ବିଦ୍ୟୁତ୍ ୟୁନିଟ୍ ପିଛା ୩ଟଙ୍କା ୨୦ ପଇସା ବଢ଼ିବ!

odishaଭୁବନେଶ୍ୱର: ବଢ଼ିବ ବିଜୁଳି ଦେୟ। ବିଜୁଳି ଦେୟ କେତେ ବଢ଼ିବ ସେ ନିଷ୍ପତ୍ତି ନେବେ ବିଦ୍ୟୁତ୍ ନିୟାମକ ଆୟୋଗ ବା ଓଇଆରସି। ବିଦ୍ୟୁତ୍ ଦେୟ ଧାର୍ଯ୍ୟ ପାଇଁ ଓଇଆରସିଙ୍କ ପାଖରେ ୮ ଦିନ ଧରି ଚାଲିଥିବା ଜନଶୁଣାଣି ଶେଷ ହୋଇଛି। ଆଉ ଏଥିରେ ବିଦ୍ୟୁତ୍ ବିତରକ, ଉତ୍ପାଦକ ଓ ପରିବହନ କଂପାନୀ ଉପସ୍ଥାନ କରିଥିବା ଯୁକ୍ତିକୁ ମାନି ନିଆଗଲେ ବିଦ୍ୟୁତ୍ ୟୁନିଟ୍ ପିଛା ୩ଟଙ୍କା ୨୦ ପଇସା ବଢ଼ିପାରେ।

ବିଦ୍ୟୁତ୍ ଉତ୍ପାଦନ କରୁଥିବା ଓଏଚ୍‌ପିସି ବିଜୁଳି ୟୁନିଟ୍ ପିଛା ୮୨ ପଇସାରୁ ୧ ଟଙ୍କା ୪୩ ପଇସାକୁ ବଢ଼ାଇବାକୁ ଯୁକ୍ତି ବାଢ଼ିଛି। ଓପିଜିସି ୟୁନିଟ୍ ପିଛା ୨ ଟଙ୍କା ୧୦ ପଇସାରୁ ୨ଟଙ୍କା ୮୨ ପଇସା କରିବାକୁ ଯୁକ୍ତି ରଖିଛି। ସେହିପରି ଗ୍ରୀଡ୍‌କୋ ୨ଟଙ୍କା ୮୪ପଇସାରୁ ୩ ଟଙ୍କା ୬୨ ପଇସା କରିବାକୁ ଯୁକ୍ତି ରଖିଛି। ୪ ବିତରକ କଂପାନୀ ମଧ୍ୟ ରାଜସ୍ୱ କ୍ଷତି ଦର୍ଶାଇ ୟୁନିଟ୍ ପିଛା ପ୍ରାୟ ୧ ଟଙ୍କା ବଢ଼ାଇବାକୁ ଯୁକ୍ତି ରଖିଛନ୍ତି। ମୋଟ ଉପରେ ଦେଖିଲେ ବିଦ୍ୟୁତ୍ ୟୁନିଟ୍ ପିଛା ୩ଟଙ୍କା ୨୦ ପଇସା ବଢ଼ିବା ନେଇ ପ୍ରସ୍ତାବ ରହିଛି।

ଓଇଆର୍‌ସି ନିର୍ଦ୍ଦେଶକ (ରେଗୁଲେଟାରୀ ଆଫାୟର୍ସ) ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି ବିଦ୍ୟୁତ୍ ଉତ୍ପାଦକ, ବିତରକ ଓ ପରିବହନ କଂପାନୀଙ୍କ ସମେତ ରାଜ୍ୟ ସରକାର ଏବଂ ଉପଭୋକ୍ତାଙ୍କ ଯୁକ୍ତିକୁ ଓଇଆରସି ଶୁଣିଛନ୍ତି। ସମସ୍ତଙ୍କ ଯୁକ୍ତିକୁ ବିଚାରକୁ ନେଇ ମାର୍ଚ୍ଚ ଶେଷ ସୁଦ୍ଧା ଆୟୋଗ ବିଦ୍ୟୁତ୍ ଦେୟ ଦର ନିର୍ଦ୍ଧାରଣ କରିବେ।

ଅନ୍ୟପକ୍ଷରେ ବିଦ୍ୟୁତ୍ ଦେୟ ବୃଦ୍ଧି ପ୍ରସ୍ତାବକୁ ବିରୋଧ କରିଛନ୍ତି ଉପଭୋକ୍ତା ସଂଘ। ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ କହିଛନ୍ତି, ବିଦ୍ୟୁତ୍ ଦେୟ ବୃଦ୍ଧି ନେଇ ଯେଉଁ ସବୁ ପ୍ରସ୍ତାବ ଦିଆଯାଇଛି ତାହା ଗ୍ରହଣୀୟ ନୁହେଁ। ବିଦ୍ୟୁତ୍ ୟୁନିଟ୍ ପିଛା ପ୍ରାୟ ୩ ଟଙ୍କା ବଢ଼ାଇବାକୁ ପ୍ରସ୍ତାବ ରହିଛି। ଓଡ଼ିଶାର ବିଦ୍ୟୁତ୍ ଗ୍ରାହକଙ୍କ ପକ୍ଷରେ ଏହି ଦେୟ ଦେବା ସମ୍ଭବ ନୁହେଁ। ଶୁଣାଣି ବେଳେ ସଂଘ ପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା।

ଉପଭୋକ୍ତା ସଂଘର ସଦସ୍ୟ ଭଞ୍ଜ କିଶୋର ରଥ କହିଛନ୍ତି ଯେ ବିଦ୍ୟୁତ୍ ଉତ୍ପାଦକ, ବିତରକ ଓ ପରିବହନ ସଂସ୍ଥାଗୁଡ଼ିକ ବିଦ୍ୟୁତ୍ ୟୁନିଟ୍ ପିଛା ୧୦ ପ୍ରତିଶତ ବଢ଼ାଇବାକୁ ପ୍ରସ୍ତାବ ଦେଇଛନ୍ତି। ବାସ୍ତବରେ ବିଦ୍ୟୁତ୍ ଦେୟ ୟୁନିଟ୍ ପିଛା ୧୦ ପ୍ରତିଶତ କମିବା ଆବଶ୍ୟକ। କାରଣ ଗ୍ରାହକମାନଙ୍କୁ ଖୁବ୍ ନିମ୍ନମାନର ବିଦ୍ୟୁତ୍ ଯୋଗାଣ କରାଯାଉଛି।

ଏବେ ରାଜ୍ୟରେ ସାଧାରଣ ଉପଭୋକ୍ତା ପ୍ରଥମ ୫୦ ୟୁନିଟ୍ ଭିତରେ ୟୁନିଟ୍ ପିଛା ୨ଟଙ୍କା ୫୦ ପଇସା, ୫୧ରୁ ୨୦୦ ୟୁନିଟ୍ ମଧ୍ୟରେ ୟୁନିଟ୍ ପିଛା ୪ଟଙ୍କା ୨୦ ପଇସା ଓ ୨୦୧ରୁ ୪୦୦ ୟୁନିଟ୍ ମଧ୍ୟରେ ୟୁନିଟ୍ ପିଛା ୫ଟଙ୍କା ୨୦ ପଇସା ଦେବାକୁ ପଡୁଛି। ଗତ ବର୍ଷ ଦେୟ ୨୦ ପଇସା ବଢ଼ିଥିଲା।