ଧଳସାମନ୍ତ ଭ୍ରାତାଙ୍କ ଦୁଇ ସହଯୋଗୀ ଗିରଫ; ୧୨ ଲକ୍ଷ ଟଙ୍କା, ୪ ବନ୍ଧୁକ ଓ ୧୬୦ ରାଉଣ୍ଡ ଗୁଳି ଜବତ

କଟକ: ଧଳସାମନ୍ତ ଭ୍ରାତାଙ୍କ ଅପରାଧ ସାମ୍ରାଜ୍ୟ ନେଇ ଖୋଳତାଡ଼ ଜାରି ରଖିଛି କମିଶନରେଟ୍ ପୋଲିସ୍। ଏହି ଘଟଣାରେ କଟକ ପୋଲିସ୍ ଧଳସାମନ୍ତ ଭ୍ରାତାଙ୍କର  ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରିଛି। ସେମାନେ ହେଲେ ଭରତ ସ୍ୱାଇଁ ଓ ରାମ ଦାସ। ସେମାନଙ୍କ ଘର କଟକର ଚାଉଳିଆଗଞ୍ଜ ଅଞ୍ଚଳରେ। ସେମାନଙ୍କ ଘରୁ ପୋଲିସ୍ ଚାରିଟି ବନ୍ଧୁକ ଓ ୧୬୦ ରାଉଣ୍ଡ ଗୁଳି ଜବତ କରିଛି। ସେମାନଙ୍କଠାରୁ ୧୨ ଲକ୍ଷ ୪୪ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ସୋମବାର କଟକ ଡିସିପି ସଂଜୀବ ଅରୋରା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଗତକାଲି ଅପରାହ୍ନରେ ପୋଲିସ୍ ଭରତ ଓ ରାମଙ୍କ ଘର ଉପରେ ଚଢ଼ାଉ କରିଥିଲା। ଦୀର୍ଘ ୭ରୁ ଆଠ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ପୋଲିସ୍ ଏ ସବୁ ଜିନିଷ ଜବତ କରିଥିଲା। ଏହା ସହିତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା।

ଅନ୍ୟପକ୍ଷରେ ଅଧିକ ପଚରାଉଚରା ପାଇଁ ଆଜି ପୋଲିସ ଧଳସାମନ୍ତ ଭ୍ରାତା ଦ୍ୱୟ- ସୁଶାନ୍ତ ଓ ସୁଶୀଲଙ୍କୁ ରିମାଣ୍ଡରେ ନେଇ ପାରେ। ୧୦ ଦିନିଆ ରିମାଣ୍ଡ ପାଇଁ ପୂର୍ବରୂ କଟକ ଏସଡିଜେଏମ୍ କୋର୍ଟରେ କମିଶନରେଟ୍ ପୋଲିସ ଆବେଦନ କରିଥିଲା। ଆଜି ତା’ର ଶୁଣାଣି  ହେବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।