ଧଳସାମନ୍ତ ପ୍ରସଙ୍ଗ: ଧର୍ମେନ୍ଦ୍ର କହିଲେ କାହା ମନରେ କ’ଣ ଅଛି କେମିତି ଜାଣିବା

dharmendraଭୁବନେଶ୍ୱର: କଟକର ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଭ୍ରାତା ଗିରଫ ହେବା ପରେ ସେମାନଙ୍କର ରାଜନୈତିକ ବ୍ୟକ୍ତିମାନଙ୍କ ସହିତ ଥିବା ସଂପର୍କ ନେଇ ଚାଲିଛି ଜୋରସୋର ଆଲୋଚନା। କଂଗ୍ରେସ, ବିଜେପି ଓ ବିଜେଡିର କିଛି ନେତାଙ୍କ ସହିତ ସୁଶୀଲ ବିଭିନ୍ନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ସମ୍ବଳିତ ଫଟୋ ପ୍ରସାରିତ ହେବା ପରେ ଆରମ୍ଭ ହୋଇଛି ଆଲୋଚନା। ଆଉ ଏଥିରେ ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାମ ମଧ୍ୟ ଆସିଛି। ଏଇ କିଛି ଦିନ ତଳେ କଟକରେ ଏକ ରକ୍ତଦାନ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ରଙ୍କ ସହିତ ଗୋଟିଏ ଷ୍ଟେଜରେ ଉପସ୍ଥିତ ଥିଲେ ଧଳସାମନ୍ତ ଭ୍ରାତାଦ୍ୱୟ। ତେବେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ କହିଛନ୍ତି ଯେ ସୁଶୀଲଙ୍କ ସହ ତାଙ୍କର କୌଣସି ବ୍ୟକ୍ତିଗତ ସଂପର୍କ ନାହିଁ। ଜଣେ ରାଜନୈତିକ ବ୍ୟକ୍ତି ଭାବେ ସେ ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ। ରାଜନୈତିକ ବ୍ୟକ୍ତିମାନେ ଏମିତି ସବୁ କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି। କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ପୂର୍ବରୁ ଆୟୋଜକମାନଙ୍କ ପୃଷ୍ଠଭୂମି ଆଦି ଦେଖି କେହି ଯାଆନ୍ତି ନାହିଁ। ତା’ପରେ କାହା ମନରେ କ’ଣ ଛପି ରହିଛି, ତା’ହା କେମିତି ଜଣାପଡ଼ିବ?

ସେ ଆହୁରି ମଧ୍ୟ କହିଛନ୍ତି, ଆଇନ ସମସ୍ତଙ୍କ ପାଇଁ ସମାନ। ଧଳସାମନ୍ତ ଭ୍ରାତା ଦ୍ୱୟ ଏପର୍ଯ୍ୟନ୍ତ ଆଇନ ଆଗରେ ଦୋଷୀ ହୋଇ ନାହାନ୍ତି। ଯଦି ସେମାନେ ଆଇନ ଆଗରେ ଦୋଷୀ ସାବ୍ୟସ୍ତ ହେବେ ତା’ହେଲେ ସେମାନେ ଦଣ୍ଡ ପାଇବେ। ଯାହା ନ୍ୟାୟସଂଗତ, ତାହା ହିଁ ହେବ।

ଧର୍ମେନ୍ଦ୍ର କହିଛନ୍ତି, ‘ଦୋଷ ପ୍ରମାଣିତ ନ ହେଲା ପର୍ଯ୍ୟନ୍ତ କେହି ଅପରାଧୀ ନୁହନ୍ତି। ତେବେ ଯଦି କୌଣସି ଅପରାଧୀକ ବ୍ୟକ୍ତିଙ୍କ ସହିତ ମିଶି ଯଦି କୌଣସି ବ୍ୟକ୍ତି ଅପରାଧର ଷଡ଼ଯନ୍ତ୍ର କରୁଥାଆନ୍ତି, ତା’ହେଲେ ତାହା ଗର୍ହିତ ଅପରାଧ। ଆଉ ମୁଁ ସେହିଭଳି ପାପର ଭାଗିଦାର ହୋଇନି।’

ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ ଓ ରାଜଶ୍ରୀ ମଲ୍ଲିକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ସୁଶୀଲଙ୍କ ସହ ଉପସ୍ଥିତ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏନେଇ ବିଜେଡି ମୁଖପାତ୍ର ସମୀର ଦାଶ କହିଛନ୍ତି ଯେ ଧଳସାମନ୍ତ ଭ୍ରାତାଙ୍କ ସହିତ ଦଳର କୌଣସି ନେତାଙ୍କର ବ୍ୟକ୍ତିଗତ ସଂପର୍କ ରହିଥିଲେ ଦଳୀୟ ସଭାପତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

କଂଗ୍ରେସ ନେତା ଲୁଲୁ ମହାପାତ୍ର ମଧ୍ୟ କଟକର ଉକ୍ତ ରକ୍ତଦାନ ଶିବିରରେ ଉପସ୍ଥିତ ଥିଲେ। ସେ ସଫେଇ ଦେଇ କହିଛନ୍ତି, ଯୁବକମାନେ ରକ୍ତଦାନ ଶିବିର ଆୟୋଜନ କରୁଥିଲେ। ସେମାନଙ୍କୁ ଉତ୍ସାହିତ କରିବା କ’ଣ ଭୁଲ୍ ?