ଜେଲ୍ ଗଲେ ଦୁର୍ଦ୍ଦାନ୍ତ ଅପରାଧୀ ଧଳସାମନ୍ତ ଭ୍ରାତା

gun
ଧଳସାମନ୍ତ ଭ୍ରାତାଙ୍କ ଘରୁ ଜବତ କାର୍ବାଇନ ବନ୍ଧୁକ

କଟକ: କମିଶନରେଟ୍ ପୋଲିସ ଦ୍ୱାରା ଗିରଫ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଭ୍ରାତାଙ୍କୁ ଶୁକ୍ରବାର ରାତିରେ କୋର୍ଟରେ ହାଜର କରାଯିବା ପରେ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି। ସେମାନଙ୍କୁ ଗତକାଲି କଟକ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ଶନିବାର କଟକ ଡିସିପି ସଂଜୀବ ଆରୋରା ଏହି ସୂଚନା ଦେଇଛନ୍ତି। ଏହି ଦୁଇ ଭାଇଙ୍କୁ ୧୦ ଦିନ ରିମାଣ୍ଡରେ ଅଣାଯିବା ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ଡିସିପି କହିଛନ୍ତି।

ଡିସିପି ଆରୋରା କହିଛନ୍ତି, ଆଜି ବି ଧଳସାମନ୍ତ ଭ୍ରାତାଦ୍ୱୟଙ୍କ ଅଫିସ୍ ଓ ଘରେ ଚଢ଼ାଉ ଜାରି ରହିଛି। ଗତକାଲି ଚଢ଼ାଉ ବେଳେ ସେମାନଙ୍କଠାରୁ ମୋଟ ୨ କୋଟି ୬୫ ଲକ୍ଷ ୧୪ ହଜାର ୭୪୦ ଟଙ୍କା ଜବତ କରାଯାଇଛି। ସେହିପରି ଗୋଟିଏ କାର୍ବାଇନ୍ ବନ୍ଧୁକ ସହିତ ଗୋଟିଏ ଡବଲ୍ ବ୍ୟାରେଲ୍ ବନ୍ଧୁକ ଜବତ କରାଯାଇଛି। ୪ଟି ମାଉଜର ଓ ୩ଟି ରିଭଲଭର ମଧ୍ୟ ଜବତ କରାଯାଇଛି। ଡବଲ୍ ବ୍ୟାରେଲ ବନ୍ଧୁକର ୨୩ଟି ଗୁଳି ଓ ମାଉଜରର ୧୨୭ଟି ଗୁଳି ଜବତ କରାଯାଇଛି। ସେମାନଙ୍କର ଏଯାବତ ୨୨ଟି ବ୍ୟାଙ୍କ୍ ଆକାଣ୍ଟ୍ ଠାବ କରାଯାଇଛି। ଆୟକର ବିଭାଗ ସହାୟତାରେ ତାଙ୍କର ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର ଯାଞ୍ଚ ଚାଲିଛି।

ଡିସିପି କହିଛନ୍ତି, ବହୁତ ଡାଏରୀ ସହିତ ଲାପଟପ୍ ଓ ମୋବାଇ ଜବତ କରାଯାଇଛି। ସେଗୁଡ଼ିକୁ ଯାଞ୍ଚ କରାଯାଉଛି। ସେମାନଙ୍କ ସହିତ ଆଉ କୌଣସି ଅପରାଧିକ ବ୍ୟକ୍ତି ଜଡ଼ିତ ଥିଲେ କି ନାହିଁ ସେ ନେଇ ତଦନ୍ତ କରାଯାଉଛି। ଭାଇଜାଗ୍, କୋଲକାତା, ବେଙ୍ଗଲୁରୁ ଓ ମୁମ୍ବାଇରେ ଏ ଦୁଇ ଭାଇଙ୍କର ଥିବା ନେଟୱର୍କ ସଂପର୍କରେ ଖୋଳତାଡ଼ କରାଯାଉଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଧଳସାମନ୍ତ ଭାତ୍ରାଙ୍କ ପାଖରୁ ଏତେ ପରିମାଣରେ ବନ୍ଧୁକ ମିଳିବା ନେଇ ତଦନ୍ତ କରୁଛି ପୋଲିସର ଏକ ଟିମ୍। କେଉଁଠାରୁ ସେମାନେ ବନ୍ଧୁକ ଆଣୁଥିଲେ ତା’ର ତଦନ୍ତ କରାଯାଉଛି।

ଏହି ଦୁଇ ଭାଇଙ୍କର ଆର୍ଥିକ ସାମ୍ରାଜ୍ୟର ଖୋଳତାଡ଼ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିବ। ଏଥିପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମଧ୍ୟ ଅନୁରୋଧ କରିବ କମିଶନରେଟ୍ ପୋଲିସ୍।

ଗୁରୁବାର ବିଳମ୍ବିତ ରାତିରେ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଭୁବନେଶ୍ୱରର ପୋଖରୀପୁଟ ସ୍ଥିତ ଏକ ଭଡ଼ା ଘରୁ ଗିରଫ କରାଯାଇଥିଲା।

୨୦୦୪ରୁ ସୁଶାନ୍ତ ଧଳସାମନ୍ତ ଫେରାର ରହିଥିଲା। ତା ନାଁରେ ୩ଟି ହତ୍ୟା ଘଟଣାରେ ୱାରେଣ୍ଟ୍ ଜାରି ହୋଇଥିଲା।

ସୁଶାନ୍ତ ନାଁରେ ୧୩ଟି ଓ ସୁଶୀଲ ନାଁରେ ୧୧ଟି ମାମଲା ରହିଛି।