ଢେଙ୍କାନାଳରେ ବଳାତ୍କାର ପରେ ନାବାଳିକାର ଆତ୍ମାହୁତି ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ ପରିବାର ଓ କଂଗ୍ରେସ ପକ୍ଷରୁ ରାସ୍ତାରୋକ

ଢେଙ୍କାନାଳ: ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ଭଗବାନପୁର ଗାଁରେ ଗତକାଲି ବଳାତ୍କାରର ଶିକାର ହୋଇଥିବା ଜଣେ ୧୭ ବର୍ଷର ନାବାଳିକା ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ଅଭିଯୁକ୍ତକୁ ଗିରଫ କରାଯିବା ଦାବିରେ ଆଜି ମୃତ ନାବାଳିକାର ପରିବାର ଲୋକ ଓ କଂଗ୍ରେସ ପକ୍ଷରୁ ଢେଙ୍କାନାଳରେ ରାସ୍ତାରୋକ କରାଯାଇଛି। ସହରର ବାଜି ରାଉତ ଛକରେ କରାଯାଇଛି ଏହି ରାସ୍ତାରୋକ। ଅନ୍ୟପକ୍ଷରେ ନାବାଳିକାର ମୃତଦେହ ଏବେବି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ରହିଛି।

ଶନିବାର ବିଳମ୍ବିତ ରାତିରେ ଝିଅଟି ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ତା’ ପରେ ରବିବାର ସକାଳ ପ୍ରାୟ ୯ଟା ବେଳେ ଘରେ କେହି ନ ଥିବା ବେଳେ ଝିଅଟି ଲୋକଲଜ୍ଜା ଭୟରେ ଦେହରେ କିରୋସିନି ଢାଳି ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ବଳାତ୍କାର ପରେ ପରିବାର ଲୋକେ କୌଣସି ଅଭିଯୋଗ କରି ନ ଥିଲେ ହେଁ ଝିଅଟି ଆତ୍ମହତ୍ୟା କରିବା ପରେ ସେମାନେ ଏହି ଅଭିଯୋଗ ମଧ୍ୟ ଆଣିଥିଲେ।

ଗତକାଲି ଢେଙ୍କାନାଳ ଏଏସପି ଅନୀଲ କୁମାର ଦାଶ କହିଥିଲେ, ଝିଅଟିର ପରିବାର ଲୋକଙ୍କ କହିବା ଅନୁଯାୟୀ ଶନିବାର ରାତିରେ ସେ ଖାଇପିଇ ଶୋଇଥିଲା। ଅନ୍ୟମାନେ ଶୋଇଥିବା ଅବସ୍ଥାରେ ସେ ବାହାରକୁ ଯାଇଥିଲା। ସେତେବେଳେ ଜଣେ ପଡ଼ୋଶୀ ତାକୁ ନେଇ ଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରି ଝିଅଟିକୁ ଗାଁରୁ ହିଁ ପାଇଥିଲେ। ଆଜି ସକାଳେ ଘରେ କେହି ନ ଥିବା ବେଳେ ଝିଅଟି କବାଟ ବନ୍ଦ କରି ଷ୍ଟୋଭରୁ କିରୋସିନି ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲା।  ପରିବାର ଲୋକଙ୍କ କହିବା ଅନୁଯାୟୀ ଉକ୍ତ ପଡ଼ୋଶୀ ସେମାନଙ୍କ ଝିଅ ସହିତ ଖରାପ କାମ କରିଥିଲା। ପୋଲିସ୍ ଖବର ପାଇ ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଘଟଣାର ତଦନ୍ତ ଚାଲିଛି। ଦୁଷ୍କର୍ମ କଥାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ଢେଙ୍କାନାଳ ଡିଏସପିଙ୍କ ନେତୃତ୍ୱରେ ଏହାର ତଦନ୍ତ ଚାଲିଛି।

ମୃତ ଝିଅଟିର ମା’ କହିଥିଲେ,‘ଶନିବାର ରାତିରେ ଝିଅ ସିରିଏଲ ଦେଖିସାରି ଖାଇପିଇ ଶୋଇଥିଲା। ରାତି ପ୍ରାୟ ୨ଟା ବେଳକୁ ମୋର ଆଉ ଜଣେ ଝିଅ ଶୌଚ ଯିବାକୁ ବାହାରିଥିଲା। ସେତେବେଳେ ସେ ଏଇ ଝିଅ (ମୃତ)କୁ ଡାକ ପକାଇଥିଲା। କିନ୍ତୁ ସେ ତା’ ଶୋଇବା ସ୍ଥାନରେ ନ ଥିଲା। ଖୋଜାଖୋଜି ପରେ ସେ ମିଳିଲା। ଗାଁର ଜଣେ ବ୍ୟକ୍ତି ତାକୁ ନେଇ ଯାଇଥିଲା। ଏନେଇ ପୋଲିସର ମାମଲା ରୁଜୁ କରିବାକୁ ଜଣେ ଓକିଲ ଆମକୁ କହିଥିଲେ। କିନ୍ତୁ ଲୋକ ଲଜ୍ଜା ଭୟରେ ଆମେ ମନା କରି ଦେଇଥିଲୁ। ଆମ ଝିଅକୁ ନେଇ ଯାଇଥିବା ଲୋକ ଓକିଲଙ୍କ ଆଗରେ ଲେଖିକି ଦେଇଥିଲା ଯେ ସେ ଆଉ ଏମିତି କାମ କରିବ ନାହିଁ। କିନ୍ତୁ ଲୋକଲଜ୍ଜା ଭୟରେ ମୋ ଝିଅ କେହି ନ ଥିବା ବେଳେ କିରୋସିନି ଢାଳି ଆତ୍ମହତ୍ୟା କରିଛି।’