ଦେଶରେ ବୃଦ୍ଧି ପାଉଥିବା ନୈତିକ ଅସମାନତା ପ୍ରତିବାଦରେ ପଦ୍ମଶ୍ରୀ ଉପାଧି ଫେରାଇଲେ କବି ଜୟନ୍ତ ମହାପାତ୍ର

ଭୁବନେଶ୍ୱର: ଦେଶର ଅସହିଷ୍ଣୁତା ବଢୁଥିବା ଅଭିଯୋଗ କରି ପୁରସ୍କାର ଫେରାଉ ଥିବା ବ୍ୟକ୍ତି ବିଶେଷଙ୍କ ତାଲିକାରେ ସାମିଲ ହୋଇଛନ୍ତି ବିଶିଷ୍ଟ ଓଡ଼ିଆ କବି ଜୟନ୍ତ ମହାପାତ୍ର। ନିଜ ପଦ୍ମଶ୍ରୀ ଉପାଧି ଫେରାଇବା ନେଇ ସେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଚିଠି ଲେଖି ଅବଗତ କରିଛନ୍ତି। ତେବେ ଚିଠିରେ ସେ ଅସହିଷ୍ଣୁତା କଥା ଉଲ୍ଲେଖ କରିନାହାନ୍ତି। ଦେଶରେ ବୃଦ୍ଧି ପାଉଥିବା ନୈତିକ ଅସମାନତାର ପ୍ରତିବାଦ କରିବା ଲାଗି ଏହା ଏକ ଛୋଟିଆ ପଦକ୍ଷେପ। ଦେଶରେ ଜଣେ ସାଧାରଣ ନାଗରିକର ମୌଳିକ ସ୍ୱାଧୀନତା କ୍ଷୁର୍ଣ୍ଣ କରାଯାଉଛି। ସେ ୮୮ ବର୍ଷରେ ପହଞ୍ଚି ସାରିଥିବାରୁ ଏହି ସମସ୍ୟାର ସମାଧାନ ଲାଗି ଉଦ୍ୟମ କରିବା ସ୍ଥିତିରେ ନ ଥିବା ଲେଖିଛନ୍ତି। ତେଣୁ ବହୁ ଆତ୍ମ ଚିନ୍ତନ ପରେ ଏହି ପଦକ୍ଷେପ ନେବାକୁ ସ୍ଥିର କରିଥିବା ଚିଠିରେ ସେ ରାଷ୍ଟ୍ରପତିଙ୍କୁ ଜଣାଇଛନ୍ତି। ତାଙ୍କ ପଦକ୍ଷେପକୁ କୌଣସି ମତେ ଦେଶ ପ୍ରତି ଅସମ୍ମାନ ଭାବେ ବିବେଚନା ନ କରିବାକୁ ସେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ୨୦୦୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଅନ୍ୟପକ୍ଷେ ଜାତି ଦେଇଥିବା ସମ୍ମାନ ଫେରାଇବା ଠିକ୍ ନୁହେଁ ବୋଲି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି।

କିଛିଦିନ ହେଲା ଦେଶରେ ଅସହିଷ୍ଣୁତା ବଢିବା ସହ ଭାରତୀୟ ସମାଜର ମୌଳିକ ଢାଞ୍ଚା ପ୍ରତି ବିପଦ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଆସୁଛି। ପ୍ରତିବାଦରେ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକଙ୍କଠାରୁ ଆରମ୍ଭ କରି କବି, ଲେଖକ, ଗାଳ୍ପିକ, ଔପନାସିକ ଏବଂ ସମାଜସେବୀଙ୍କ ସମେତ ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିମାନେ ଜାତୀୟ ପୁରସ୍କାର ଫେରାଉଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।