କଂସ ବଦ୍ଧ ସହ ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼: କୃଷ୍ଣ, ବଳରାମଙ୍କୁ ହତ୍ୟା କରିବାର ମହାରାଜା କଂସଙ୍କ ସବୁ ଯୋଜନା ଗୋଟିଏ ପରେ ଗୋଟିଏ ପଣ୍ଡ ହୋଇଯାଇଛି। ଶେଷରେ ମହାପ୍ରତାପୀ କଂସଙ୍କୁ ଶ୍ରୀକୃଷ୍ଣ ବଦ୍ଧ କରିଛନ୍ତି। ପୁଣି ସଂସାରରେ ଶାନ୍ତି ସ୍ଥାପନ ହୋଇଛି। ଏହାସହ ଶେଷ ହୋଇଛି ୧୧ଦିନ ଧରି ଚାଲିଥିବା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା।

ଗତ ୧୪ ତାରିଖରେ ଧନୁଯାତ୍ରା ଆରମ୍ଭ ହୋଇଥିଲା। ପୁରା ଜିଲ୍ଲାରେ ଦେଖିବାକୁ ମିଳିଥିଲା ଉତ୍ସାହ ଓ ଉଦ୍ଦୀପନା। ମହାରାଜା କଂସଙ୍କ ରାଜୁତି ସହ ନଗର ଭ୍ରମଣ ଓ ବିଶୃଙ୍ଖଳିତ ପ୍ରଜାକୁ ଦଣ୍ଡ ବ୍ୟବସ୍ଥା ବେଶ ଚିତାକର୍ଷକ ଥିଲା। ସେହିପରି ମହାରାଜା କଂସଙ୍କ ରାଜଦରବାରକୁ ନିମନ୍ତ୍ରିତ ଅତିଥି ଭାବେ ଆସିଥିବା ରାଜନେତା ଓ ପ୍ରଶାସନିକ ଅଧିକାରୀଙ୍କୁ ମହାରାଜା ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଆଦେଶ ଦେବା ସହ ନିଜ କାର୍ଯ୍ୟ ଠିକରେ ସମ୍ପାଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ଥିଲା କୃଷ୍ଣ, ବଳରାମଙ୍କ ଲୀଳାଖେଳା। କୃଷ୍ଣ ଜନ୍ମଠାରୁ ଆରମ୍ଭ କରି, ବାଲ୍ୟଖେଳ, ଲହୁଣୀ ଚୋରୀ, ବସ୍ତ୍ରହରଣ, କାଳୀୟ ଦଳନ, ମହାରାଜା କଂସ ପଠାଇଥିବା ରାକ୍ଷସଙ୍କ ବଦ୍ଧ ବେଶ ଚିତ୍ତାକର୍ଷକ ଥିଲା।