ଦୁଇ ମନ୍ତ୍ରୀଙ୍କ କଳହରେ ମୁଁ ଫସି ଯାଇଛି: ମୋତିଲାଲ

motilalଭୁବନେଶ୍ୱର: ଜାଲ ବିଜ୍ଞପ୍ତି ଜରିଆରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଗିରଫ ଡାକ୍ତର ମୋତିଲାଲ ଗୌଡ଼ ଆଜି ମୁହଁ ଖୋଲିଛନ୍ତି। କୋର୍ଟରେ ହାଜର ହେବାକୁ ଆସିଥିବା ବେଳେ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ଯେ ସେ ଦୁଇ ଜଣ ମନ୍ତ୍ରୀଙ୍କ କଳହର ଶିକାର ହୋଇଛନ୍ତି। ତାଙ୍କୁ ଫସାଇ ଦିଆଯାଇଛି। ଉକ୍ତ ମନ୍ତ୍ରୀ ଦ୍ୱୟଙ୍କୁ ସାମ୍ନାକୁ ଆଣିବାକୁ ମୋତିଲାଲ ଦାବି କରି ଥିଲେ ହେଁ ସେମାନଙ୍କ ନାଁ କହି ନ ଥିଲେ।

ମୋତିଲାଲ ଆହୁରି କହିଥିଲେ, “ହାପି କରଙ୍କୁ ମୁଁ ଜାଣିଛି। ସେ ମୋର ୟୁନିଟ୍-୨ ସ୍ଥିତ କ୍ୱାର୍ଟର୍ସ ପାଖରେ ରହନ୍ତି। ଆମ ଘରକୁ ଯିବାଆସିବା କରନ୍ତି। ତାଙ୍କ ସହିତ ମୋର ସଂପର୍କ ଅଛି। ତେବେ ଆମ ଭିତରେ କିଛି ଅର୍ଥ କାରବାର ହୋଇନାହିଁ। ମୁଁ ଏ କଥା ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚକୁ ଜଣାଇଛି।”

ତାଙ୍କ ଦସ୍ତଖତ ଜାଲ କରାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି। ମୋତିଲାଲ କହିଛନ୍ତି,“ଏକ ଜେରକ୍ସ ଡକ୍ୟୁମେଣ୍ଟ ଉପରେ ଜାଲିଆତି ହୋଇଛି। ମୋର ଜାଲ୍ ଦସ୍ତଖତ ସେଥିରେ ଦିଆଯାଇଛି। ମୋ ଦସ୍ତଖତର ନମୁନା ଭିଜିଲାନ୍ସ ନେଇଛି। ମୁଁ ଭିଜିଲାନ୍ସ ଓ କ୍ରାଇମବ୍ରାଞ୍ଚକୁ ଏନେଇ ତଦନ୍ତ କରିବାକୁ ମୁଁ କହିଛି।”

ଅନ୍ୟପକ୍ଷରେ ମୋତିଲାଲଙ୍କ ଶ୍ୱଶୁର ଘର ଉପରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି। ବ୍ରହ୍ମପୁରର ଅଶୋକ ନଗର ସ୍ଥିତ ତାଙ୍କ ଶ୍ୱଶୁରଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ କରିବା ସହିତ ତାଙ୍କ ଶ୍ୱଶୁର କିଶୋର ଗୌଡ଼ ଓ ପତ୍ନୀ ରେଶମା ଗୌଡ଼ଙ୍କୁ ପଚରାଉଚରା କରିଥିଲା। କୋରାପୁଟରେ ଆସିଷ୍ଟାଣ୍ଟ ଇଂଜିନିୟର ଭାବେ ଅବସ୍ଥାପିତ କିଶୋରଙ୍କ ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟ୍ ସଂପର୍କରେ ଖୋଳତାଡ଼ କରିଛି ଭିଜିଲାନ୍ସ। ଗତକାଲି ତାଙ୍କୁ ଜେରା ବେଳେ ତାଙ୍କର ୩୫ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ନେଇ ତଥ୍ୟ ପାଇଥିଲା ଭିଜିଲାନ୍ସ। ତେବେ ଝିଅ ଓ ଜ୍ୱାଇଁଙ୍କ ଆଥିର୍କ କାରବାର ସଂପର୍କରେ ସେ କିଛି ଜାଣି ନାହାନ୍ତି ବୋଲି ଭିଜିଲାନ୍ସକୁ କହିଥିଲେ।