଡିଦିଆଯାଇଛି।”