ଯୁବକଙ୍କୁ ହତ୍ୟା ଘଟଣା: ତରଭାରେ ୧୪୪ ଧାରା ଜାରି

ଢେଙ୍କାନାଳ/ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ତରଭା ଗ୍ରାମରେ ଗୁଳିମାଡ଼ରେ ସଲମନ ରାଉତଙ୍କ ମୃତ୍ୟୁକୁ ନେଇ ଆଜି ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଦିନ ତମାମ ପୋଡ଼ାଜଳା ଲାଗି ରହିଥିବାରୁ ପୋଲିସ୍‌ ପ୍ରଶାସନ ୧୪୪ ଧାରା ଜାରି କରିଥିଲା। ଗାଁରେ ଶାନ୍ତି ନ ଫେରିବା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ କହିଛନ୍ତି।

ଆଜି ଅପରାହ୍ନରେ ସଲମନଙ୍କ ମରଶରୀର ଗାଁରେ ପହଞ୍ଚି ଥିଲା। ପରିବାର ଲୋକେ ଓ ସମ୍ପର୍କୀୟମାନେ ମରଶରୀରକୁ ଶୋଭାଯାତ୍ରାରେ ଗାଁ ପରିକ୍ରମା କରି ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଏହି ଶୋଭାଯାତ୍ରାରେ ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି, ବିଜେପି ମୁଖପାତ୍ର ସଜ୍ଜନ ଶର୍ମା, ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ପାଣି ପ୍ରମୁଖ ସାମିଲ ହୋଇଥିଲେ।

ସଲମନ ହତ୍ୟା ଘଟଣାରେ ଆଜି ପୋଲିସ୍ ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶ ବିଶ୍ୱାଳଙ୍କୁ ଗିରଫ କରିଛି। ଆଉ ଦୁଇ ଜଣଙ୍କୁ ପୋଲିସ୍ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି। ବ୍ୟୋମକେଶ କେନ୍ଦୁଝରରେ ଓଏସ୍‌ଏପି ଯବାନ ଭାବେ କାର୍ଯ୍ୟ କରନ୍ତି।

ମୁଖ୍ୟ ଅଭିଯୁକ୍ତ ବ୍ୟୋମକେଶ ବିଶ୍ୱାଳଙ୍କ ଘରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଥିଲେ। ଫଳରେ ଗୋଟିଏ ଟ୍ରାକ୍ଟର, ବାଇକ, ସାଇକେଲ, ପାଳଗଦା ଓ ସମସ୍ତ ଆସବାବପତ୍ର ଜଳି ଯାଇଛି। ଏପରିକି ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସଲମନ ଓ ବ୍ୟୋମକେଶଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଶତ୍ରୁତା ରହିଥିଲା। ଗତକାଲି ଏହା ଉଗ୍ର ରୂପ ଧାରଣ କରିଥିଲା। ପୋଷ୍ଟର ମରାକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ପରେ ବ୍ୟୋମକେଶ ପଏଣ୍ଟ ବ୍ଲାଙ୍କରେ ସଲମନଙ୍କ ଛାତିରେ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା। ଫଳରେ ସଲମନ ଗୁରୁତର ଅହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏସ୍‌ପି ବସନ୍ତ କୁମାର ପାଣିଗ୍ରାହୀ କହିଛନ୍ତି,“ଏହି ଘଟଣାରେ ଜଣକୁ ଗିରଫ କରାଯାଇଥିବା ବେଳେ ୨ ଜଣଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରାଯାଉଛି। ତଦନ୍ତ ପରେ ଯେଉଁମାନଙ୍କ ନାଁରେ ଏଫ୍‌ଆଇଆର ହୋଇଥିବା ସେମାନଙ୍କୁ ଗିରଫ କରାଯିବ।”

ଏହି ଗୁଳିକାଣ୍ଡରେ ମୃତ ସଲମନ ଜଣେ ଟ୍ୟାକ୍ସି ଚାଳକ ଥିଲେ। ସେଥିପାଇଁ ଆଜି ଭୁବନେଶ୍ୱରରେ ଟ୍ୟାକ୍ସି ଚାଳକ ସଂଘ ପକ୍ଷରୁ ରାମ ମନ୍ଦିର ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏଥିରେ ବିଜେପି କର୍ମୀ ମଧ୍ୟ ସାମିଲ ହୋଇଥିଲେ।

ଏ ଘଟଣା ପ୍ରତିବାଦରେ ଆସନ୍ତାକାଲି ବିଜେପି ପକ୍ଷରୁ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି।