ଦ୍ୱିତୀୟ ଦିନରେ କଂଗ୍ରେସର ଜାଗରଣ ଯାତ୍ରା

congress in dklଢେଙ୍କାନାଳ: କଂଗ୍ରେସର ଜାଗରଣ ଯାତ୍ରାର ଦ୍ୱିତୀୟ ଦିନରେ ଢେଙ୍କାନାଳ ଜିଲ୍ଲାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କଂଗ୍ରେସ ଢେଙ୍କାନାଳ ଜିଲ୍ଲାର ଓଡାପଡା ବ୍ଲକ କୁରୁଣ୍ଟିରୁ ମାନପୁର ଗାଁ ପର୍ଯ୍ୟନ୍ତ ୧୦ କିମି ପଦଯାତ୍ରା ହୋଇଥିଲା। ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ନେତା ଏଥିରେ ସାମିଲ ହୋଇଥିଲା। ଦଳର ରାଜ୍ୟ ପ୍ରଭାରୀ ବି.କେ. ହରିପ୍ରସାଦ,ସହ-ପ୍ରଭାରୀ ଶୁଭଙ୍କର ସରକାର, ବରିଷ୍ଠ ନେତା ଜୟଦେବ ଜେନା, ନିରଞ୍ଜନ ପଟ୍ଟନାୟକ, ସୁର ରାଉତରାୟ, ରଞ୍ଜୀବ ବିଶ୍ୱାଳ ପ୍ରମୁଖ ମଧ୍ୟ ସାମିଲ୍ ହୋଇଥିଲେ।

ଆଜି ପଦଯାତ୍ରା ଅବସରରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ, ଉଭୟ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାରେ ‘ଜାଗରଣ ଯାତ୍ରା’କୁ ମିଳିଛି ବିପୁଳ ସମର୍ଥନ। ଏଠି ଗାଁ ଗୁଡିକରେ ପିଇବା ପାଇଁ ପାଣି ନାହିଁ, କିନ୍ତୁ ‘ମଦ’ର ସୁଅ ଛୁଟୁଛି। ଗାଁ ଗୁଡିକର ଦୁରବସ୍ଥା ନ କହିଲେ ଭଲ। ରାସ୍ତାଗୁଡିକରେ ଚାଲି କି ଯିବା ବି କଷ୍ଟ। ସେ କହିଛନ୍ତି ଯେ ଡେଙ୍କାନାଳ ଜିଲ୍ଲା ହେଉଛି ବିଜୁଳିଶକ୍ତିର ଭଣ୍ଡାର। କିନ୍ତୁ ଏଠାରେ ଦିନକୁ ୧୬ ଘଣ୍ଟା ବିଦ୍ୟୁତ କାଟ୍ ହେଉଛି। ଏହାଠୁ ବଳି ବଡମ୍ବନାର ବିଷୟ ଆଉ କ’ଣ ହୋଇପାରେ।

ସେହିପରି ଆଜି ବି ପଦଯାତ୍ରାରେ ସାମିଲ ହୋଇଥିବା ଦଳର ଓଡ଼ିଶା ପ୍ରଭାରୀ ବି.କେ ହରିପ୍ରସାଦ କହିଛନ୍ତି ଯେ, ରାଜ୍ୟର ବିଜେଡି ସରକାର ନିଦରେ ଶୋଇଛନ୍ତି। ରାଜ୍ୟର ସମସ୍ୟା ଓ ଅସୁବିଧାକୁ ସରକାର ଦେଖି ପାରୁନାହାନ୍ତି।

ସୂଚନଯୋଗ୍ୟ, ଗତକାଲି ଅନୁଗୋଳ ଜିଲ୍ଲା ଧୋକୁଟାରୁ ଜାଗରଣ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା।  କଂଗ୍ରେସ ରାଜ୍ୟବ୍ୟାପୀ ମୋଟ ୧୦ଟି ପର୍ଯ୍ୟାୟରେ ଜାଗରଣ ଯାତ୍ରା କରିବ।