ଚାଷୀଙ୍କୁ ଅଟକ ନେଇ ବିଧାନସଭା ଅଚଳ, ରାଜ୍ୟପାଳଙ୍କୁ ଭେଟିଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର: ନବନିର୍ମାଣ କୃଷକ ସମାବେଶରେ ଯୋଗ ଦେବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭୁବନେଶ୍ୱର ଆସୁଥିବା ସଂଗଠନର ସଦସ୍ୟ ଓ ଚାଷୀମାନଙ୍କୁ ଅଟକ ରଖାଯିବା ପ୍ରସଙ୍ଗକୁ ଆଜି ବିଧାନସଭାରେ ବିରୋଧୀ ଦଳଗୁଡ଼ିକ ବିରୋଧ କରିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ପ୍ରସଙ୍ଗ ଉଠାଇ ଥିଲେ। ତେବେ ଆଜି ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ। ଏହା ପରେ କଂଗ୍ରେସର ଆଠ […]

congress

congress

Rakesh Mallick
  • Published: Wednesday, 14 December 2016
  • Updated: 14 December 2016, 08:21 PM IST

Sports

Latest News

congressଭୁବନେଶ୍ୱର: ନବନିର୍ମାଣ କୃଷକ ସମାବେଶରେ ଯୋଗ ଦେବାକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଭୁବନେଶ୍ୱର ଆସୁଥିବା ସଂଗଠନର ସଦସ୍ୟ ଓ ଚାଷୀମାନଙ୍କୁ ଅଟକ ରଖାଯିବା ପ୍ରସଙ୍ଗକୁ ଆଜି ବିଧାନସଭାରେ ବିରୋଧୀ ଦଳଗୁଡ଼ିକ ବିରୋଧ କରିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ପ୍ରସଙ୍ଗ ଉଠାଇ ଥିଲେ। ତେବେ ଆଜି ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ।

ଏହା ପରେ କଂଗ୍ରେସର ଆଠ ଜଣ ବିଧାୟକ ରାଜ୍ୟପାଳଙ୍କୁ ଭେଟିଥିଲେ। ଚାଷୀମାନଙ୍କ ସମସ୍ୟା ସଂପର୍କରେ ସେମାନେ ରାଜ୍ୟପାଳଙ୍କୁ ଅବଗତ କରିଥିଲେ। ଗିରଫ ଓ ଅଟକ ରଖାଯାଇଥିବା ଚାଷୀଙ୍କୁ ତୁରନ୍ତ ଛାଡ଼ି ଦେବାକୁ ଦାବି କରିଥିଲେ। ଏହା ସହିତ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସ୍ଥାୟୀ ଅଫିସ୍ ସ୍ଥାନାନ୍ତର ନେଇ ରାଜ୍ୟପାଳଙ୍କ ନିକଟରେ ସେମାନେ ଦାବି ଉପସ୍ଥାପନ କରିଥିଲେ।

ଅପରାହ୍ନରେ ଅଧିବେଶନ ଆରମ୍ଭ ହେବା ମାତ୍ରେ ହଟ୍ଟଗୋଳ ଦେଖା ଦେଇଥିଲା। ବିରୋଧୀ ଦଳ ସଦସ୍ୟମାନେ ଉପବାଚସ୍ପତିଙ୍କ ଟେବୁଲ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ମାଇକ୍‌ ଛଡାଇ ଫିଙ୍ଗି ଦେଇଥିଲେ। ଏହା ପରେ ବିଜେପି ସମସଦ୍ୟମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣାରେ ବସିଥିଲେ। ଚାଷୀଙ୍କୁ ଦମନ ପାଇଁ ସରକାର ପୋଲିସକୁ ବ୍ୟବହାର କରିଥିବା ସେମାନେ ଅଭିଯୋଗ କରିଥିଲେ। ଶାସକ ଦଳ ମୁଖ୍ୟ ସଚେତକ ଅନନ୍ତ ଦାସ ସେମାନଙ୍କ ପାଖକୁ ଯାଇ ଧାରଣାରୁ ଉଠିବାକୁ ଅନୁରୋଧ କରିଥିଲେ ମଧ୍ୟ ବିଜେପି ସଦସ୍ୟମାନେ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ। ଶେଷରେ ଉପବାଚସ୍ପତି ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବି କରି ଦେଇଥିଲେ।

ରାଜ୍ୟପାଳଙ୍କୁ ଭେଟି ଫେରିବା ପରେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଥିଲେ,“ନବନିର୍ମାଣ କୃଷକ ସମାବେଶରେ ଯୋଗ ଦେବାକୁ ଆସୁଥିବା ହଜାର ହଜାର ଚାଷୀଙ୍କୁ ପୋଲିସ୍ ଅଟକ ରଖିଛି। କିଛି ସ୍ଥାନରେ ଲାଠି ଚାର୍ଜ କରିଛି। ପୋଲିସ୍ ମାଡ଼ରେ ଦୁଇ ଜଣଙ୍କ ମୁଣ୍ଡ ଫାଟିଥିବା ସୂଚନା ମିଳିଛି।  ଦୁଇ ଜଣ ଚାଷୀ ନେତାଙ୍କୁ ଗିରଫ କରାଯାଇଛି। ଅଟକ ଚାଷୀମାନଙ୍କୁ ତୁରନ୍ତ ଛାଡ଼ିବାକୁ ଆମେ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଛୁ। ଏନେଇ ସରକାରଙ୍କୁ କୈଫିୟତ ତଲବ କରାଯିବ ଓ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ରାଜ୍ୟପାଳ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ହଜାର ହଜାର ଚାଷୀ ଭୁବନେଶ୍ୱର ଆସୁଥିବା ବେଳେ ସେମାନଙ୍କୁ ବିଭିନ୍ନ ଜିଲ୍ଲାରେ ଅଟକ ରଖାଯାଇଛି। ଏଭଳି କରି ସେମାନଙ୍କ ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ କରାଯାଇଛି। ଅଟକ ଚାଷୀଙ୍କୁ ତୁରନ୍ତ ଛାଡ଼ିବାକୁ ଆମେ ଦାବି କରିଛୁ।”

ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି,“ବିଭିନ୍ନ ସ୍ଥାନରେ ପୋଲିସ ରାସ୍ତା ଜାମ କରି ଚାଷୀଙ୍କୁ ମାଡ଼ ମାରି ଗିରଫ କରିଛି। ଏହା ଗଣତନ୍ତ୍ରର କଣ୍ଠରୋଧ କହିଲେ ଭୁଲ ହେବନାହିଁ। ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ। ଷୀଙ୍କ କଥା ସରକାର ଶୁଣନ୍ତୁ ବୋଲି ବିଜେପି ଦାବି କରୁଛି।”

ଅନ୍ୟପକ୍ଷରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି,“ବିରୋଧୀ ଦଳ ନେତା ଗୃହରେ ଚାଷୀଙ୍କ ପ୍ରସଙ୍ଗ ଉଠାଇ ଥିଲେ। କିନ୍ତୁ ଉପବାଚସ୍ପତି ଅନୁମତି ଦେଇ ନ ଥିଲେ। ମୁଁ କ’ଣ କରିବି? ଚାଷୀଙ୍କ ସମସ୍ୟା ସଂପର୍କରେ ଶୁଣିବାକୁ ମୁଁ ସବୁବେଳେ ପ୍ରସ୍ତୁତ।”

ନବନିର୍ମାଣ କୃଷକ ସଂଗଠନର ସମାବେଶ ସଂପର୍କରେ ସେ କହିଛନ୍ତି,“ସେମାନେ ମୋ ନିକଟରେ କିଛି ଦାବି କରି ନାହାନ୍ତି। ସେମାନଙ୍କ ସମସ୍ୟା ସଂପର୍କରେ ମୁଁ ଜାଣି ନାହିଁ।”

ସେହିଭଳି ଚାଷୀଙ୍କୁ ଅଟକ ରଖାଯିବା ଘଟଣାରେ କୃଷି ମନ୍ତ୍ରୀ କହିଛନ୍ତି,“ଏ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ପଚାରନ୍ତୁ।”

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,“ ଚାଷୀମାନଙ୍କର ପ୍ରତିବାଦ କରିବାର ଅଧିକାର ରହିଛି, ସେମାନଙ୍କୁ ଅଟକା ଯିବା ଅଗଣତାନ୍ତ୍ରିକ।”

ଶାସକ ଦଳ ମୁଖ୍ୟ ସଚେତକ ଅନନ୍ତ ଦାସ କହିଛନ୍ତି,“ବିଜେପି ଭାଇମାନେ ମତେଇ କି ଏହି ଆନ୍ଦୋଳନ କରାଇଥିଲେ ବୋଲି ଜଣାପଡୁଛି। ଲୋକ କେହି ଆସିଲେ ନାହିଁ, ବାଟରୁ ଫେରିଗଲେ। ଯେଉଁମାନେ ପ୍ରକୃତ ଚାଷୀ ସେମାନେ ଧାନ କଟାରେ ଏତେ ବ୍ୟସ୍ତ ଯେ ଏହି ଆନ୍ଦୋଳନ ପାଇଁ ସେମାନଙ୍କର ଆଗ୍ରହ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos