ଦୁର୍ଦ୍ଦାନ୍ତ ଧଳସାମନ୍ତ ଭ୍ରାତା ଗିରଫ; ୩ ବନ୍ଧୁକ, ୧୦୮ ଗୁଳି ଜବତ ଓ ଦୁଇ କୋଟିରୁ ଅଧିକ ଟଙ୍କା ଜବତ

dhalabrotherକଟକ: ଦାଦା ବଟି ଓ ଟେଣ୍ଡର ଫିକ୍ସିଂ ମାମଲାରେ କଟକର ଦୁର୍ଦ୍ଦାନ୍ତ ଧଳସାମନ୍ତ ଭ୍ରାତାଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍। ସେମାନେ ହେଲେ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତ। ସେମାନଙ୍କଠାରୁ ୩ଟି ରିଭଲଭର୍, ୧୦୮ଟି ଗୁଳି, ଦୁଇ କୋଟିରୁ ଅଧିକ ନଗଦ ଟଙ୍କା, ୩ଟି ମର୍ସିଡିଜ୍ ଓ ୨ଟି ଅଡି କାର୍ ଜବତ କରାଯାଇଛି। ଉଭୟଙ୍କ ନାଁରେ ଦଫା ୩୦୨, ୧୩୪, ୩୨୪, ୩୨୫, ୨୭୯, ୫୦୬ ଓ ଆର୍ମସ ଆକ୍ଟରେ ମାମଲା ରୁଜୁ କରାଯାଇଛି। ସେହିପରି ସୁଶୀଲର ପଲିଟିକାଲ ଲିଙ୍କକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ଏ ସଂପର୍କରେ ସୂଚନା ଦେଇ ନୂଆ ପୋଲିସ୍ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି, ସୁଶାନ୍ତ ଓ ସୁଶୀଲ ୧୯୯୩ରୁ ବିଭିନ୍ନ ଅପରାଧ ସହିତ ଜଡ଼ିତ। ସେମାନଙ୍କ ନାଁରେ ହତ୍ୟା, ଡକାୟତି ଭଳି ମାମଲା ରହିଛି। ସୁଶାନ୍ତ ନାଁରେ ୧୩ଟି ମାମଲା ରହିଥିବା ବେଳେ ସୁଶୀଲ ନାଁରେ ୧୧ଟି ମାମଲା ରହିଛି। ଏମାନେ ପୂର୍ବରୁ ବିଭିନ୍ନ ସମୟରେ ଗିରଫ ହୋଇଥିଲେ। ସୁଶାନ୍ତ ୨୦୦୪ ମସିହାରୁ ଫେରାର ରହିଥିଲା। ୩ଟି ହତ୍ୟା ମାମଲାରେ ତା’ ନାଁରେ ୱାରେଣ୍ଟ୍ ମଧ୍ୟ ଥିଲା। ପୋଲିସ୍ ତାକୁ ଖୋଜୁଥିଲା। କିଛି ଦିନ ତଳେ କଟକ ଚାଉଳିଆଗଞ୍ଜ ଥାନାରେ ତା’ ନାଁରେ ଏକ ହତ୍ୟା ମାମଲା ରୁଜୁ ହୋଇଥିଲା। ଇତି ମଧ୍ୟରେ ସେ ଭୁବନେଶ୍ୱରରେ ପୋଖରୀପୁଟ ଅଞ୍ଚଳରେ ରହୁଥିବା ନେଇ କଟକ ପୋଲିସ୍ ପାଖରେ ଖବର ପହଞ୍ଚିଥିଲା। ଏହା ପରେ ଗତକାଲି ରାତିରେ କଟକ ଡିସିପି ସଂଜୀବ ଆରୋରାଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଉଭୟ ସୁଶାନ୍ତ ଓ ସୁଶୀଲଙ୍କୁ ସେହି ଘରୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ୩ଟି ରିଭଲଭର ସହିତ ୧୦୮ ରାଉଣ୍ଡ ଗୁଳି ଜବତ କରାଯାଇଥିଲା। ୧୦ ଲକ୍ଷ ନଗଦ ଟଙ୍କା ମଧ୍ୟ ଜବତ କରାଯାଇଥିଲା। ଏହା ପରେ ଆଜି ତାଙ୍କର କଟକ ସ୍ଥିତ ଘରେ ଚଢ଼ାଉ କରାଯାଇଥିଲା। ସେଠାରୁ ୨ କୋଟିରୁ ଅଧିକ ଟଙ୍କା ନଗଦ ଟଙ୍କା ଜବତ କରାଯାଇଛି। ତା’ସହିତ କିଛି ଗାଡ଼ି ମଧ୍ୟ ଜବତ କରାଯାଇଛି। ଗୁଡ଼ାଏ ବ୍ୟାଙ୍କ ଖାତା ସେମାନଙ୍କଠାରୁ ଜବତ କରାଯାଇଛି।

ପୋଲିସ୍ କମିଶନର କହିଛନ୍ତି, ସୁଶାନ୍ତ ବିଶାଖାପାଟଣା, ମୁମ୍ବାଇ ଆଦି ସ୍ଥାନରେ ଲୁଚି ରହିଥିବା ଜେରା ବେଳେ କହିଛି। ଟେଣ୍ଡର ଫିକ୍ସିଂରୁ ସେ ପାଉଥିବା ଅର୍ଥକୁ ବିଭିନ୍ନ ସ୍ଥାନରେ ନିବେଶ କରିଛି। ଏ ନେଇ ତଦନ୍ତ କରାଯିବ।

ସେ କହିଛନ୍ତି, ସୁଶୀଲ ନାଁରେ କୌଣସି ମାମଲା ନ ଥିଲା। ଗତ ୧୮ ତାରିଖରେ ତା’ ନାଁରେ ଏକ ମାମଲା ରୁଜୁ ହୋଇଥିଲା। ସେହିଭଳି ଗତକାଲି ଭୁବନେଶ୍ୱରରେ ଯେଉଁ ଘରୁ ତାକୁ ଗିରଫ କରାଗଲା, ସେଠାରୁ ବନ୍ଧୁକ ଆଦି ଜବତ କରାଯାଇଥିବା ଯୋଗୁଁ ତାକୁ ସେହି ଆଧାରରେ ଗିରଫ କରାଯାଇଛି।

ସେହିପରି ଗିରଫ ସୁଶୀଲର ପଲିଟିକାଲ ଲିଙ୍କକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୁଶୀଲ କଟକ ନଗର ଯୁବକ ସଂଘର ସଭାପତି ଥିଲା। ସଂଘର ଏକ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ନେତା ସମୀର ଦେ, କଂଗ୍ରେସ ନେତା ସୁରେଶ ମହାପାତ୍ର, ଭକ୍ତ ଦାସ ପ୍ରମୁଖ ଯୋଗଦେଇଥିଲେ। ଏହାସହ ବିଭିନ୍ନ ସମୟରେ ସୁଶୀଲକୁ ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, ବିଧାୟିକା ରାଜଶ୍ରୀ ମଲ୍ଲିକଙ୍କ ସହ ଦେଖିବାକୁ ମିଳିଛି। ତେବେ ବିଭିନ୍ନ ଦଳର ଏହି ନେତାମାନେ ସୁଶୀଲର ଅପରାଧ ବିଷୟରେ ଜାଣିଥିଲେ କି ନାହିଁ ତାହା ଏବେ ଚର୍ଚ୍ଚାର ବିଷୟ ହେଉଛି।

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମୁଖ୍ୟ ଦେବାଶିଷ ସାମନ୍ତରାୟ ଅଛନ୍ତି। କୌଣସି କାର୍ଯ୍ୟକ୍ରମରେ ତାଙ୍କ ସହ ତା’ର ଦେଖା ହୋଇଥିବ। ଦଳର କାହାରିଙ୍କ ଏପରି ଅଭିଯୁକ୍ତଙ୍କ ସହ ସମ୍ପର୍କ ନାହିଁ। ଯିଏ ବି ଦୁଇଭାଇଙ୍କ ସହ ସାମିଲ ଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

କଂଗ୍ରେସ ମୁଖପାତ୍ର ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି, ସୁଶୀଲ କିଏ ମୁଁ ଜାଣିନାହିଁ କି କଂଗ୍ରେସର କେହି ଜାଣିନାହାନ୍ତି। ସେମାନଙ୍କ ସହ ଦଳର କେହି ସମ୍ପୃକ୍ତ ନାହାନ୍ତି।

ବିଜେପି ନେତା ପୃଥିରାଜ ହରିଚନ୍ଦନ କହିଛନ୍ତି, କିଏ ଅପରାଧୀ ତା’ ବିଷୟରେ ଜାଣିବା ସମ୍ଭବ ନୁହେଁ। ବଡ଼ ଲୋକଙ୍କ ସହ ଫଟୋ ଉଠାଇ ଦେଖାଇ ହେବାକୁ ସବୁ ଚାହିଁଥାନ୍ତି। ସେ ସେପରି କରିଥାଇ ପାରନ୍ତି।

ବିଜେପି ନେତା ସମୀର ଦେ କହିଛନ୍ତି, ସୁଶୀଲ କିଏ ମୁଁ ଜାଣିନାହାନ୍ତି। ସେ କାର୍ଯ୍ୟକ୍ରମରେ ସବୁ ଦଳର ନେତା ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିମାନେ ଯୋଗଦେଇଥିଲେ।

କଂଗ୍ରେସର ବରିଷ୍ଠ ନେତା ଲୁଲୁ ମହାପାତ୍ର କହିଛନ୍ତି, ସେ ଏକ ରକ୍ତଦାନ ଶିବିରର ଆୟୋଜନ କରି ୩୭୬୦ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଏତେ ପରିମାଣର ରକ୍ତ ସଂଗ୍ରହ କରିବା କିଛି ଛୋଟ କଥା ନୁହେଁ। ଏହା ରେକର୍ଡ ମଧ୍ୟ କରିଥିଲା। ସେଥିପାଇଁ ତାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି।