ଦାମଙ୍କୁ ବିଜେଡିରୁ ବହିଷ୍କାର କରାଯାଉ: ବିଷ୍ଣୁ

bishnudasଭୁବନେଶ୍ୱର: ଦାମୋଦର ରାଉତଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରାଯାଉ। ତାଙ୍କୁ ଦଳର ଉପ-ସଭାପତି ପଦରୁ ବିତାଡ଼ିତ କରାଯାଉ। ସର୍ବୋପରି ତାଙ୍କୁ ଦଳରୁ ବହିଷ୍କାର କରାଯାଉ। ଦଳରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଏହା ଅତ୍ୟନ୍ତ ଜରୁରୀ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ତୁରନ୍ତ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ବିଜେଡିର ବରିଷ୍ଠ ନେତା ତଥା ଦାମଙ୍କ ଦୃଢ଼ ବିରୋଧୀ ଭାବେ ଜଣାଶୁଣା ବିଷ୍ଣୁ ଦାସ ଏହି ଦାବି କରିଛନ୍ତି। ଦାମ-ଦେବାଶିଷ ବାକଯୁଦ୍ଧ ସଂପର୍କରେ ପ୍ରତିକ୍ରିୟା ରଖିବ ବୁଧବାର ବିଷ୍ଣୁ ଏଭଳି ଦାବି କରିଛନ୍ତି।

ସେ କହିଛନ୍ତି,‘ଦାମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ସେ ବାରମ୍ବାର ଦଳରେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି। ସରକାରର ବରିଷ୍ଠ ମନ୍ତ୍ରୀ ହୋଇ ମଧ୍ୟ ସେ ବାରମ୍ବାର ସରକାରଙ୍କୁ କଟୁ ସମାଲୋଚନା କରି ଆସୁଛନ୍ତି। ଏହାକୁ ସେ ଅଭ୍ୟାସରେ ପରିଣତ କରି ଦେଇଛନ୍ତି। ଚର୍ଚ୍ଚାରେ ରହିବା ପାଇଁ ସେ ଏମିତି କରୁଛନ୍ତି। ଆଉ ବିରୋଧୀ ଦଳଗୁଡ଼ିକୁ ତାଙ୍କୁ ଏଥିପାଇଁ ଉତ୍ସାହିତ କରୁଛନ୍ତି।’

ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ତ୍ରୀମାନଙ୍କୁ ଅଣ୍ଡା ମାଡ଼ କରାଯାଉଥିବା ବେଳେ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଥିଲେ ଯେ ତାଙ୍କ ଉପରକୁ କେହି ଅଣ୍ଡା ମାଡ଼ କରୁ ନାହାନ୍ତି। ଓଲଟି ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି। ଦାମଙ୍କ ଏଭଳି ମନ୍ତବ୍ୟକୁ ସମାଲୋଚନା କରି ବିଷ୍ଣୁ କହିଛନ୍ତି, ତାଙ୍କୁ (ଦାମ) କଂଗ୍ରେସ ଦଳ କିପରି ଅଣ୍ଡା ମାଡ଼ କରିବ? ସେ ତ କଂଗ୍ରେସର ପ୍ରଭାରୀ ଭଳି କାମ କରୁଛନ୍ତି। ସେ ଅଣ୍ଡା ମାଡ଼କୁ ଉତ୍ସାହିତ କରୁଛନ୍ତି। ସେ ହେଉଛନ୍ତି ଏ ଅଣ୍ଡା ମାଡ଼ର ପ୍ରକୃତ ସ୍ରଷ୍ଟା। କଂଗ୍ରେସକୁ କହି ସେ ଅଣ୍ଡା ମାଡ଼ କରାଉଛନ୍ତି। ପୁଣି ନିର୍ଦ୍ଦିଷ୍ଟ କେଉଁ ମନ୍ତ୍ରୀଙ୍କୁ ଅଣ୍ଡା ମାଡ଼ କରାଯିବ, ତାହା ବି ଦାମଙ୍କ ନିର୍ଦ୍ଦେଶରେ ହେଉଛି।

ବିଷ୍ଣୁ ଆହୁରି ମଧ୍ୟ କହିଛନ୍ତି ଯେ ଦାମୋଦର ରାଉତ କଂଗ୍ରେସର ପ୍ରଭାରୀ ଭଳି କାମ କରୁଥିବା ବେଳେ ବିଜେପିର ପରାମର୍ଶଦାତା ଭାବେ କାର୍ଯ୍ୟ କରୁଛନ୍ତି। ଦୁଇଟା ଯାକ ବିରୋଧୀ ଦଳ ତାଙ୍କ ପାଖରେ ବନ୍ଧା ପଡ଼ିଛନ୍ତି।

ଦାମୋଦର ରାଉତ କହିଛନ୍ତି, ମୁଁ ତ ବେଳେ ବେଳେ ଆଶ୍ଚର୍ଯ୍ୟ ହୁଏ ବିଷ୍ଣୁ ଦାସଙ୍କ ଭଳି ଜଣେ ଲୋକ ରାଜନୀତିରେ କ’ଣ କରୁଛନ୍ତି। ଏମାନଙ୍କ ପରିଚୟ କ’ଣ ମୁଁ ଜାଣିନାହିଁ। ମୁଁ ବିଜୁ ଜନତା ଦଳର ନେତା ହୋଇ ଯଦି କଂଗ୍ରେସର ପ୍ରଭାରୀ ଓ ବିଜେପିର ପରାମର୍ଶଦାତା ହେଲି ଏହା କ’ଣ ବାହାଦୁରୀ ନୁହେଁ କି?

ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି, ବିଜେଡି ଭଳି ଏକ ବଡ଼ ଦଳରେ କାହା କାହା ମଧ୍ୟରେ କିଛି ମତାନ୍ତର ରହିବ। ତେବେ ଯାହାର ମନ୍ତବ୍ୟ ଅରୁଚିକର ହୋଇଥିବ, ଦଳ କ୍ଷତିଗ୍ରସ୍ତ ହେଉଥିବ ସେ ଦିଗରେ ଦଳର ସଭାପତି ନବୀନ ପଟ୍ଟନାୟକ ବିଚାର କରି ନିଷ୍ପତ୍ତି ନେବେ।

ରାସନ କାର୍ଡ ହାତେଇବା ପ୍ରସଙ୍ଗରେ କଟକ ମେୟରଙ୍କୁ ଏତେ ଶୀଘ୍ର ହଟା ଯିବା ଠିକ୍ ହୋଇ ନାହିଁ ବୋଲି ଦାମୋଦର ରାଉତ ମନ୍ତବ୍ୟ ଦେବା ପରେ ବିଧାକୟ ଦେବାଶିଷ ସାମନ୍ତରାୟ କହିଥିଲେ ଯେ ଦାମବାବୁ ମେୟରଙ୍କ ବିରୋଧରେ ନିଷ୍ପତ୍ତି ଭୁଲ ନିଆଯାଇଛି କହି ଦଳ ବିରୋଧରେ ଯାଇଛନ୍ତି। ବିଗତ ଦିନରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦୁଇଥର ତାଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡିଛି। ଯଦି ମୁଖ୍ୟମନ୍ତ୍ରୀ ଅନୁଭବ କରିବେ ଯେ ସେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି, ତା’ହେଲେ ପୁଣି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଅନ୍ୟପକ୍ଷରେ ଏହାର ଉତ୍ତରରେ ଦାମ କହିଥିଲେ ଯେ ସେ ଦଳ ବିରୋଧୀ ହେଲା ଭଳି କୌଣସି ମନ୍ତବ୍ୟ ଦେଇ ନ ଥିଲେ। ଦେବାଶିଷ ବିଜୁ ବିରୋଧୀ ଥିଲେ ବୋଲି ଦାମ କହିଥିଲେ।