ସମ୍ ହସ୍ପିଟାଲ୍‌ ଅଧୀକ୍ଷକଙ୍କ ସମେତ ୪ ଗିରଫ

sumଭୁବନେଶ୍ୱର: ସମ୍ ହସ୍ପିଟାଲ୍‌ରେ ଗତକାଲି ହୋଇଥିବା ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁ ସଂଖ୍ୟା ୨୦ ଛୁଇଁଥିବା ବେଳେ ଆଜି ଖଣ୍ଡଗିରି ଥାନା ପୋଲିସ୍ ଚାରି ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ହସ୍ପିଟାଲ୍‌ର ଅଧୀକ୍ଷକ ମଧ୍ୟ ରହିଛନ୍ତି। ତାଙ୍କ ନାଁ ପୁଷ୍ପରାଜ ସାମନ୍ତସିଂହାର। ଗିରଫ ହୋଇଥିବା ଅନ୍ୟ ବ୍ୟକ୍ତିମାନେ ହେଲେ ହସ୍ପିଟାଲର ପୂର୍ବତନ ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର(ଇଲେକ୍ଟ୍ରିକାଲ୍ ମେଣ୍ଟେନାନ୍‌ସ) ଅମୂଲ୍ୟ ସାହୁ, ଫାୟାର ସେଫ୍‌ଟି ଅଫିସର ସନ୍ତୋଷ ଦାସ ଓ କନିଷ୍ଠ ଯନ୍ତ୍ରୀ (ଇଲେକ୍ଟ୍ରିକାଲ୍ ମେଣ୍ଟେନାନ୍‌ସ) ମଳୟ କୁମାର ସାହୁ। ଅଗ୍ନିଶମ ବିଭାଗର ଏତଲା ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନାଁରେ ଆଇପିସିର ଧାରା ୩୦୪,୩୦୮,୨୮୫ ଓ ୩୪ ଅନୁଯାୟୀ ମାମଲା ରୁଜୁ କରାଯାଇଛି।

ସମ୍ ହସ୍‌ପିଟାଲ୍ କର୍ତ୍ତୃପକ୍ଷଙ୍କ ନାଁରେ ଭୁବନେଶ୍ୱରର ଖଣ୍ଡଗିରି ଥାନାରେ ଆଜି ଦୁଇଟି ଏତଲା ଦାଏର ହୋଇଥିଲା। ଗୋଟିଏ ଏତଲା ଅଗ୍ନିଶମ ବିଭାଗ ପକ୍ଷରୁ ଦାଏର କରାଯାଇଥିବା ବେଳେ ଆଉ ଗୋଟିଏ ଡିଏମ୍‌ଇଟି ପକ୍ଷରୁ ଦିଆଯାଇଥିଲା। ଏହା ସହିତ ଏ ଘଟଣାରେ ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ଅଗ୍ନିଶମ ଡିଜି ବିନୟ ବେହେରା ମୁଖ୍ୟ ଶାସନ ସଚିବଙ୍କୁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି।

ମେଡିକାଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ଦାଏର ଏତଲାରେ ଉଲ୍ଲେଖ କରାଯାଇଥିଲା। ସେହିପରି ମେଡିକାଲ୍‌ରେ ଅଗ୍ନି ନିର୍ବାପନ ପାଇଁ ବିଶେଷ ବ୍ୟବସ୍ଥା ନ ଥିବା ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଏଥିରେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଡିଏମ୍‌ଇଟିର ଯୁଗ୍ମ ନିର୍ଦ୍ଦେଶକ ଦାଏର କରିଥିବା ଏତଲାରେ ୩ଟି ଦିଗ ଉଲ୍ଲେଖ କରିଛନ୍ତି। ମେଡିକାଲ୍ କର୍ତ୍ତୃପକ୍ଷ କର୍ତ୍ତବ୍ୟରେ ଅବହେଳା କରିଥିବା ଏଥିରେ ସେ ଉଲ୍ଲେଖ କରିଛନ୍ତି। ଏହା ସହିତ ରୋଗୀ ପରିଚାଳନା ଓ ରୋଗୀ ସ୍ଥାନାନ୍ତର କଥା ବି ସେ ଉଲ୍ଲେଖ କରିଛନ୍ତି। ଡିଏମ୍‌ଇଟି ପକ୍ଷରୁ କୁହାଯାଇଛି ଯେ ସମ୍ ହସ୍‌ପିଟାଲ୍ ମ୍ୟାନେଜ୍‌ମେଣ୍ଟର ଇଚ୍ଛାକୃତ ଅବହେଳାରୁ ଦୁର୍ଘଟଣା ଘଟିଛି। ନିଆଁ ଲିଭାଇବା ପାଇଁ ହସ୍‌ପିଟାଲ୍‌ରେ କୌଣସି ଭରସାଯୋଗ୍ୟ ଯନ୍ତ୍ରପାତି ନ ଥିଲା। ତେଣୁ ନିଆଁ ଅନ୍ୟ ଜାଗାକୁ ଏହା ତୁରନ୍ତ ବ୍ୟାପି ଥିଲା। ଯେହେତୁ ଗୁରୁତର ରୋଘୀ ରହୁଛନ୍ତି ତେଣୁ ଏଥିରେ ଅଗ୍ନି ନିର୍ବାପନ ପାଇଁ ବ୍ୟବସ୍ଥା ରଖାଯିବା କଥା। ଗୁରୁତର ରୋଗୀଙ୍କୁ ସୁରୁଖୁରୁରେ ଜରୁରୀକାଳୀନ ଉଦ୍ଧାର ପାଇଁ ଯେଉଁ ବ୍ୟବସ୍ଥା ରହିବା କଥା ସେଥିରେ ଘୋର ଅବହେଳା କରିଛି ସମ୍। ଡିଜାଷ୍ଟର ରେସପନ୍ସ ପ୍ରୋଟୋକଲ୍ ଅନୁସରଣ କରାଯାଇ ନ ଥିବାରୁ ମ୍ୟାନେଜ୍‌ମେଣ୍ଟ ବିରୋଧରେ ଏତଲା ଦାଖଲ କରାଯାଇଛି ବୋଲି ଡିଏମ୍‌ଇଟି କହିଛି।

ଅଗ୍ନିଶମ ବିଭାଗ ଡିଜି ବିନୟ ବେହେରା କହିଛନ୍ତି,“ସମ୍ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ନାଁରେ ଏତଲା ଦାଏର କରାଯାଇଛି। କେନ୍ଦ୍ରାଞ୍ଚଳ ରେଞ୍ଜ ଫାୟାର ଅଫିସ୍‌ରଙ୍କ ପକ୍ଷରୁ ଏତଲା ଦିଆଯାଇଛି। ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଅଗ୍ନିକାଣ୍ଡ ଘଟିଥିବା ଏଥିରେ ଉଲ୍ଲେଖ କରାଯାଇଛି। ଅଗ୍ନି ନିର୍ବାପନ ବ୍ୟବସ୍ଥା କରିବାକୁ ମେଡିକାଲ୍ କର୍ତ୍ତୃପକ୍ଷଙ୍କୁ ୨୦୧୩ରେ ଚିଠି କରାଯାଇଥିଲା। ୩ ବର୍ଷ ବିତି ଯାଇଥିଲେ ମଧ୍ୟ ମେଡିକାଲ୍ କର୍ତ୍ତୃପକ୍ଷ ଏ ଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି।”

ସମ୍ ହସ୍‌ପିଟାଲ୍ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଛାତ୍ର କଂଗ୍ରେସ ପକ୍ଷରୁ ମଧ୍ୟ ଖଣ୍ଡଗିରି ଥାନାରେ ଏତଲା ଦିଆଯାଇଛି।