ଦୁର୍ନୀତିର ମୂଳରେ ପହଞ୍ଚିବା ଲାଗି ପ୍ରିଭେଣ୍ଟିଭ୍ ମେକାନିଜିମର ସହାୟତା ନେବ ଭିଜିଲାନ୍ସ

ଭୁବନେଶ୍ୱର: ଲାଞ୍ଚ, ଠକେଇ, ଟେଣ୍ଡର ଫିକ୍ସିଂ ହେଉ କି ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ମାମଲା ଭିଜିଲାନ୍ସ ନିକଟରେ ଦିନକୁ ଦିନ ବଢୁଛି ଅଭିଯୋଗ ସଂଖ୍ୟା। ମାମଲାର ଫଇସଲା ଓ ଦଣ୍ଡବିଧାନ ଅପେକ୍ଷା ଦୁର୍ନୀତିକୁ କିପରି ରୋକା ଯାଇପାରିବ ତା’ ଉପରେ ଗୁରୁତ୍ୱ ଦେଉଛି ବିଭାଗ। ଦୁର୍ନୀତିର ମୂଳରେ ପହଞ୍ଚିବା ଲାଗି ବିଭାଗ ପ୍ରିଭେଣ୍ଟିଭ୍ ମେକାନିଜିମର ସହାୟତା ନେବ। ଏହା ଅନ୍ତର୍ଗତ ବିଭିନ୍ନ ସରକାରୀ ଯୋଜନାକୁ ଭିଜିଲାନ୍ସ ଅନୁଧ୍ୟାନ କରିବ। କେଉଁ ଯୋଜନାରେ କେଉଁ ସ୍ଥାନରେ ଦୁର୍ନୀତି ହେବାର ସମ୍ଭାବନା ରହିଛି ସେଗୁଡ଼ିକୁ ଚିହ୍ନଟ କରିବା ସହ ତା’ର ନିରାକରଣ ପାଇଁ ସରକାରଙ୍କୁ ପରାମର୍ଶ ଦିଆଯିବ ବୋଲି ଭିଜିଲାନ୍ସ ନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି।

ଭିଜିଲାନ୍ସର ଏଭଳି ଯୋଜନାକୁ ପୂର୍ବତନ ପୋଲିସ ପ୍ରଶାସକ ସ୍ୱାଗତ କରିଛନ୍ତି। ଦୁର୍ନୀତି ରୋକିବା ଦିଗରେ ପ୍ରିଭେଣ୍ଟିଭ୍ ମେକାନିଜିମ୍ ଉପଯୋଗୀ ହେବ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ଗୋପାଳ ନନ୍ଦ। ସେ କହିଛନ୍ତି, ଯେଉଁମାନେ ଦୁର୍ନୀତି ଗସ୍ତ ସେମାନେ ଏହାକୁ ଡରିବେ। ସେମାନେ ଦୁର୍ନୀତି କରିବାକୁ ସାହସ କରିପାରିବେ ନାହିଁ କି ହସ୍ତକ୍ଷେପ କରିବେ ନାହିଁ। କାରଣ ଏପରି କଲେ ଧରାପଡିଯିବାର ଭୟ ରହିବ।

ସୂଚନାଯୋଗ୍ୟ, ୨୦୧୩ରେ ଭିଜିଲାନ୍ସ ନିକଟରେ ରୁଜୁ ହୋଇଥିଲା ୨୮୫ଟି ମାମଲା। ୨୦୧୪ରେ ମାମଲା ସଂଖ୍ୟା ଥିଲା ୪୦୪ରେ ପହଞ୍ଚି ଥିଲା। ସେହିପରି ଗତବର୍ଷ ଏହି ସଂଖ୍ୟା ବଢ଼ି ପହଞ୍ଚିଥିଲା ୪୬୪ରେ। କ୍ରମାଗତ ଭାବେ ଦୁର୍ନୀତି ମାମଲା ବଢୁଥିବାରୁ ଏହାର ନିରାକରଣ ପାଇଁ ଭଜିଲାନ୍ସ ଏପରି ଉଦ୍ୟମ ଆରମ୍ଭ କରିଛି।