ଢେଙ୍କାନାଳ: ଲୋକଲଜ୍ଜା ଭୟରେ ଦୁଷ୍କର୍ମ ଶିକାର ନାବାଳିକାର ଆତ୍ମହତ୍ୟା ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ ଭଗବାନପୁର ଗାଁରେ ବଳାତ୍କାରର ଶିକାର ହୋଇଥିବା ଜଣେ ୧୭ ବର୍ଷର ନାବାଳିକା ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ଝିଅଟି ବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଝିଅଟି ଲୋକଲଜ୍ଜା ଭୟରେ ଦେହରେ କିରୋସିନି ଢାଳି ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

ଢେଙ୍କାନାଳ ଏଏସପି ଅନୀଲ କୁମାର ଦାଶ କହିଛନ୍ତି, ଝିଅଟିର ପରିବାର ଲୋକଙ୍କ କହିବା ଅନୁଯାୟୀ ଗତକାଲି ରାତିରେ ସେ ଖାଇପିଇ ଶୋଇଥିଲା। ଅନ୍ୟମାନେ ଶୋଇଥିବା ଅବସ୍ଥାରେ ସେ ବାହାରକୁ ଯାଇଥିଲା। ସେତେବେଳେ ଜଣେ ପଡ଼ୋଶୀ ତାକୁ ନେଇ ଯାଇଥିଲା। ପରିବାର ଲୋକେ ଖୋଜାଖୋଜି କରି ଝିଅଟିକୁ ଗାଁରୁ ହିଁ ପାଇଥିଲେ। ଆଜି ସକାଳେ ଘରେ କେହି ନ ଥିବା ବେଳେ ଝିଅଟି କବାଟ ବନ୍ଦ କରି ଷ୍ଟୋଭରୁ କିରୋସିନି ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲା।  ପରିବାର ଲୋକଙ୍କ କହିବା ଅନୁଯାୟୀ ଉକ୍ତ ପଡ଼ୋଶୀ ସେମାନଙ୍କ ଝିଅ ସହିତ ଖରାପ କାମ କରିଥିଲା। ପୋଲିସ୍ ଖବର ପାଇ ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଘଟଣାର ତଦନ୍ତ ଚାଲିଛି। ଦୁଷ୍କର୍ମ କଥାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ଢେଙ୍କାନାଳ ଡିଏସପିଙ୍କ ନେତୃତ୍ୱରେ ଏହାର ତଦନ୍ତ ଚାଲିଛି।

ମୃତ ଝିଅଟିର ମା’ କହିଛନ୍ତି,‘ଗତକାଲି ରାତିରେ ଝିଅ ସିରିଏଲ ଦେଖିସାରି ଖାଇପିଇ ଶୋଇଥିଲା। ରାତି ପ୍ରାୟ ୨ଟା ବେଳକୁ ମୋର ଆଉ ଜଣେ ଝିଅ ଶୌଚ ଯିବାକୁ ବାହାରିଥିଲା। ସେତେବେଳେ ସେ ଏଇ ଝିଅ (ମୃତ)କୁ ଡାକ ପକାଇଥିଲା। କିନ୍ତୁ ସେ ତା’ ଶୋଇବା ସ୍ଥାନରେ ନ ଥିଲା। ଖୋଜାଖୋଜି ପରେ ସେ ମିଳିଲା। ଗାଁର ଜଣେ ବ୍ୟକ୍ତି ତାକୁ ନେଇ ଯାଇଥିଲା। ଏନେଇ ପୋଲିସର ମାମଲା ରୁଜୁ କରିବାକୁ ଜଣେ ଓକିଲ ଆମକୁ କହିଥିଲେ। କିନ୍ତୁ ଲୋକ ଲଜ୍ଜା ଭୟରେ ଆମେ ମନା କରି ଦେଇଥିଲୁ। ଆମ ଝିଅକୁ ନେଇ ଯାଇଥିବା ଲୋକ ଓକିଲଙ୍କ ଆଗରେ ଲେଖିକି ଦେଇଥିଲା ଯେ ସେ ଆଉ ଏମିତି କାମ କରିବ ନାହିଁ। କିନ୍ତୁ ଲୋକଲଜ୍ଜା ଭୟରେ ମୋ ଝିଅ କେହି ନ ଥିବା ବେଳେ କିରୋସିନି ଢାଳି ଆତ୍ମହତ୍ୟା କରିଛି।’