ବେଆଇନ ରାସନକାର୍ଡ ଫେରସ୍ତ ପ୍ରସଙ୍ଗ: ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ଆଜି ସରୁଛି ଡେଡଲାଇନ୍

ଭୁବନେଶ୍ୱର: ଖାଦ୍ୟ ସୁରକ୍ଷା ଆଇନରେ ଅଯୋଗ୍ୟ ହିତାଧିକାରୀଙ୍କ ପାଇଁ ସରକାର ସତର୍କ ଘଣ୍ଟି ବଜାଇ ଦେଇଛନ୍ତି। ଯେଉଁମାନେ ଆଜି ସୁଦ୍ଧା କାର୍ଡ ନ ଫେରାଇବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା।ଅଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଫେରାଇବା ପାଇଁ ସରକାର ଆଜି ଯାଏଁ ଡେଡଲାଇନ ଦେଇଥିଲେ।

କାର୍ଡ ପ୍ରତ୍ୟାହାର ପାଇଁ ସରକାର ଜାନୁଆରୀ ୧୫ ତାରିଖ ଯାଏଁ ସମୟ ଦେଇଥିଲେ। ଯୋଗ୍ୟତା ନ ଥାଇ କାର୍ଡ ନେଇଥିଲେ ଫୌଜଦାରୀ ମାମଲା ରୁଜୁ ହେବ। ଏହାଛଡା ଯେଉଁମାନେ ଖାଦ୍ୟଶସ୍ୟ ନେଇଛନ୍ତି ସେମାନଙ୍କଠାରୁ ବଜାର ଦର ଅନୁସାରେ ଅର୍ଥ ଆଦାୟ କରାଯିବ। ଯଦି ସରକାରୀ କର୍ମଚାରୀ ହୋଇଥିବେ ତେବେ ବିଭାଗୀୟ କାର୍ଯାନୁଷ୍ଠାନ ମଧ୍ୟ ନିଆଯାଇ ପାରେ। ସରକାରଙ୍କ ବିଜ୍ଞାପନ ପରେ ଏଯାଏଁ ୧ ଲକ୍ଷ ୬୦ ହଜାର ଅଯୋଗ୍ୟ ହିତାଧିକାରୀ କାର୍ଡ ଫେରାଇଛନ୍ତି।

ସେପଟେ ଖାଦ୍ୟ ସୁରକ୍ଷା ଆଇନକୁ ନେଇ ସରକାରଙ୍କୁ ପୁଣି ଟାଗେର୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅଭିଯୋଗ କରିଛନ୍ତି ଶାସକ ଦଳର ନେତା ଯୋଜନାକୁ ହରିଲୁଟ୍ କରିଛନ୍ତି।