ଦିଲ୍ଲୀରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ: ୩ଦିନ ପରେ ଶବ ଉଦ୍ଧାର,ହତ୍ୟା ଅଭିଯୋଗ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଓଡ଼ିଆ  ଡାକ୍ତରୀ ଛାତ୍ରଙ୍କ ରହସ୍ୟଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଠାକୁରପାଲି ଗାଁର ମଙ୍ଗୁଳି ପ୍ରଧାନଙ୍କ ଡାକ୍ତରୀ ପଢୁଆ ପୁଅ ଉଦିତ୍ ପ୍ରଧାନ।  ସେ ସାଉଥ୍ ଦିଲ୍ଲୀ ସ୍ଥିତ ବସନ୍ତକୁଞ୍ଜ ଅଞ୍ଚଳରେ ରହି ଏମସିଆଇର ଏକଜାମ ପାଇଁ ପ୍ରସ୍ତୁତି କରୁଥିଲେ।

ବାପା ମଙ୍ଗୁଳିଙ୍କ କହିବା ଅନୁଯାୟୀ, ଉଦିତ୍ ବସନ୍ତକୁଞ୍ଜରେ ଏକ ଘର ଭଡ଼ାକୁ ନେଇ ତାଙ୍କର ଜଣେ ବନ୍ଧୁଙ୍କ ସହ ରହୁଥିଲେ। ଗତ ଦୁଇ ତାରିଖରେ ଶେଷ ଥର ପାଇଁ ସେ ଉଦିତଙ୍କ ସହ ଫୋନରେ କଥା ହୋଇଥିଲେ। ହେଲେ ଏହା ପରେ ତାଙ୍କ ଫୋନ୍ ଲାଗି ନ ଥିଲା। ଶେଷରେ ଜଣେ ସଂପର୍କୀୟଙ୍କୁ ପଠାଇ ୬ ତାରିଖରେ ତାଙ୍କଠାରୁ ପୁଅର ମୃତ୍ୟୁ ଖବର ପାଇଥିଲେ। ଉଦିତଙ୍କ ମୃତ୍ୟୁର ୩ଦିନ ପରେ ପୋଲିସ୍ ଆସି ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ହେଲେ କ୍ୱାର୍ଟରଟିର ଗୋଟିଏ ରୁମରେ ଉଦିତ୍ ଓ ଅନ୍ୟ ରୁମରେ ତାଙ୍କ ବନ୍ଧୁ ରହୁଥିଲେ।  ଉଦିତଙ୍କ ମୃତ୍ୟୁର ତିନି ଦିନ ପର୍ଯ୍ୟନ୍ତ ତାଙ୍କ ବନ୍ଧୁ କେମିତି ଜାଣି ପାରିଲେନି ବୋଲି ପ୍ରଶ୍ନ କରିଛନ୍ତି ଉଦିତଙ୍କ ବାପା। ଘଟଣା ପଛରେ ତାଙ୍କ ବନ୍ଧୁଙ୍କ ହାତ ରହିଥିବା ସେ ଅଭିଯୋଗ କରିଛନ୍ତି।  ସ୍ଥାନୀୟ ପୋଲିସ୍ ନିଜ ଆଡୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।