ଢେଙ୍କାନାଳରେ ନାବାଳିକା ବାଳାତ୍କାର ଓ ଆତ୍ମାହୁତି ଘଟଣା: ମୁଖ୍ୟ ଅଭିଯୁକ୍ତ ରଞ୍ଜନ ସାହୁ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ଭଗବାନପୁର ଗାଁରେ ନାବାଳିକା ବଳାତ୍କାର ଓ ଆତ୍ମାହୁତି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍। ତା’ ନାଁ ରଞ୍ଜନ ସାହୁ। ତାକୁ ଢେଙ୍କାନାଳର କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କରୋଗଳା ଗାଁରୁ ଗିରଫ କରାଯାଇଛି। ସେ ତାର ଜଣେ ଧର୍ମବାପାଙ୍କ  ଘରେ ଲୁଚି ରହିଥିଲା। ଗତକାଲି ରାତି ତାକୁ ଗିରଫ କରାଯାଇଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଢେଙ୍କାନାଳ ଅତିରିକ୍ତି ଏସପି ଅନୀଲ କୁମାର ଦାସ କହିଛନ୍ତି।

ଏଏସପି ଦାସ କହିଛନ୍ତି, ରଞ୍ଜନଙ୍କୁ ଖୋଜିବା ପାଇଁ ଏକାଧିକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନକୁ ପଠାଯାଇଥିଲା। ତାକୁ ଖୋଜିବାକୁ ଏକ ଟିମ୍ ଜିଲ୍ଲା ବାହାରକୁ ବି ଯାଇଥିଲା। ତେବେ ଗତକାଲି ରାତିରେ ତାକୁ କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ କରୋଗଳା ଗାଁରୁ ଗିରଫ କରାଯାଇଥିଲା। ସେ ତା’ ଧର୍ମବାପା ଘରେ ଲୁଚି ଥିଲା। ତାକୁ ସେଠାରୁ ଗିରଫ କରାଯାଇଥିଲା। ତାକୁ ଟାଉନ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଇଛି। ଆଜି ତାକୁ କୋର୍ଟ ଚାଲାଣ କରାଯିବ।

ଅନ୍ୟପକ୍ଷରେ ମୃତ ନାବାଳିକାଙ୍କ ପରିବାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯିବା ଦାବିରେ ବିଜେପି ପକ୍ଷରୁ ଆଜି ଢେଙ୍କାଳନାଳ କଲେଜ ବାଇପାସ୍ ଛକ ନିକଟରେ ରାସ୍ତାରୋକ କରାଯାଇଥିଲା।

ଅଭିଯୋଗ ଅନୁଯାୟୀ ଶନିବାର ବିଳମ୍ବିତ ରାତିରେ ଭଗବାନପୁରରେ ଜଣେ ଦିନମଜୁରିଆଙ୍କ ଏହି ନାବାଳିକ ଝିଅ ବଳାତ୍କାରର ଶିକାର ହୋଇଥିଲେ। ରଞ୍ଜନ ତାକୁ ଉଠାଇ ନେଇ ବଳାତ୍କାର କରିଥିଲା। କିନ୍ତୁ ଲୋକଲଜ୍ଜା ଭୟରେ ଝିଅଟିର ପରିବାର ଲୋକେ ଥାନାରେ ଅଭିଯୋଗ କରି ନ ଥିଲେ। ପରେ ରବିବାର ସକାଳେ ଘରେ କେହି ନ ଥିବା ବେଳେ ଝିଅଟି ଷ୍ଟୋଭରୁ କିରୋସିନି ଢାଳି ଦେହରେ ନିଆଁ ଲଗାଇ ଦେଇଥିଲା।

ଝିଅର ବଳାତ୍କାରୀକୁ ଗିରଫ କରିବା ଦାବିରେ ଗତକାଲି ପରିବାର ଲୋକଙ୍କ ସହିତ କଂଗ୍ରେସ ପକ୍ଷରୁ ଢେଙ୍କାନାଳରେ ରାସ୍ତାରୋକ କରାଯାଇଥିଲା।  ସହରର ବାଜି ରାଉତ ଛକରେ ସେମାନେ ରାସ୍ତାରୋକ କରିଥିଲେ।