ଗର୍ଭରେ ମରିଯାଉଛି ଝିଅ, ମନେ ପଡ଼ିଗଲା ନୟାଗଡ଼

ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛି କନ୍ୟା ଭ୍ରୂଣହତ୍ୟା ଖବର। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରେ ଗୋଟିଏ ଜାଗାରୁ ଉଦ୍ଧାର ହୋଇଛି ୧୯ଟି ମଲା ଭ୍ରୂଣ। ଯାହାକୁ ନେଇ ପୋଲିସ୍ ତନାଘନା ଆରମ୍ଭ କରିଛି। ତେବେ ଏହା ପଛରେ ଏକ ରାକେଟ୍ କାମ କରୁଥିବା ଅନୁମାନ ଲଗାଇଛି ପୋଲିସ୍। କିଛିଦିନ ତଳେ ଜଣେ ସ୍ୱାମୀ ଗର୍ଭପାତ କରାଇବାକୁ ନିଜ ସ୍ତ୍ରୀକୁ ଏକ ଘରୋଇ କ୍ଳିନିକ୍‌ରେ ଭର୍ତ୍ତି କରିଥିଲେ। କାରଣ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ତ୍ରୀ, ତୃତୀୟ ଥର ପାଇଁ କନ୍ୟାସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ତେବେ ବିଡ଼ମ୍ୱନାର ବିଷୟ ହେଲା, ଗର୍ଭପାତ ବେଳେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାର ତଦନ୍ତ ବେଳେ କନ୍ୟା ଭ୍ରୂଣହତ୍ୟା ଭଳି ନୃଶଂସ କାରବାର ସଂପର୍କରେ ସୁରାଗ୍ ପାଇଥିଲା ପୋଲିସ୍। ଆଉ ଖୋଜୁ ଖୋଜୁ ଗୋଟିଏ ଜାଗାରୁ ପାଇଛି ୧୯ଟି ମୃତ କନ୍ୟାଭ୍ରୂଣର ସନ୍ଧାନ। ଯେଉଁ ଝିଅମାନେ ଦୁନିଆ ଦେଖିବା ଆଗରୁ ଆଖି ବୁଜି ଦେଇଛନ୍ତି।

୨୦୧୭ ମସିହାର ଏହି ଖବର ଆମକୁ ଫେରାଇ ନେଇଛି ୧୦ବର୍ଷ ତଳକୁ। ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାରୁ ଓଡିଶାର ନୟାଗଡକୁ। ଯେଉଁ ସମ୍ୱେଦନଶୀଳ ଖବରକୁ ନେଇ ସାରା ଦେଶରେ, ଏପରିକି ସାରା ବିଶ୍ୱରେ ଓଡିଶାକୁ ବଦନାମ୍ ହେବାକୁ ପଡିଥିଲା। ରାଜ୍ୟ ରାଜଧାନୀ ଠାରୁ ପ୍ରାୟ ୮୦ କିଲୋମିଟର ଦୂର ନୟାଗଡ ଜିଲ୍ଲାର ଇଟାମାଟି ଅଚଂଳର ଏକ ପରିତ୍ୟକ୍ତ କୂଅ ଭିତରୁ ଉଦ୍ଧାର ହୋଇଥିଲା ପାଖାପାଖି ୬୦ଟି ମୃତ କନ୍ୟାଭ୍ରୂଣ।

ଓଡିଶାର ଏକ ନମ୍ୱର ନ୍ୟୁଜ୍ ଚ୍ୟାନେଲ୍ ଓଟିଭି ପ୍ରଥମେ ଏହି ଖବରକୁ ପ୍ରସାରଣ କରିବା ପରେ ଚମକି ଉଠିଥିଲେ ରାଜ୍ୟ ସରକାର। ଆରମ୍ଭ ହୋଇଥିଲା ତନାଘନା। ଆଉ ପଦାକୁ ଆସିଥିଲା ଅନୈତିକ ଗର୍ଭପାତର ଗୁମର କାହାଣୀ। ଘରୋଇ ନର୍ସିଂହୋମ୍‌ ସରକାରୀ ଡାକ୍ତର କରୁଥିଲେ ଗର୍ଭପାତ। ମାତ୍ର କିଛି ଟଙ୍କା ବଦଳରେ ଅଲଟ୍ରାସାଉଣ୍ଡ କ୍ଳିନିକ୍‌ରେ ଚାଲିଥିଲା ଲିଙ୍ଗ ନିରୂପଣ। ଆଉ ପେଟରେ ଝିଅ ଅଛି ଜାଣିଲେ, ତାକୁ ଦୁନିଆର ଆଲୋକ ଦେଖାଇବା ପୂର୍ବରୁ ମାରିଦେବାକୁ ପ୍ରସ୍ତୁତ ହେଉଥିଲା ଷଡ଼ଯନ୍ତ୍ରର ନକ୍ସା।

ୟା ଭିତରେ ୧୦ବର୍ଷ ବିତି ଯାଇଛି। ସରକାରଙ୍କ ଠାରୁ ଆରମ୍ଭ କରି ସ୍ୱେଚ୍ଛାସେବୀ ସଂଗଠନ, ସଚେତନତା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ମୋଦି ସରକାର କନ୍ୟାରତ୍ନ ଯୋଜନା କରିଛନ୍ତି। ବେଟୀ ପଢାଓ, ବେଟୀ ବଚ୍ଚାଓର ନାରା ଦିଆଯାଉଛି। ହେଲେ କନ୍ୟାଭ୍ରୂଣ ହତ୍ୟାର ଖବର ଦିନେ ଓଡିଶାରୁ ଆସିଥିଲା, ଏବେ ମହାରାଷ୍ଟ୍ରରୁ ଆସିଛି।

କାହିଁକି ମାଆଟିଏ ନିଜ ନାରୀତ୍ୱ ଓ ମାତୃତ୍ୱର ପରିଚୟକୁ ହତ୍ୟା କରିବାକୁ ପଛାଉ ନାହିଁ। ପୁରୁଷପ୍ରଧାନ ମାନସିକତା ଏଥିପାଇଁ ଦାୟୀ କି? ହୁଏତ ନିଜ ଜୀବନ ପ୍ରତି ସନ୍ତୁଷ୍ଟ ନଥିବା ନାରୀଟିଏ ଚାହୁଁନାହିଁ ତା ଝିଅ ବି ସମାନ ସ୍ଥିତିକୁ ସାମ୍ନା କରୁ। ସେଥିପାଇଁ ଝିଅ ବଦଳରେ ପୁଅଟିଏ ଚାହୁଁଛି। କେବଳ ସେତିକି ନୁହେଁ, ମାତ୍ର କିଛି ଟଙ୍କ। ଲୋଭରେ ଗର୍ଭପାତ କରାଉଥିବା ଡାକ୍ତରଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା ଡାକ୍ତର। ଯାହା ବୟାନ କରୁଛି, ଏବେ ବି କନ୍ୟାସନ୍ତାନ ପ୍ରତି ଆମର ଓ ଆମ ସମାଜର ମାନସିକତାକୁ।