ମା’ ଦୁର୍ଗାଙ୍କ ଆରାଧନା ପାଇଁ ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର

cuttack-pujaଭୁବନେଶ୍ୱର: ମା’ ଦୁର୍ଗାଙ୍କ ଆରାଧନା ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପୁରପଲ୍ଲୀ। ତନ୍ତ୍ରମନ୍ତ୍ର, ଶଙ୍ଖ, ଘଣ୍ଟ ଓ ତୁରୀଭେରିରେ ଫାଟି ପଡୁଛି ପୀଠ ଓ ମଣ୍ଡପ। ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ମା’ଙ୍କୁ ପୂଜା କରୁଛନ୍ତି। ରଙ୍ଗିନ୍‌ ଆଲୋକ ସାଙ୍ଗକୁ ତୋରଣ ଦେଖି ଶ୍ରଦ୍ଧାଳୁମାନେ ବିମୋହିତ ହୋଇପଡ଼ୁଛନ୍ତି।

ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ୍‌ ପ୍ରଶାସନ ତରଫରୁ ଦ୍ୱୈତ ନଗରୀ ଭୁବନେଶ୍ୱର ଓ କଟକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂଜା ମଣ୍ଡପରେ ସିସିଟିଭି ଲଗାଇଛି।jhara-pada

ଭୁବନେଶ୍ୱରର ସହିଦ୍‌ନଗର, ନୟାପଲ୍ଲୀ, ରସୁଲଗଡ, ଝାରପଡ଼ା, ୟୁନିଟ୍‌-୧, ୟୁନିଟ୍‌-୩ ପ୍ରମୁଖ ମଣ୍ଡପରେ ମା’ ପୂଜା ପାଉଛନ୍ତି। ପରମ୍ପରା ଓ ରୀତିନୀତି ଅନୁଯାୟୀ ଆଜି ମା’ଙ୍କ ସପ୍ତମୀ ପୂଜା ଚାଲିଥିବା ବେଳେ ରାତିରୁ  ଅଷ୍ଟମୀ ପୂଜା ଆରମ୍ଭ ହେବ। ସୁ-ଉଚ୍ଚ ତୋରଣ ସାଙ୍ଗୁ ରଙ୍ଗିନ ଆଲୋକମାଳାରେ ଝଲସୁଛି ରାଜଧାନୀ।rasul-garh

ଦଶହରା ପାଇଁ ପ୍ରସିଦ୍ଧ କଟକ ସହର ଏବେ ଉତ୍ସବ ମୁଖର ହୋଇଛି। ଏଠାରେ ମୁଖ୍ୟ ଆକର୍ଷଣ ହେଉଛି ସୁନା ଓ ଚାନ୍ଦି ମେଢ। ଚଳିତବର୍ଷ ସହରରେ ୨୨ଟି ଚାନ୍ଦି ଓ ୭ଟି ସୁନା ମେଢ ହୋଇଛି। ୧୯୯୩ ମସିହାରେ ପ୍ରଥମ କରି ଚୌଧୁରୀ ବଜାର ପୂଜା କମିଟି ମା’ଙ୍କୁ ସୁନା ମୁକୁଟ ପିନ୍ଧାଇ ଥିଲା। ଚଳିତବର୍ଷ ମା’ ଦୁର୍ଗାଙ୍କ ପାର୍ଶ୍ୱ ଦେବଦେବୀଙ୍କ ସବୁ ଆଭୁଷଣ ସୁନାରେ ତିଆରି କରିଛନ୍ତି। ଏଥିରେ ପାଖାପାଖି ୩୦ କିଲୋ ସୁନା ବ୍ୟବହାର ହୋଇଥିବା ଜଣାପଡ଼ିଛି।unit3

ଚୌଧୁରୀ ବଜାର ବ୍ୟତୀତ ଚାଉଳିଆଗଞ୍ଜ, ଶେଖବଜାର, ହରିପୁର, ବାଦାମବାଡି, ଚାନ୍ଦିନିଚୌକ, ବାଲୁବଜାର, ଅଲିସାବଜାର, ରାଣୀହାଟ ଆଦି ୨୨ଟି ମଣ୍ଡପରେ ଚାନ୍ଦି ଓ ସୁନା ମେଢ ହୋଇଛି। କୋଟି କୋଟି ଟଙ୍କାରେ ନିର୍ମିତ ଏହି ମେଢକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି।

ସେହିପରି କୋରାପୁଟ ଜିଲ୍ଲା ଜୟପୁରରେ ମା’ଙ୍କ ପୂଜା ରୀତିନୀତିରେ ଆରମ୍ଭ ହୋଇଛି। ଚଳିତବର୍ଷ ସହରରେ ୧୦ଟି ମଣ୍ଡପରେ ମା’ ପୂଜା ପାଉଛନ୍ତି। ବ୍ରହ୍ମପୁରରେ ମା’ ୪୧ଟି ମଣ୍ଡପରେ ପୂଜା ପାଉଛନ୍ତି।  ଇସ୍ପାତ ନଗରୀ ରାଉରକେଲାର ବିଭିନ୍ନ ମଣ୍ଡପରେ ମା’ ବଙ୍ଗୀୟ ରୀତିନୀତିରେ ପୂଜା ପାଉଛନ୍ତି। ସହରରେ ୧୦୪ଟି ମଣ୍ଡପ ହୋଇଛି।